• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାରିପଦାରେ ଏକ କୂଅ ଭିତରୁ ଅଭିନବ ଢ଼ଙ୍ଗର ଉଦ୍ଧାର ହୋଇଛି ହାତୀ ଛୁଆ । ପ୍ରାୟ ୧୦ ଘଣ୍ଟା ଧରି ଚାଲିଥିବା ଅପରେସନ୍‌ ଶେଷରେ ସଫଳ ହୋଇଛି । ଆଉ ସଫଳତାର ଶ୍ରେୟ ହାତୀ ପଲ ସହ ବନ କର୍ମଚାରୀ ଓ ଅଗ୍ନିଶମ ବାହିନୀକୁ ଦିଆଯିବ । କାରଣ ହାତୀ ପଲ ଥିବାରୁ ବନ କର୍ମଚାରୀଙ୍କୁ ସହଜ ହୋଇଥିଲା ହାତୀ ଉଦ୍ଧାର ।

ପ୍ରଥମେ ହାତୀ ଶାବକଟି କୂଅ ଭିତରେ ଖସି ପଡ଼ିଥିଲା । ଆଉ ହାତୀ ଛୁଆଟି ଖସି ପଡ଼ିବାରୁ ଅନ୍ୟ ହାତୀମାନେ ସେଠାରେ ଜଗି ରହିଥିଲେ । ପ୍ରାୟ ୧୦ରୁ ଅଧିକ ହାତୀ ସେହି କୂଅ ପାଖରେ ଜଗି ବସିଥିଲେ । ଏହି ଖବର ପାଇ ବନ କର୍ମଚାରୀ, ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ସେମାନେ ପ୍ରଥମେ କିଛି କରିପାରିନଥିଲେ । ସେମାନେ ହାତୀ ପଲ ଆଗରେ ସତେ ଯେମିତି ନିରୁପାୟ ମଣୁଥିଲେ । କାରଣ ହାତୀ ପଲ ଥିବାରୁ କୂଅ ପାଖକୁ ବନ କର୍ମଚାରୀମାନେ ଯାଇ ପାରୁନଥିଲେ କିମ୍ବା ହାତୀ ପଲକୁ କୌଣସି ମତେ କଷ୍ଟ ଦେବାକୁ ବି ସେମାନେ ଚାହୁଁନଥିଲେ । ତେଣୁ ହାତୀ ଛୁଆ ଉଦ୍ଧାର ଅପରେସନ ବିଳମ୍ବ ହେଉଥିଲା । 

ହେଲେ ଶେଷରେ ବନ କର୍ମଚାରୀ ଓ ଅଗ୍ନିଶମ ବାହିନୀ ବୁଦ୍ଧି ଖର୍ଚ୍ଚ କରି ସେହି କୂଅରେ କୌଣସି ମତେ ପାଇପ୍ ଯୋଗେ ପାଣି ଭର୍ତ୍ତ କରିଥିଲେ । ଆଉ କୂଅରେ ପାଣି ଭର୍ତ୍ତି ହୋଇସାରିବା ପରେ ସେଠାରୁ ଦୂରକୁ ଚାଲିଆସିଥିଲେ । ଫଳରେ ହାତୀ ଛୁଆଟି କୂଅ ଉପରକୁ ଭାସି ଉଠିଥିଲା । ଏହା ଦେଖି ଅନ୍ୟ ହାତୀମାନେ ଛୁଆ ହାତୀକୁ ନିଜ ପାଖକୁ ଟାଣି ନେଇଥିଲେ । ଏହି ଭଳି ଭାବେ ହାତୀ ଛୁଆଟି ନୂଆ ଜୀବନ ପାଇଛି । ଉଦ୍ଧାର ହେବା ପରେ ହାତୀ ପଲ ସହ ଛୁଆଟି ଜଙ୍ଗଲ ମଧ୍ୟକୁ ଚାଳିଯାଇଛି ।

ସେପଟେ ବାଲେଶ୍ୱର ରାଇବଣିଆ ଲୁହାପଡ଼ା ଗାଁ ନିକଟରେ ହାତୀ ପଲ । ୬୫ ଟିକିଆ ହାତପଲ ଲୋକଙ୍କ ନିଦ ହଜାଇ ଦେଇଛନ୍ତି । ଧାନ ଫସଲ ନଷ୍ଟ ସହ ଲଗାତର ୩ ଦିନ ହେଲାଣି ଉପଦ୍ରବ ଚଳାଇଛନ୍ତି ହାତୀ ପଲ । କଲମା ପଞ୍ଚାୟତରେ ୨୫ଟି ହାତୀ ଆମ୍ବତୁମ୍ବା ଜଙ୍ଗଲରେ ରହି ଉପଦ୍ରବ ଚଳାଇଛନ୍ତି । ପଶ୍ଚିମବଙ୍ଗର ଧୂମସାହି ଅଂଚଳରୁ ୪୦ଟି ହାତୀ ଆସି ଖୁଆଡ଼ ପଞ୍ଚାୟତରେ ଉତପାତ କରୁଛନ୍ତି । ହାତୀ ଭୟରେ ଲୋକମାନେ ରାତିରେ ଘରୁ ବାହାରିବାକୁ ଭୟ କରୁଛନ୍ତି । ସେହିଭଳି କେନ୍ଦୁଖୁଣ୍ଟା ଓ ପାରୁଳିଆ ସାହିରେ ୧୫ଟି ଘର ଭାଂଗି ଦେଇଥିବା ସୂଚନା ମିଳିଛି । ଲୋକେ ଅମଳ କରିଥିବା ଧାନ ମଧ୍ୟ ହାତୀ ଖାଇଦେଇଥିବା ଅଭିଯୋଗ ହୋଇଛି । ହାତୀଙ୍କୁ ଘଉଡ଼ାଇବାକୁ ଜଳେଶ୍ୱର ବନବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି । ଜଳେଶ୍ୱର, ବରଡ଼ିହା, ନୀଳଗିରି, ଅଞ୍ଚଳର ବନକର୍ମୀ ହାତୀ ଘଉଡାଇବାରେ ଲାଗିଛନ୍ତି ।