Advertisment

ଯେଉଁଠି ଖାଉଛନ୍ତି, ସେଇଠି ଶୋଉଛନ୍ତି ବୃଦ୍ଧ ଦମ୍ପତି, ତା’ବି ପୁଣି ଗାଈଗୋରୁଙ୍କ ସହ...

ଏ ଘର ନୁହେଁ ତ ଗୁହାଳ । ଯେଉଁଠି ଖାଉଛନ୍ତି, ସେଇଠି ଶୋଉଛନ୍ତି ବୃଦ୍ଧ ଦମ୍ପତି । ତା’ବି ପୁଣି ଗାଈଗୋରୁଙ୍କ ସହ ।

author-image
Rajalaxmi Sahoo
Elderly couple forced to stay under cowshed in Jajpur

Elderly couple forced to stay under cowshed in Jajpur

ଏ ଘର ନୁହେଁ ତ ଗୁହାଳ । ଯେଉଁଠି ଖାଉଛନ୍ତି, ସେଇଠି ଶୋଉଛନ୍ତି ବୃଦ୍ଧ ଦମ୍ପତି । ତା’ବି ପୁଣି ଗାଈଗୋରୁଙ୍କ ସହ । ଘର ସାରା ଅଳନ୍ଧୁ ସହ ବୁଢିଆଣି ବସା ବାନ୍ଧି ରଖିଛି। ଏ ଦୃଶ୍ୟ ଦେଖିଲେ ଆପଣ ବି ବିଶ୍ୱାସ କରିପାରିବେନି ଏଭଳି ଘରେ କେମିତି ମଣିଷ ରହୁଛି । ଆଖିରୁ ଲୁହ ଆସିଯିବ। ରୋଗାଗ୍ରସ୍ତ ସ୍ୱାମୀଙ୍କ ସେବା କରିବା ସହ ଗାଈଙ୍କୁ ଆଉଁସି ଦେଇ କହୁଛନ୍ତି ମୋର ତ ପୁଅ ଝିଅ କେହି ନାହିଁ ଏ ଦୁଇ ଗାଈ ଆମ ଜୀବନ ।

Advertisment

ଏ ହେଉଛନ୍ତି ସେଇ ଅବହେଳିତ ବୃଦ୍ଧ ଦମ୍ପତି l ପରିବାର କହିଲେ ସ୍ୱାମୀ, ସ୍ତ୍ରୀ ଦୁଇ ଜଣ । ୭୦ ବର୍ଷୀୟ ନିରଞ୍ଜନ ଓ ତାଙ୍କ ପତ୍ନୀ ଦୁଃଖି ୨ ଗାଈଙ୍କ ସହ ଝାଟିମାଟିରେ ଗଢ଼ା ଭଙ୍ଗା କୁଡ଼ିଆ ଘରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି । ଘରର ଗୋଟିଏପଟେ ଗାଈ ଆରପଟେ ରହୁଛନ୍ତି ବୃଦ୍ଧ ଦମ୍ପତି। ଘର ଉପରେ ପଡ଼ିଛି ଜରିପାଲ।  ଆଉ ଚାରିପଟେ ଟଙ୍ଗା ଯାଇଛି ଛିଣ୍ଡା ଅଖା ।

ଏହି ବୃଦ୍ଧ ଦମ୍ପତିଙ୍କର କେହି ପୁଅଝିଅ ନାହାନ୍ତି ସତ କିନ୍ତୁ ଦୁଇ ଗାଈଙ୍କୁ ସେମାନେ ନିଜ ପୁଅଝିଅଙ୍କ ଭଳି ସ୍ନେହ ଶ୍ରଦ୍ଧା କରିବା ସହ ସେମାନଙ୍କ ସହ ରହୁଛନ୍ତି । କେହି କେହି ସେମାନଙ୍କୁ କହୁଛନ୍ତି ତୁମେ ଏ ଘର ଛାଡ଼ି ବୃଦ୍ଧାଶ୍ରମକୁ ଚାଲିଯାଅ। କିନ୍ତୁ ଗାଈଙ୍କୁ ଛାଡ଼ି ଯିବାକୁ ନାରାଜ। ବଞ୍ଚିବି ତ ଏଇଠି, ମରିବି ତ ଏଇଠି । ଏମାନଙ୍କୁ ଛାଡି ଆମେ କୁଆଡ଼େ ଯିବୁନି ବୋଲି କହନ୍ତି ଦୁଃଖି କହିଛନ୍ତି । ଦିନରେ ପଡ଼ିଶା ଘର ଲୋକ ଯାହା ଦିଅନ୍ତି ଖାଇବାକୁ ତାହା ଖାଇଥାନ୍ତି, ନ ହେଲେ ଉପାସ ରହିବାକୁ ପଡୁଛି । 

Advertisment

ସେପଟେ ଜିଲ୍ଲାପାଳ କହିଛନ୍ତି, ସେମାନେ ଯଦି ଚାହିଁବେ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ବୃଦ୍ଧାଶ୍ରମରେ ସୁବନ୍ଦୋବସ୍ତ କରାଯିବ। ନଚେତ ଜମି ପଟ୍ଟା  ପାଇଁ ତହସିଲ ଅଫିସରେ ଆବେଦନ କଲେ ଯଥାଶୀଘ୍ର ନିୟମ ଅନୁଯାୟୀ ସେମାନଙ୍କୁ ଜମିପଟ୍ଟା ପ୍ରଦାନ କରାଯିବ।

ଗରିବ ଅସହାୟ ଲୋକଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି l ବାସ୍ତବରେ କିନ୍ତୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ଏହା ପହଞ୍ଚି ପାରୁନି। ଦେଖିବାକୁ ବାକି ରହିଲା କେବେ ରାଜ୍ୟ ସରକାରଙ୍କ ଦୃଷ୍ଟି ଏ ବୃଦ୍ଧ ଦମ୍ପତିଙ୍କ ଉପରେ ପଡ଼ିବ ଓ ସେମାନେ ଘର ଖଣ୍ଡେ ପାଇବେ । 

Special Story
Advertisment
Advertisment