Advertisment

ବୟସର ଅପରାହ୍ନରେ ଭତ୍ତା ପାଇଁ ହୀନସ୍ତା: ପଂଚାୟତରୁ ବ୍ଲକ ଅଫିସ, ଦୌଡି ଦୌଡି ନୟାନ୍ତ

ବୁଢା ବୁଢୀ ବୟସରେ ସରକାରୀ ସହାୟତା ପାଇଁ ଅନାଇ ରହିଛନ୍ତି ଅନେକ ହିତାଧିକାରୀ। ଏବେ ଅପେକ୍ଷା କେବେ ଏମାନଙ୍କୁ ଭତ୍ତା ମିଳୁଛି।

author-image
Chandan Shishu
undefined

Elderly beneficiaries allege irregularities in pension distribution

କିଏ ଟଙ୍କା ୫ ଶହ ପାଇଁ ତ ଆଉ କିଏ ୭ ଶହ ଟଙ୍କା ପାଇଁ ହୀନସ୍ତା ହେଉଛି। ବୟସର ଅପରାହ୍ଣରେ ନାନା ହଇରାଣ ହରକତ ହେଉଛନ୍ତି ଭତ୍ତା ଗଣ୍ଡିକ ପାଇଁ। କେଉଁଠି ଲାଞ୍ଚ ନଦେଲେ ଭତ୍ତା ମିଳୁନାହିଁ ତ ଆଉ କେଉଁଠି ବାଟ ମାରଣା ହେଉଥିବା ଅଭିଯୋଗ। ଆଜି ଆମେ ଗଞ୍ଜାମ ଖଲ୍ଲିକୋଟ ଏବଂ ମାଲକାନଗିରି ଚିତ୍ରକୋଣ୍ଡା ଅଞ୍ଚଳର ଦୁର୍ଦ୍ଦଶାର କାହାଣୀ କହୁଛୁ। ଯେଉଁଠି ବୃଦ୍ଧବୃଦ୍ଧାଙ୍କ ପ୍ରତି ସରକାରୀ ଉଦାସୀନତା ଜଳ ଜଳ ବାରି ହେଉଛି।

Advertisment

ବୟସର ଅପରାହ୍ନରେ ଭତ୍ତା ପାଇଁ ହୀନସ୍ତା ହେଉଛନ୍ତି ଗଞ୍ଜାମ ଜିଲ୍ଲା ତୁଳସୀପୁର ପଞ୍ଚାୟତ ପିଟଣାପଲ୍ଲୀର ବାସିନ୍ଦା। ଏମାନଙ୍କ ମଧ୍ୟରୁ କାହା ବୟସ ୮୦ ଛୁଇଁଲାଣି ତ କାହାକୁ ଟପିଲାଣି ୬୦। କିଏ ବାର୍ଦ୍ଧକ୍ୟ ଭତ୍ତା ପାଇଁ ତ ଆଉ କିଏ ବିଧବା କିମ୍ବା ଭିନ୍ନକ୍ଷମ ଭତ୍ତା ପାଇଁ ପଂଚାୟତରୁ ବ୍ଲକ ଅଫିସକୁ ଦୌଡି ଦୌଡି ନୟାନ୍ତ ହେଲେଣି। ବର୍ଷ ବର୍ଷ ଧରି ସରକାରୀ ଅଧିକାରୀଙ୍କୁ ନେହୁରା ହେଉଛନ୍ତି। ହେଲେ ଏଯାଏଁ ଭତ୍ତାର ନାଁ ଗନ୍ଧ ନାହିଁ। କ୍ଷୋଭ ଭରା କଣ୍ଠରେ ଅଭିଯୋଗ କରୁଛନ୍ତି, ଭତ୍ତା ପାଇଁ ଲାଂଚ ମଗାଯାଉଛି। ଏ ବୟସରେ ଯଦି ନମିଳିଲା, ସରକାର କଣ ମଲା ପରେ ଭତ୍ତା ଦେବେ ବୋଲି ପ୍ରଶ୍ନ କରିଛନ୍ତି ସେମାନେ। 

୪୦ ଡିଗ୍ରୀ ଖରାରେ ଖଲ୍ଲିକୋଟ ବିଡିଓଙ୍କୁ ଭତ୍ତା ଟଙ୍କା ପାଇଁ ଅଭିଯୋଗ କରିବାକୁ ଆସିଛନ୍ତି ଝରପଲ୍ଲୀ ଗାଁର ସୋମନାଥ ପ୍ରଧାନ l ବୟସ ୮୦ ପାଖେଇଲାଣି। ଥରଥର କଣ୍ଠରେ କହିଛନ୍ତି, ଆଗରୁ ଭତ୍ତା ମିଳୁଥିଲା, ହେଲେ ୭ ମାସ ହେଲା ଆଉ ମିଳୁନି। ବାକିପତ୍ର କରି ବଂଚୁଛନ୍ତି। ସେପଟେ ବାରମ୍ବାର ଲାଂଚ ଅଭିଯୋଗ ସାମ୍ନାକୁ ଆସିବା ପରେ ସ୍ବତନ୍ତ୍ର ଟିମ୍ ଗଠନ କରିଛନ୍ତି ବିଡିଓ। କହିଛନ୍ତି, ଲାଂଚ ମାଗିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ। 

Advertisment

ବାର୍ଦ୍ଧକ୍ୟ ବୟସରେ ଭତ୍ତା ପାଇଁ ହନ୍ତସନ୍ତ ହୋଇ ଶେଷରେ ମୃତ୍ୟୁକୁ ଅପେକ୍ଷା କରିଛନ୍ତି ନିଲା ଶୀଶା। ମାଲକାନଗିରି ଚିତ୍ରକୋଣ୍ଡା ବ୍ଳକ୍ ବଡ଼ପଦର ପଂଚାୟତ ଦାତୁନଗୋଡାରେ ରହୁଥିବା ନୀଲା, ଠିକରେ ଦେଖିପାରନ୍ତିନି କି ଶୁଣିପାରନ୍ତି ନାହିଁ। ପ୍ରାୟ ସବୁବେଳେ ଦେହ ଅସୁସ୍ଥ ରହୁଛି। ଏଭଳିସ୍ଥିତିରେ କେବଳ ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ହିଁ ବଂଚିବାର ଏକମାତ୍ର ରାହା। ହେଲେ ବିଡମ୍ବନାର ବିଷୟ ହେଉଛି ଯେ, ସରକାରଙ୍କ ସେହି ସୁବିଧା ଖଣ୍ଡିକ ହିଁ ତାଙ୍କ ପାଇଁ ଅପହଂଚ। ପୂର୍ବରୁ ୩ ମାସ ଭତ୍ତା ମିଳିଥିଲା। ଦିନେ ଗ୍ରାମସେବକ ଭତ୍ତା କାର୍ଡ ମାଗି ନେଇ ଆଉ ଫେରାଇ ନାହାଁନ୍ତି। ସେବେଠୁ ଭତ୍ତା ବନ୍ଦ। 

ଗାଁର ଅର୍ଜୁନ ହନ୍ତାଳଙ୍କ ଅବସ୍ଥା ବି ସମାନ। ବାର୍ଦ୍ଧକ୍ୟ ରୋଗରେ ଆକ୍ରାନ୍ତ ଅର୍ଜୁନ ପୁରାପୁରି ପୁତୁରା ଉପରେ ନିର୍ଭରଶୀଳ। ଗ୍ରାମସେବକଙ୍କୁ ଭରସା କରି ଭତ୍ତା କାର୍ଡ ଦେଇଥିଲେ, ସେବେଠୁ ନା କାର୍ଡ ମିଳିଛି ନା ଭତ୍ତା ଟଙ୍କା। ଏନେଇ ଭିଏଲଡବ୍ଲୁ ଏବଂ ବିଡିଓଙ୍କୁ ଅଭିଯୋଗ ପରେ ବି ଫଳ ଶୂନ। ତେବେ ଏ ସଂପର୍କରେ ଚିତ୍ରକୋଣ୍ଡା ବିଡିଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। କେଉଁଠି କୁଜି ନେତା ଓ ଗ୍ରାମ ସେବକ ତ ଆଉ କେଉଁଠି ସରକାରୀ ଅଧିକାରୀଙ୍କ ଉଦାସୀନତା। ବୁଢା ବୁଢୀ ବୟସରେ ସରକାରୀ ସହାୟତା ପାଇଁ ଅନାଇ ରହିଛନ୍ତି ଅନେକ ହିତାଧିକାରୀ। ଏବେ ଅପେକ୍ଷା କେବେ ଏମାନଙ୍କୁ ଭତ୍ତା ମିଳୁଛି।

ରିପୋର୍ଟ: ରତ୍ନାକର ପ୍ରଧାନ

Old Age Pension
Advertisment
Advertisment