• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସ୍କୁଲ ଘର ତିଆରି ଚାଲିଛି ଯେ ଚାଲିଛି ସରିବାର ନା ଧରୁନି । ଆଉ ପାଠ ପଢିବାକୁ ବାରଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି ପିଲା । କେତେବେଳେ କାହା ଦୁଆରେ ତ ଆଉ କେତେବେଳେ କାହା ଘରେ ବସି ପିଲାଏ ପଢୁଛନ୍ତି ପାଠ । ଯାହାକୁ ନେଇ ତେଜିବାରେ ଲାଗିଲାଣି ଅସନ୍ତୋଷ ।

କୋରାପୁଟ୍‌ ଲମତାପୁଟ ଆମ୍ବପଡା ଗାଁରୁ ସାମ୍ନାକୁ ଯେଉଁ ଚିତ୍ର ଆସିଛି ତାହା ଚିନ୍ତା ବଢାଇବା ସହିତ ରାଜ୍ୟରେ କେମିତି ଶିକ୍ଷା ବ୍ୟବସ୍ଥା ଚାଲିଛି ତାହାର ଗୁମର ଖୋଲି ଦେଇଛି । ବିଦ୍ୟାଳୟ ପାଇଁ ଗୃହ ନାହିଁ ...ସେଇଥି ଲାଗି ତ ପର ଘର ବାରଣ୍ଡାରେ ଚାଲିଛି ପିଲାଙ୍କ ପାଠପଢା । ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ଅବହେଳା ଯୋଗୁଁ ଏବେ ଅଧା ବାଟରେ ଅଟକିରହିଛି ବିଦ୍ୟାଳୟ ନିର୍ମାଣ କାମ । ପିଲାଙ୍କ ଭବିଷ୍ୟତ ପାଇଁ ଗାଁ ଲୋକଙ୍କ ସହାୟତାରେ ଘର ବାରଣ୍ଡାରେ ବସି ପିଲାଙ୍କୁ ପାଠ ପଢାଯାଉଛି । ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ ।

କୋରାପୁଟ ଲମତାପୁଟ ଆମ୍ବପଡା ପ୍ରାଥମିକ ବିଦ୍ୟାଳୟ । ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପିଲା ପାଠ ପଢନ୍ତି । ନୂଆ ସ୍କୁଲ ତିଆରି ହେବ ବୋଲି ୬ ମାସ ହେଲାଣି ପୁରୁଣା କୋଠାକୁ ଭାଙ୍ଗି ଦେଇଛନ୍ତି ଠିକାଦାର । ହେଲେ କୋଠା ସରିବାର ନା ଧରୁନି ...ତେଣୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ପିଲା ।

ବିଦ୍ୟାଳୟ ଅସୁବିଧା ଓ ପିଲାଙ୍କ ସମସ୍ୟା ସମ୍ପର୍କରେ ସରପଞ୍ଚ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି କାମ ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି । ଗାଁ ଲୋକଙ୍କ ଅଭିଯୋଗ ନେଇ ଲମତାପୁଟ ବ୍ଲକ ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ କହିଛନ୍ତି, ବିପଦ ସଂକୁଳ ଅବସ୍ଥାରେ ଆଜବେଷ୍ଟସ୍‌ ଘର ଥିବାରୁ ଭଙ୍ଗା ଯାଇଥିଲା ଏବଂ ବର୍ଷା ଋତୁ ଆରମ୍ଭ ପୂର୍ବରୁ କାମ ଆରମ୍ଭ ହୋଇଥିବାରୁ ସରିବାରେ ବିଳମ୍ବ ହେଉଛି । ପିଲାଙ୍କ ପାଠ ପଢାରେ ସମସ୍ୟା ଦେଖାଯାଉଥିବାରୁ ତୁରନ୍ତ ସ୍କୁଲ ଘର କାମ ସାରିବାକୁ ଦାବି ହେଉଛି ।

(ଲମତାପୁଟରୁ ଜଗତଜୀବନ କାଂଚିମଙ୍କ ରିପୋର୍ଟ)