• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପୁଣି ମନମାନି କରୁଛି ଟାଟାପାୱାର । ମନଇଚ୍ଛା ଲୋକଙ୍କର କାଟୁଛି ବିଦ୍ୟୁତ ସଂଯୋଗ । ବିଦ୍ୟୁତ ବିଲ ପୈଠ କରିନଥିବାରୁ ନିର୍ଦ୍ଧିଷ୍ଟ ସମୟ ଦେଉନି ବରଂ ହଠାତ୍‌ କାଟିଦେଉଛି ସଂଯୋଗ । ଆଉ ଲାଇନ୍‌ କଟିଯିବାରୁ ଏବେ ଅନ୍ଧାରରେ ଗାଁ ଲୋକେ ।

ନବରଙ୍ଗପୁର ସିରସୀ ପଂଚାୟତର କଦମଗୁଡା ଗାଁ । ଏଠାରେ ୧୦୦ ଅଧିକ ବିଜୁଳି ଉପଭୋକ୍ତା ଅଛନ୍ତି । ଗାଁରେ ଗୋଟିଏ ଟ୍ରାନ୍ସଫର୍ମର ବସିଥିବା ବେଳେ ସୌଭାଗ୍ୟ ଯୋଜନାରେ ବସିଥିବା ଟ୍ରାନ୍ସଫର୍ମର ଚାର୍ଜ ହୋଇନି । ତେଣୁ ଉପଭୋକ୍ତାମାନେ ବିଜୁଳି ପାଇବାରୁ ବଂଚିତ ହୋଇଛନ୍ତି । ଏମିତିକି ପୂରା ଗାଁ ଲୋ ଭୋଲଟେଜ୍‌ର ଶିକାର ହେଉଥିବା ନେଇ ଅଭିଯୋଗ କରିଛନ୍ତି ଗାଁ ଲୋକେ ।

ବାରମ୍ବାର ଏନେଇ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ସହିତ ସଠିକ୍‌ ସମୟରେ ବିଲ ଦେଉଛୁ, ଭଲ ଲାଇନ୍ ଦିଅ ବୋଲି କହିଥିଲେ ଗାଁ ଲୋକେ । ଏମିତିକି ହାଇ ଭୋଲଟେଜ୍‌ ବିଜୁଳି ମିଳିବା ପରେ ହିଁ ବକେୟା ଟଙ୍କା ଦିଆଯିବ ବୋଲି କହିଥିଲେ ଗାଁ ଲୋକେ । କିନ୍ତୁ ବକେୟା ଟଙ୍କା ନପାଇବାରୁ ଗାଁରୁ ବିଜୁଳି ସଂଯୋଗ କାଟିଦେଇଛି ଟାଟା ପାୱାର । ବିଜୁଳି ସଂଯୋଗ କଟିବା ପରେ ଏବେ ପୂରା ଅନ୍ଧାରରେ ଗାଁ ଲୋକେ ।

ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ଗୁଡିକର ଓ ମୁଷ୍ଟିମେୟ ଲୋକଙ୍କ ବିଦ୍ୟୁତ ବିଲ ଢେର ଅଧିକା ରହିଥିଲେ ମଧ୍ୟ ସେମାନଙ୍କ ବିଦ୍ୟୁତ ବିଚ୍ଛିନ୍ନ କରୁନଥିବା ବେଳେ ଟାଟା ପାୱାର, କେବଳ ଗରିବ ଲୋକଙ୍କ ଉପରେ ଦାଉଁ ସାଧୁଥିବା ଅଭିଯୋଗ ଆଣିଛନ୍ତି l ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ -TPSODLର ଅନଲାଇନ ତଥ୍ୟ ଅନୁଯାଇ ପାପଡାହାଣ୍ଡି ତହସିଲ କାର୍ଯ୍ୟାଳୟ ରେ ଗତ ମାର୍ଚ୍ଚ ମାସ ସୁଦ୍ଧା ୧, ୩୪, ୯୩୦ ଟଙ୍କା ବକେୟା ରହିଥିବା ବେଳେ ମୃଗ ବିହାରରେ ୩୫, ୬୬୧ ଟଙ୍କା, ସିରସୀ ପଞ୍ଚାୟତ କାର୍ଯ୍ୟାଳୟରେ ୯୭୭୪ ଟଙ୍କା ଓ ମୋକିଆ ସ୍ଥିତ SBI କାର୍ଯ୍ୟାଳୟରେ ୯୮୨୫୬ ଟଙ୍କା ବକେୟା ରହିଛି l ହେଲେ ସେମାନଙ୍କୁ ଟଙ୍କା ମାଗୁନି ବରଂ ଗାଁ ଲୋକଙ୍କୁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି ।

ଏମିତିକି ଗାଁ ଲୋକ ଚେତାବନୀ ଦେଇ କହିଛନ୍ତି, ଯଦି ସେମାନଙ୍କ ଦାବି ପୂରଣ ନହେବ ତେବେ ଆଗାମୀ ଦିନରେ ଏସଡ଼ିଓଙ୍କ କାର୍ଯ୍ୟାଳୟରେ ତାଲା ପଡ଼ିବ । ଅନ୍ୟପଟେ ନବରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟର ACF ଧନୁର୍ଜୟ ମହାପାତ୍ର କିନ୍ତୁ ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଗାଁ ଲୋକଙ୍କ ଅଭିଯୋଗକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଦ୍ୟୁତ ବିଭାଗର SDO । କହିଛନ୍ତି ଆମକୁ ଉପର ସ୍ତରରୁ ନିର୍ଦ୍ଦେଶ ରହିଛି, ମାର୍ଚ୍ଚ ମାସ ବିଲ୍‌ ପୈଠ ନକଲେ ବିଦ୍ୟୁତ୍ ବିଚ୍ଛିନ୍ନ କରିବା ପାଇଁ । ତେବେ ଦେଖାଯାଉ କେବେ ପୁଣି ଥରେ ବିଜୁଳି ପାଉଛନ୍ତି ଗାଁ ଲୋକେ ।

(ନବରଙ୍ଗପୁରରୁ ନବଘନ ବିଷୋୟୀଙ୍କ ରିପୋର୍ଟ)