• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କମିଶନରେଟ୍ ପୋଲିସ ଏବେ ଆପଣାଇଛି ଶୂନ୍ୟ ସହନଶୀଳ ନୀତି । ଅର୍ଥାତ ଆଉ ଜରିମାନା କି ଥାନାରୁ ଜାମିନ୍ ବ୍ୟବସ୍ଥା ନାହିଁ । ସିଧା ଗିରଫ କରି ଜେଲ୍ ପଠାଉଛି କମିଶନରେଟ୍ ପୋଲିସ । ପୂର୍ବରୁ ମଦ୍ୟପ ଟୁ ହ୍ବିଲର ଚାଳକଙ୍କ ବିରୋଧରେ ପୋଲିସ ଏହି ନୀତି ଲାଗୁ କରିଥିଲା । କିନ୍ତୁ, ମାସେ ହେଲା କାର୍ ଚାଳକଙ୍କ ବିରୋଧରେ ଧରପଗଡ଼କୁ ଜୋରଦାର କରିବା ସହ ଶହେରୁ ଅଧିକ ମଦ୍ୟପ ଡ୍ରାଇଭରଙ୍କୁ ସିଧା ଜେଲ୍ ପଠାଇଛି ପୋଲିସ । 

ଟୁଇନସିଟିର ମଦ୍ୟପ ଗାଡ଼ି ଚାଳକ ଏଣିକି ସାବଧାନ ! ଧରାପଡ଼ିଲେ ଆଉ କେବଳ ୱାର୍ଣ୍ଣିଂ କିମ୍ବା ଫାଇନ୍ ଆଦାୟ କରି ଛାଡୁନି କମିଶନରେଟ୍ ପୋଲିସ, ବରଂ ସିଧା ଜେଲ୍ ପଠାଇ ଦେଉଛି । ଦାମୀ ଗାଡ଼ି ଚଳାଉଥିବା କୌଣସି ବଡ଼ ବଡ଼ିଆ ହୁଅନ୍ତୁ ଅବା ଟ୍ୟାକ୍ସି ଚାଳକ। ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ଧରାପଡ଼ିଲେ ଏଭଳି କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ ।

ଗତ କାଲି ରାତିରେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଚେକିଂବେଳେ ଧରାପଡ଼ିଛନ୍ତି ୨୭ ଜଣ ମଦ୍ୟପ ଡ୍ରାଇଭର । ତା’ମଧ୍ୟରୁ ୧୦ ଜଣଙ୍କୁ ପୋଲିସ ଜାମିନରେ ଛାଡ଼ିଥିବାବେଳେ ୧୫ ଜଣଙ୍କ ବିରୋଧରେ ହୋଇଛି ମାମଲା ରୁଜୁ । ଯେଉଁଥିରେ ରହିଛନ୍ତି, ବହୁ ନାମୀ ଦାମୀ ଗାଡ଼ିର ମାଲିକ ଓ ଡ୍ରାଇଭର। ଆଗକୁ ଟୁଇନସିଟିରେ ଏହି ଅଭିଯାନ ଜୋରଦାର ହେବ ବୋଲି କହିଛନ୍ତି ପୋଲିସ କମିଶନର୍ ।

 ତଥ୍ୟ ଅନୁସାରେ, ଗତ ଫେବୃଆରୀରେ କେବଳ ଭୁବନେଶ୍ବରରେ ହିଁ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ଅଭିଯାନରେ ୩୩୨ଟି କାରକୁ ଜବତ କରିଛି କମିଶନରେଟ୍ ପୋଲିସ । ତା’ସହ ଶହେ ଜଣଙ୍କ ବିରୋଧରେ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି । ଅନେକ ମଦ୍ୟପ ଡ୍ରାଇଭରଙ୍କର ଡ୍ରାଇଭିଂ ଲାଇସେନ୍ସ ୬ ମାସ ପାଇଁ ରଦ୍ଦ ବି କରାଯାଇଛି ।

ଫେବୃୟାରୀରେ ୩୩୨ଟି କାର ଜବତ ସହ ଶହେ ଜଣଙ୍କ ବିରୋଧରେ ମାମଲା ରୁଜୁ ଘଟଣା, ଗତ ବର୍ଷକ ଭିତରେ ସର୍ବାଧିକ ବୋଲି କହିଛି ପୋଲିସ । ପ୍ରଥମ ଥର ଧରାପଡ଼ିଲେ ୬ ମାସ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ସହ ଗାଡି ଜବତ, ପୁଣି ଧରାପଡ଼ିଲେ ଡ୍ରାଇଭରଙ୍କୁ ସିଧା ଜେଲ୍ ସହ ରଦ୍ଦ ହେଉଛି ଡିଏଲ । ଏହାପରେ ତୃତୀୟ ଥର ପାଇଁ ଧରାପଡ଼ିଲେ ଗାଡିର ପଞ୍ଜୀକରଣ ବାତିଲ ସହ ଆଜୀବନ ଦିଆଯିବନି ଡ୍ରାଇଭିଂ ଲାଇସେନ୍ସ । 

ପୂର୍ବରୁ ମଦ୍ୟପ ବାଇକ୍ ଚାଳକଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଉଥିଲାପୋଲିସ । ଏଥର କାର୍ ଓ ଟ୍ୟାକ୍ସିଂ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି । ଟ୍ରାଫିକ ସିଗ୍ନାଲ୍ ଅବମାନନା, ରଙ୍ଗ ରୁଟ୍‌ରେ ଗାଡ଼ି ଚାଳନା, ଗାଡ଼ି ଚଲାଇବାବେଳେ ମୋବାଇଲ ବ୍ୟବହାର ଉପରେ ବି ଟ୍ରାଫିକ୍ ପୋଲିସ ଆକ୍ସନ ନେଉଛି । ତେବେ କ’ଣ, କେବଳ ମଦ୍ୟପ ଡ୍ରାଇଭରଙ୍କୁ ବାନ୍ଧିଦେଲେ ଥମିବ କି ସଡ଼କ ଦୁର୍ଘଟଣା ? ବଢ଼ୁଥିବା ଦୁର୍ଘଟଣା ପଛର ଅନୁନ୍ନତ ଭିତ୍ତିଭୂମିର ବିକାଶ ହେବ କେବେ ? ପ୍ରତିଦିନ ଚିନ୍ତା ବଢ଼ାଉଥିବା ଟୁଇନ୍‌ସିଟିର ଟ୍ରାଫିକ୍ ସମସ୍ୟା ପ୍ରତି ବି କମିଶନରେଟ୍ ପୋଲିସ ଦୃଷ୍ଟି ଦେବ କି ? 

  • Reported by:
  • BIBARTAN PANDA , CHANDAN PAIKRAY