• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚିଣ୍ଡା(ଦେବେନ୍ଦ୍ର ବେହେରା) : ସଜନା ଚାଷ କରିଛି ସ୍ୱାବଲମ୍ବୀ । ଯେଉଁଠି ପାଣି ବିନା ଦୁବ କଅଁଳିବା ଅସମ୍ଭବ, ସେଠାରୁ ରୋଜଗାର କରି ପରିବାର ପୋଷୁଛନ୍ତି ।  ଅଦମ୍ୟ ଇଚ୍ଛାଶକ୍ତି ଆଉ କଠିନ ପରିଶ୍ରମ ରୋଜଗାର ଯୋଗାଇବାର ଏକମାତ୍ର ମୂଳମନ୍ତ୍ର ସାଜିଛି । ବାଲିଆ ମାଟି, ପାଣି ନାହିଁ । ଦୂର ପୋଖରୀରୁ ଡାଲା ଅଟୋରୁ ପାଣି ଆଣି ନିଜ ଛୋଟ ବଗିଚାରେ ସୁନାର ଫସଲ ଫଳାଇଛନ୍ତି ଯୁବଚାଷୀ ତପନ ସାହୁ ।  ପାଣି ବିନା ଗଛ ବଞ୍ଚାଇବା କଷ୍ଟକର ହେଉଥିଲେ ବି ବାଲିଆ ମାଟିରେ ସଜନା ଛୁଇଁ ସହ କାଜୁ, ଆମ୍ବ ଓ ଡାଲିମ୍ବ ଆଦି ଲଗାଇ ଭଲ ରୋଜଗାର କରୁଥିବା ସହ ଅନ୍ୟ ଯୁବ ଚାଷୀଙ୍କୁ ପ୍ରେରଣା ଯୋଗାଉଛନ୍ତି । ତେବେ ବଗିଚା ନିକଟରେ ପାଣିର ସ୍ରୋତ ନଥିବାରୁ ସୁବିଧା କରାଇ ଦେବାକୁ ନିବେଦନ କରିଛନ୍ତି ଚାଷୀ ପରିବାର ।

ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ମାଲିଡିହି ତପନ ସାହୁ । ୨ ଏକର ଜମିରେ ମଧ୍ୟପ୍ରଦେଶରୁ ସଜନା, କାଜୁ, ଆମ୍ବ ଓ ଡାଲିମ୍ବ ଚାରା ଆଣି ଲଗାଇଛନ୍ତି । ଏବେ ୪ ବର୍ଷ ହେବ ସଜନା ଛୁଇଁ ବାହାରୁଥିବା ବେଲେ ବର୍ଷକୁ ଅନ୍ୟାନ୍ୟ ପରିବା ବିକ୍ରି କରି ପାଖାପାଖି ଅଢେଇ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ବଗିଚାରୁ ଏବେ  ସଜନା ଛୁଇଁ ଉତ୍ପାଦନ ହେଉଛି । ବଗିଚାରୁ ପ୍ରତ୍ୟେକ ଦିନ ୩୦/ ୪୦ କେଜିରୁ ଆରମ୍ଭ କରି ୧କ୍ୟିଣ୍ଟାଲ ପର୍ଯ୍ୟନ୍ତ ଛୁଇଁ ଉତ୍ପାଦନ ହେଉଛି ।

ବଜାରରେ ଏହାର ଚାହିଦା ରହିଥିବା ବେଲେ ବେପାରୀଙ୍କୁ ବିକ୍ରି କଲେ କେଜି ପ୍ରତି ୪୦ ଟଙ୍କା ଏବଂ ଖୋଲା ବଜାରରେ ବିକ୍ରି କଲେ କେଜି ପ୍ରତି ୬୦ ଟଙ୍କାରେ ବିକ୍ରି କରି ଭଲ ରୋଜଗାର କରୁଛନ୍ତି ଯୁବ ଚାଷୀ ତପନ । ୩ ଝିଅ ଓ ସ୍ତ୍ରୀ ପାଣି ଦେବା ଛୁଇଁ ତୋଳିବା ଆଦି କାମରେ ସହଯୋଗ କରନ୍ତି । ପରିବାର ପ୍ରତିପୋଷଣ ସହ ପିଳାଙ୍କ ପାଠପଢା ପାଇଁ ତାଙ୍କର ଛୋଟ ବଗିଚାଟି ‍ଖୁବ ସହାୟକ ହୋଇଛି  । ଅନ୍ୟପଟେ ଗତ ବର୍ଷ କାଜୁ ମଞ୍ଜି ୪ କ୍ୟିଣ୍ଟାଲ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିଛନ୍ତି ।

ପାଣି ସୁବିଧା ନଥିଲେ ବି ବଗିଚାରେ ୧ଶହ ସଜନା, ୪୦ କାଜୁ, ୧ଶହ ଆମ୍ବ ଓ ୨୦ ଟି ଡାଲିମ୍ବ ଗଛ ଲଗାଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ତପନ । ଅଦମ୍ୟ ଇଚ୍ଛା ଆଗରେ ସମସ୍ତ ପ୍ରତିକୂଳ ପରିସ୍ଥିତି ତୁଚ୍ଛ ହୋଇପଡ଼ିଛି ।  ହେଲେ ପ୍ରତ୍ୟେକ ଦିନ ଟେମ୍ପୁରେ ପୋଖରୀରୁ ପାଣି ଆଣି ବାଲଟି ବାଲଟି ଦେବା କଷ୍ଟ ସାଧ୍ୟ ହୋଇପଡ଼ୁଛି । ଜଳ ଯୋଗାଣର ବ୍ୟବସ୍ଥା କରାଗଲେ ଚାଷୀ ଆହୁରି ଲାଭବାନ ହୋଇପାରନ୍ତେ ବୋଲି କହିଛନ୍ତି ।