• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୧୦ ଦଫା ଦାବି ପୂରଣ ପାଇଁ ବାରମ୍ବାର ପ୍ରତିଶ୍ରୁତି ଦେଇ ରାଜ୍ୟ ସରକାର ଠକିଥିବା ଅଭିଯୋଗରେ ଆଜି ରାଜ୍ୟବ୍ୟାପୀ ରାସ୍ତାକୁ ଓହ୍ଲାଇ ଗର୍ଜିଛନ୍ତି ଡ୍ରାଇଭର। ସଂଘ କହିଛି ସରକାର ଆମ କଥା ନଶୁଣିବା ଯାଏଁ ଆନ୍ଦୋଳନ ଅନିର୍ଦ୍ଦିଷ୍ଟକାଳ ଯାଏଁ ଚାଲିବ। ଡ୍ରାଇଭରଙ୍କ ଧର୍ମଘଟର ପ୍ରଭାବ ଚାରିଆଡ଼େ ପଡ଼ିଥିବାବେଳେ  ପରିବହନ ମନ୍ତ୍ରୀ କହିଛନ୍ତି- ସରକାର ଆଲୋଚନା ପାଇଁ ପ୍ରସ୍ତୁତ, ଏକ ହାଇଲେବଲ କମିଟି ଗଠନ କରି ସେମାନଙ୍କ ଦାବିର ତର୍ଜମା ହେଉଛି ।

ଗାଡ଼ି ଛାଡ଼ି ଗର୍ଜନ, ହଲ୍ଲାବୋଲ୍ ଏବଂ ହଳଦିଆ ନମ୍ବରପ୍ଲେଟ୍ ଗାଡ଼ିକୁ ଟାର୍ଗେଟ୍ । ୧୦ ଦଫା ଦାବିରେ ସାରା ରାଜ୍ୟରେ ଆଜି ଏମିତି ଢଙ୍ଗରେ ଆନ୍ଦୋଳନକୁ ଓହ୍ଲାଇ ପ୍ରତିବାଦ କରିଛି ଓଡ଼ିଶା ଡ୍ରାଇଭର ମହାସଂଘ । ଭୁବନେଶ୍ୱରରୁ ବାରିପଦା, ସୋନପୁରରୁ ସମ୍ବଲପୁରର, ସବୁଠି ଷ୍ଟିୟରିଂ ଛାଡି ଗର୍ଜିଛନ୍ତି ହଜାର ହଜାର ସଂଖ୍ୟାରେ ଡ୍ରାଇଭର ।

ବହୁ ସ୍ଥାନରେ ଜାତୀୟ ରାଜପଥ ଉପରେ ଧାରଣା ଦେବାରୁ ଗାଡ଼ି ଚଳାଚଳରେ ବାଧା ଉପୁଜିଥିଲା । ଡ୍ରାଇଭର କଲ୍ୟାଣ ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ବୀମା, ପେନ୍‌ସନ୍ ଓ ରାଜପଥର ବିଭିନ୍ନ ସ୍ଥାନରେ ବିଶ୍ରାମାଗାର ସହ ଶୌଚାଳୟ ବ୍ୟବସ୍ଥା ଭଳି ୧୦ଟି ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ଚେତାଇ ଦେଇଛି ସଂଘ । ବାରମ୍ବାର ପ୍ରତିଶ୍ରୁତି ଦେଇ ରାଜ୍ୟ ସରକାର ଠକୁଥିବାରୁ ଦରକାର ପଡ଼ିଲେ ପିଲା-ଛୁଆ ଧରି ରାସ୍ତାକୁ ଓହ୍ଲାଇବାକୁ ପଛାଇବେନି ବୋଲି ବି ଧମକ ଦେଇଛନ୍ତି ଧାରଣାରତ ଡ୍ରାଇଭର ।

ତେବେ ଡ୍ରାଇଭରଙ୍କ ଧର୍ମଘଟବେଳେ ଆଜି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ଗାନ୍ଧିଗିରିର କିଛି ରୋଚକ ଚିତ୍ର । ବିଶେଷକରି ବାଣିଜ୍ୟିକ ଗାଡ଼ି ଚଲାଉଥିବା
ଡ୍ରାଇଭରଙ୍କୁ ଅଟକାଇ ଆନ୍ଦୋଳନରେ ସାମିଲ ହେବାକୁ ବୁଝାଇଥିଲେ ଓ ଅଭିନବ ଢଙ୍ଗରେ ଚର୍ଚ୍ଚା ବି କରିଥିଲେ। ରାଜଧାନୀ ଉପକଣ୍ଠ ତମାଣ୍ଡୋ ରାଜପଥରେ ଜଣେ କାର୍ ଡ୍ରାଇଭରଙ୍କୁ ଘେରିଯାଇ ଆନ୍ଦୋଳନକାରୀ ଫୁଲମାଳ ପିନ୍ଧାଇଥିଲେ । ସେହିପରି ଜଣେ ପାସେଞ୍ଜର ଅଟୋ ଡ୍ରାଇଭରଙ୍କୁ ବି ମାଳ ପିନ୍ଧାଇ ଗୋଡ଼ତଳେ ମୁଣ୍ଡିଆ ମାରିଥିଲେ ।

ସେମିତି ଢେଙ୍କାନାଳରେ ଏକ କ୍ଷୀର ଗାଡି ଡ୍ରାଇଭରଙ୍କୁ ଫୁଲମାଳ ସହ ଚନ୍ଦନ ଟିକା ଲଗାଇଥିବାବେଳେ ସମ୍ବଲପୁରରେ ଡ୍ରାଇଭରଙ୍କ ବେକରେ ମାଳ ପକାଇ ହୋତ ଯୋଡ଼ି ନମସ୍କାର କରିଥିଲେ ଆନ୍ଦୋଳନକାରୀ ।

ସେପଟେ ସାଧାରଣ ଲୋକଙ୍କୁ ହଇରାଣରେ ପକାଇ ଆନ୍ଦୋଳନକୁ ଓହ୍ଲାଇଥିବା ଡ୍ରାଇଭର ସଂଘର ଏଭଳି କାର୍ଯ୍ୟକ୍ରମକୁ ବିରୋଧ କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ସଂଘର ସଂପାଦକ କହିଛନ୍ତି ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଉଥିବାବେଳେ ଏଭଳି ଆଚରଣ ଅଶୋଭନୀୟ। ଡ୍ରାଇଭର ସଂଘ ପୂର୍ବରୁ ସେମାନଙ୍କୁ କୌଣସି ପ୍ରକାର ଦାବି ଜଣାଇନାହାନ୍ତି।

ତେଣେ ଡ୍ରାଇଭର ସଙ୍ଘର ଷ୍ଟିୟରିଂ ଛାଡ଼ ଧର୍ମଘଟ ଉପରେ ପ୍ରତିକ୍ରିୟା ରଖି ପରିବହନମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ସେମାନଙ୍କ ଦାବି ନେଇ ବିଭାଗ ପକ୍ଷରୁ 
ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ପରିବହନ ସଚିବ ଉଷା ପାଢୀ ବି  ସମାନ କଥା କହିବା ସହ ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହେବ ଓ ସେଥିପାଇଁ ଆମେ ପ୍ରସ୍ତୁତ ବୋଲି କହିଛନ୍ତି।

ଏବେ ଅପେକ୍ଷା କେତେଶୀଘ୍ର ଓଡ଼ିଶା ଡ୍ରାଇଭର ମହାସଂଘ ସରକାରଙ୍କ ସହ ଆଲୋଚନାକୁ ଆସୁଛି ଓ ଧର୍ମଘଟ ପ୍ରତ୍ୟାହାର ହେଉଛି ।

OTV is now on Whatsapp

Join and get latest news update delivered to you via whatsapp

Join Now