• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଖରା ଦିନ ଆସିଲା ଏବେ ଗାଁ ଗାଁରେ ଲୋକଙ୍କୁ ପିଇବା ପାଣି ଚିନ୍ତା l କେଉଁଠି ନଳକୂପରୁ ଗୋଳିଆ ପାଣି ବାହାରୁଛି ତ ଆଉ କେଉଁଠି ଷ୍ଟାଣ୍ଡପୋଷ୍ଟ ଥାଇ ଆସୁନି ପାନୀୟ ଜଳ । ଆଉ ଯେଉଁଠି ବି ପାନୀୟ ଜଳ ମିଳୁଛି, ସେଠାରେ ଲମ୍ବା ଲାଇନ୍‌ ଲାଗିଥିବାର ଦେଖିବାକୁ ମିଳିଛି । କେମିତି ପାଣି ନେଇ ଘରକୁ ଯିବେ ସେହି ଚିନ୍ତାରେ ଟାଣ ଖରାରେ ମଧ୍ୟ ଗରା, ବାଲଟି, ମାଠିଆ ଧରି ନଳକୂଅ ଆଗରେ ମହିଳାମାନେ ଛିଡା ହୋଇଛନ୍ତି । ପାଟଣାଗଡ ବ୍ଲକ ମରୁଆ ପଞ୍ଚାୟତ ପଣ୍ଡରିପାଣି ମହୁଲପଡାରୁ ସାମ୍ନାକୁ ଆସିଛି ଏହି ଘଟଣା ।

ମହୁଲପଡାରେ ପାଖାପାଖି ୨ଶହ ଲୋକ ବସବାସ କରୁଛନ୍ତି । ହେଲେ ଗାଁରେ ମୋଟ ୨ଟା ନଳକୂଅ ରହିଛି । ଗୋଟିକରୁ ନାଲିଆ ମଇଳା ପାଣି ବାହାରୁଛି ଯାହା ପାନୀୟ ଉପଯୋଗୀ ନୁହେଁ ତେଣୁ ଗ୍ରାମବାସୀ ଆଉ ଅନ୍ୟ ନଳକୂଅ ଉପରେ ନିର୍ଭର କରି ଚଳୁଛନ୍ତି । ହେଲେ ଏନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ସତ୍ତ୍ୱେ ସମସ୍ୟାର ସମାଧାନ ପାଇଁ କାହାରି ଆନ୍ତରିକତା ନଥିବା କହିଛନ୍ତି ସ୍ଥାନୀୟ ଲୋକେ ।

ଗୋଟେ ପଟେ ନଳକୂପ ନିକଟରେ ଲମ୍ବା ଲାଇନ୍ ପିଇବା ପାଣି ଘରକୁ ନେବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ।ଅନ୍ୟ ପଟେ ଗାଁରେ ରହିଥିବା ଷ୍ଟାଣ୍ଡପୋଷ୍ଟ ଗୁଡିକ ସବୁ ଅଚଳ ହୋଇ ପଡିଛି ।

ଗତ ତିନି ବର୍ଷ ହେବ ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ କୁଣ୍ଡାବୁଟଲା ଗାଁରେ ପିଇବା ପାଣି ସମସ୍ୟା ଲାଗିରହିଛି । ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପକ୍ଷରୁ ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷ ଲକ୍ଷ ଟଙ୍କାର ପମ୍ପ ହାଉସ ନିର୍ମାଣ ହୋଇଛି । ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ବାଦିଛକା, ପଲସଖଣ୍ଡ ଓ କୁଣ୍ଡାବୁଟଲା ଗାଁରେ ତିଆରି ହୋଇଛି ଷ୍ଟାଣ୍ଡ ପୋଷ୍ଟ l ହେଲେ ସବୁ ଭାଙ୍ଗିରୁଜି ଯାଇଛି । ତେଣୁ ଅଢେଇ ହଜାର ଲୋକେ ଏବେ କେବଳ ୪ଟି ନଳକୂଅକୁ ଭରସା କରି ରହିଛନ୍ତି । ବାରମ୍ବରା ଅଭିଯୋଗ ସତ୍ତ୍ୱେ ଫଳ ଶୂନ ବୋଲି କହିଛନ୍ତି ଗ୍ରାମବାସୀ ।