• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିଶୁଦ୍ଧ ପାନୀୟ ଜଳ ପାଇଁ ହନ୍ତସନ୍ତ ଲୋକେ । କେଉଁଠି ରାସ୍ତା କଡରେ ପାଇପ୍ ପଡ଼ିଛି ତ ଆଉ କେଉଁଠି ଅଧାଗଢା ପାଣିଟାଙ୍କି ଅଧପନ୍ତରିଆ ଭାବେ ପଡ଼ିଛି । ପୁରୀ କୃଷ୍ଣପ୍ରସାଦ ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।

ସୂଚନା ଅନୁସାରେ, ୨୦୧୮ ମସିହାରେ ବସୁଧା ଯୋଜନାରେ ପୁରୀ ଓ ଗଂଜାମ ଜିଲ୍ଲାର ୧୪୭ଟି ଗାଁକୁ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ସ୍ଥାପନ ହୋଇଥିଲା । ଭିତ୍ତିପ୍ରସ୍ତର ପରେ କାମ ମଧ୍ୟ ଆରମ୍ଭ ହୋଇଥିଲା ହେଲେ ଏଯାଏଁ ତାହା ସରି ପାରିନି । ଫଳରେ ଦୀର୍ଘ ବର୍ଷରୁ ପାଣି ପାଇଁ ଘାଣ୍ଟି ହେଉଛନ୍ତି ଲୋକେ ।

ବଡଝାଡ ଗୋବରଧୁଳି ଓ ଜହ୍ନବୁଡି ଗ୍ରାମବାସୀ ଗାଁଠୁ ତିନି କିଲୋମିଟର ଦୂରରେ ଥିବା ଏକ ପରିତ୍ୟକ୍ତ କୂଅରୁ କଷ୍ଟମଷ୍ଟେ ପାଣି କାଢ଼ି ପିଇବା ପାଣି ମୁନ୍ଦାଏ ପାଇଁ ସଂଘର୍ଷ କରୁଛନ୍ତି । ଏମିତିକି କିଏ ଚାଚି ଚାଲି ତ କିଏ ସାଇକେଲରେ ଘରକୁ ପାଣି ବୋହି ନେଉଛନ୍ତି । ଏହି ପାଣି ଦୂଷିତ ହୋଇଥିଲେ ବି ଅନ୍ୟ କିଛି ବିକଳ୍ପ ନଥିବାରୁ ବାଧ୍ୟ ହୋଇ ଏହାକୁ ଛାଣି ପିଇବାକୁ ପଡୁଛି ।

ପାଣି ସମସ୍ୟାକୁ ନେଇ ଗାଁ ଲୋକେ ବାରମ୍ବାର ପ୍ରଶାସନକୁ ଜଣାଇଛନ୍ତି ହେଲେ ମଧ୍ୟ ଏଯାଏଁ ସମସ୍ୟାର ସମାଧାନ ହୋଇପାରିନି ।

ଅନ୍ୟପକ୍ଷେ, ଏନେଇ ବିଡିଓଙ୍କ କହିଛନ୍ତି ଯେ, ଏହି ସମସ୍ୟା ନେଇ ସେ ଅବଗତ ଅଛନ୍ତି ପଞ୍ଚାୟତ ଏବଂ RWSS ଦ୍ୱାରା ଲୋକଙ୍କୁ ପାଣି ଯୋଗାଇ ଦିଆଯାଉଛି । ପ୍ରକଳ୍ପ କାମ ଶେଷ ହେଲେ ସମସ୍ୟାର ସମାଧାନ ହୋଇଯିବ ।