• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ

  • ସମସ୍ୟାର ଶୀଘ୍ର ସମାଧାନ ପାଇଁ ଦାବି କଲେ ଗାଁ ଲୋକେ 

କୋରାପୁଟ : ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ମୁଖ୍ୟାଳୟର ବ୍ରାହ୍ମଣିପୁଟ ଗାଁର ଲୋକେ । ଗାଁରେ ଜଳ ଯୋଗାଣ ପାଇଁ ନିର୍ମାଣ ହୋଇଛି ବିଭିନ୍ନ ପ୍ରକଳ୍ପ । ଏମିତି କି ଘରେ ଘରେ ପିଇବା ପାଣି ପାଇଁ ପାଇପ ମଧ୍ୟ ସଂଯୋଗ କରାଯାଇଛି । ହେଲେ ଏବେ ସବୁ ଅଚଳ ଅବସ୍ଥାରେ ପଡିରହିଛି । ସକାଳ ହେଲେ ଗାଁ ଲୋକଙ୍କୁ ଘାରୁଛି ପିଇବା ପାଣି ଚିନ୍ତା ।

ଗାଁରେ ଷ୍ଟାଣ୍ଡ ପୋଷ୍ଟ ଅଛି, ହେଲେ ପାଣି ଆସୁନି । ବିଶୁଦ୍ଧ ପାଣି ପାଇଁ ଘରକୁ ପାଣି ପାଇପ ସଂଯୋଗ କରାଯାଇଛି । ହେଲେ ଗ୍ରାମବାସୀଙ୍କୁ ପାଣି ପାଇଁ ନଳକୂପ ଉପରେ ନିର୍ଭର କରିବାକୁ ପଡୁଛି । ପ୍ରତିଦିନ ସକାଳ ହେଲେ ବ୍ରାହ୍ମଣିପୁଟ ଗାଁର ଗ୍ରାମବାସୀଙ୍କୁ ଘାରେ ପିଇବା ପାଣିର ଚିନ୍ତା । ଗାଁରେ ୨ଶହରୁ ଅଧିକ ପରିବାର ବସବାସ କରୁଥିବା ବେଳେ ପାନୀୟ ଜଳ ଲାଗି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମବାସୀଙ୍କ ଜଳ ସମସ୍ୟାର ସମାଧାନ ପାଇଁ ୭୫ ଲକ୍ଷ ଟଙ୍କା ଅନୁଦାନରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା ।

ହେଲେ ଏହି ପ୍ରକଳ୍ପ ଗ୍ରାମବାସୀଙ୍କ ଦୁଖକୁ ଦୂର କରିପାରି ନାହିଁ । ଲୋକେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ନଳକୂପର ଲୌହମିଶ୍ରିତ ପାଣି ପିଉଛନ୍ତି । ଗାଁରେ ମୋଟ ୪ଟି ନଳକୂପ ରହିଥିବାବେଳେ ସେଥିମଧ୍ୟରୁ ୨ଟି ନଳକୂପ ଅଚଳ ହୋଇ ପଡିରହିଛି । ବାକି ୨ଟି ନଳକୂପ ଉପରେ ହିଁ ଗ୍ରାମବାସୀମାନେ ନିର୍ଭର କରିଥାନ୍ତି । ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଡିଓ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଉକ୍ତ ସମସ୍ୟା ପ୍ରତି କାହାର ନିଘା ନାହିଁ । ତେବେ ଶୀଘ୍ର ସମସ୍ୟାର କୌଣସି ସମାଧାନ ନ କରାଗଲେ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ସେପଟେ କ୍ଷେତ୍ର ପରିଦର୍ଶନ କରି ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ କହିଛନ୍ତି ବିଭାଗୀୟ ଯନ୍ତ୍ରୀ ।