• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଡାକ୍ତରଙ୍କୁ ଲୋକେ ଭଗବାନର ଆଖ୍ୟା ଦେଇଥାନ୍ତି । ରୋଗୀକୁ ଭଲ କରିବା ପାଇଁ ଡାକ୍ତରଙ୍କ ଭୂମିକା କ’ଣ ତାହା ସମସ୍ତେ ଜାଣିଥିବେ । କିନ୍ତୁ ଡାକ୍ତର ଯଦି ନିଶାସକ୍ତ ଅବସ୍ଥାରେ ଚିକିତ୍ସା କରିବେ, ପରିଣାମ କଣ ଯେ ହେବ, ତାହା ବୋଧ ହୁଏ ସମସ୍ତେ ଜାଣିଥିବେ । ରୋଗୀଙ୍କୁ ଚିକିତ୍ସା କରିବା ମଧ୍ୟରେ ମଦ ପିଇ ତାହାର ଉପକାରିତା ବଖାଣୁଛନ୍ତି ଡାକ୍ତର । ଏଭଳି ଦୃଶ୍ୟ ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଭିଡିଓରେ ଡାକ୍ତର ଜଣକ ହେଉଛନ୍ତି ପ୍ରମୋଦ କୁମାର ପାଲ । ସରକାରୀ ଡାକ୍ତରବାବୁ ଜଣକ ରୋଗୀଙ୍କୁ ଚିକିତ୍ସା କରୁଥିବା ବେଳେ ଅନ୍ୟ ଏକ କୋଠରୀକୁ ଯାଇ ଆଲମାରୀରୁ ମଦ ବାହାର କରି ପିଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ଯାହା ଏବେ ଭାଇରାଲ ହେବା ସହ ପ୍ରତି ମୋବାଇଲରେ ଘୁରି ବୁଲୁଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, କାର୍ଯ୍ୟରତ ଡାକ୍ତର ଜଣକ ମଦ ପିଇବା ସହ ମଦର ଉପକାରିତା କଣ ତାହା ମଧ୍ୟ ବଖାଣୁଛନ୍ତି । ଏନେଇ ଟିଟିଲାଗଡ଼ବାସୀଙ୍କ ମନରେ ଅସନ୍ତୋଷ ଦେଖାଯିବା ସହ ଅନେକ ପ୍ରଶ୍ନ ମଧ୍ୟ ଠିଆହୋଇଛି ।

ଲୋକେ ପ୍ରଶ୍ନ କରିଛନ୍ତି ଯେ, ଜଣେ କାର୍ଯ୍ୟରତ ଡାକ୍ତର ସରକାରୀ ଡାକ୍ତରଖାନା ଭିତରେ ମଦ କେମିତି ପିଉଛନ୍ତି ? ସ୍ଥାନୀୟ ଲୋକେ ଏହାର୍ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହିତ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି । ଅଭିଯୁକ୍ତ ଡାକ୍ତର ଏହା ପୂର୍ବରୁ ମଧ୍ୟ ଜଣେ ଯୁବକକୁ ମେଡିକାଲ ସାର୍ଟିଫିକେଟ ପାଇଁ ଦାବି ମୁତାବକ ଫିଜ ଦେଇ ନଥିବାରୁ ସାର୍ଟିଫିକେଟ ପଡିଥିବା ଭିଜୁଆଲ ଭାଇରାଲ୍ ହୋଇ ବିବାଦ ଘେରରେ ଆସିଥିଲେ ।

 

ସେଥିପାଇଁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଏ ସମ୍ପର୍କରେ ଅଭିଯୁକ୍ତ ଡାକ୍ତରଙ୍କୁ ପଚାରିବାରୁ ସେ କହିଥିଲେ ପେଟ ଗରମ ହୋଇଥିବାରୁ ଔଷଧ ଆଲକାସୋଲ ପିଉଥିଲେ । ମନ୍ଦ ଉଦେଶ୍ୟ ରଖି କିଛି ଲୋକ ଏହାକୁ ଭାଇରାଲ କରିଛନ୍ତି । ସେ ମଦ ପିଉନଥିଲେ ବୋଲି ମଧ୍ୟ କହିଛନ୍ତି । ସେଭଳି ହସପିଟାଲ ଭିତରେ ଜଣେ କାର୍ଯ୍ୟରତ ଡାକ୍ତର କିଭଳି ମଦ ପିଉଛନ୍ତି ବୋଲି SDMO ପ୍ରଶାନ୍ତ ନାୟକଙ୍କୁ ପ୍ରଶ୍ନ ପଚରାଯିବାରୁ ସେ ଏ ସମ୍ପର୍କରେ କିଛି କହିବାକୁ ମନା କରିଦେଇଛନ୍ତି ।

(ରିପୋର୍ଟ- ମାନସରଞ୍ଜନ ମହାନ୍ତି)