ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ପାଇଁ ଯନ୍ତ୍ରଣାଦାୟକ ମହାପ୍ରଭୁଙ୍କ ଦର୍ଶନ : ହ୍ୱିଲ ଚେୟାର ଓ ରାମ୍ପ୍ ସୁବିଧା ନଥିବାରୁ ବଢୁଛି ଅସନ୍ତୋଷ

ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆଇନଜୀବୀଙ୍କ ଅନୁରୋଧ

ଗୋଡ଼ ସିନା ଚାଲୁନି . . .

ଗୋଡ଼ ସିନା ଚାଲୁନି । ହେଲେ ଆଖି ତ ଦେଖି ପାରୁଛି । ପୁରୀ ଶ୍ରୀମନ୍ଦିରକୁ ଜଗନ୍ନାଥ ଦର୍ଶନ ପାଇଁ ଅଶସୁଥିବା ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ କଷ୍ଟ ଅଶଖିରେ ନଦେଖିଲେ ବିଶ୍ୱାସ ହେବନି । ରାମ୍ପ ଓ ହ୍ୱିଲ୍ ଚେୟାର ସୁବିଧା ନଥିବାରୁ ଅକଥନୀୟ କଷ୍ଟ ଭୋଗୁଛନ୍ତି, ଯାହାର ତୁରନ୍ତ ସମାଧାନ ପାଇଁ ଜଣେ ଆଇନଜୀବୀ ମୁଖ୍ୟମନ୍ତ୍ରୀଙ୍କଠୁ ଶ୍ରୀମନ୍ଦିର ପ୍ରଶାସନ ଯାଏଁ ଚିଠି ଲେଖି ଅନୁରୋଧ କରିଛନ୍ତି । ଯାହାକୁ ସେବାୟତ ଓ ମୁକ୍ତିମଣ୍ଡପ ପକ୍ଷରୁ ସ୍ୱାଗତ କରାଯାଇଥିବା ବେଳେ ଜିଲ୍ଲାପାଳ କହିଛନ୍ତି ଶୀଘ୍ର ଏନେଇ ଏସଓପି ପ୍ରସ୍ତୁତ କରାଯିବ ।

ସୁଦୂର ସିଲିଗୁଡ଼ିରୁ ବାପା-ମାଆଙ୍କ ସହ ଶ୍ରୀକ୍ଷେତ୍ର ଆସିଥିବା ଜଣେ ଦିବ୍ୟାଙ୍ଗ ଝିଅ ହ୍ୱିଲ୍ ଚେୟାରରେ ସିଂହଦ୍ୱାର ଯାଏଁ ପହଞ୍ଚି ପାରିଛି । ଶ୍ରୀମନ୍ଦିର ଯିବାକୁ ମନ ବ୍ୟାକୁଳ । ଆଉ ଝିଅର ଜଗା ଦର୍ଶନ ଇଚ୍ଛାକୁ ପୂରଣ ପାଇଁ ବାପା ଭାସ୍କରଜ୍ୟୋତି କାନ୍ଧରେ ପକାଇ ଭକ୍ତଙ୍କ ଭିଡ଼ କାଟି କାଟି ମନ୍ଦିରକୁ ନେଇ ଯାଇଥିଲେ । ସେମିତି ଆଉ ଜଣେ ଦିବ୍ୟାଙ୍ଗ ଭକ୍ତ ହେଲେ ପୁଷ୍ପମିତ୍ରା କାନୁନଗୋ । ଭବାନୀପାଟଣରୁ ପୁରୀ ଆସିଛନ୍ତି, ଠାକୁରଙ୍କୁ ଦର୍ଶନ ନକଲେ ମନ ପୂରେନି । ସିଂହଦ୍ୱାର ବାଟେ ହ୍ୱିଲ୍ ଚେୟାରକୁ ଅନୁମତି ନାହିଁ ତେଣୁ ସେଇଠୁ ଏମିତି ଠୁକେଇ ଠୁକେଇ ବଡ଼ କଷ୍ଟରେ ବାଇଶି ପାହାଚ ଅତିକ୍ରମ କରି କାଳିଆ ସାନିଧ୍ୟ ପାଇଁ ଯିବାକୁ ପଡ଼ିଲା । ଖାଲି ଆଜି-କାଲି ନୁହେଁ ନିଇତି ଶ୍ରୀମନ୍ଦିରକୁ ଏମିତି ଶହ ଶହ ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତି ଠାକୁର ଦର୍ଶନ ପାଇଁ ଆସୁଛନ୍ତି, ହେଲେ ସେମାନଙ୍କ ଯିବା ପାଇଁ ସୁବିଧା ନାହିଁ । କିଏ ପରିବାର ଲୋକଙ୍କ କାନ୍ଧରେ ତ କିଏ ଅନ୍ୟ ଆଶ୍ରାରେ ପାହାଚ ଚଢ଼ି ଯିବାକୁ ବାଧ୍ୟ ହେଉଛନ୍ତି ।

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିରରେ ଗରୁଡ଼ ସ୍ତମ୍ଭ ସ୍ଥାୟିତ୍ୱକୁ ନେଇ ଶଙ୍କା: ଆଲିଙ୍ଗନରୁ ଭକ୍ତଙ୍କୁ ବାରଣ

ଜଗା ଦର୍ଶନ ଲାଗି ଆସୁଥିବା ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସୁବିଧା ନଥିବାରୁ ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ଯେତିକି କଷ୍ଟ ହେଉଛି ତାଠୁ ଅଧିକ ଅସୁବିଧା ଭୋଗୁଛନ୍ତି ସେମାନଙ୍କ ପରିବାର ଓ ସଂପର୍କୀୟ । ସେମାନଙ୍କ ସୁବିଧା ପାଇଁ ୨୦୧୫ ମସିହାରେ ଉତ୍ତରଦ୍ୱାର ବାଟେ କାଠରେ ହ୍ୱିଲ୍ ଚେୟାର ସହ ରାମ୍ପ ବ୍ୟବସ୍ଥା ହୋଇଥିଲା । ହେଲେ କିଛି ଦିନ ଚାଲିବା ପରେ ତାହା ବନ୍ଦ ହୋଇଗଲା ।

ଏଭଳି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆଇନଜୀବୀ ମୃଣାଳିନୀ ପାଢ଼ୀ ନିକଟରେ ଶ୍ରୀମନ୍ଦିର ପ୍ରଶାସନ, ବିଭିନ୍ନ ସେବାୟତ ନିଯୋଗ ଓ ମୁଖ୍ୟମନ୍ତ୍ରୀଙ୍କୁ ବି ଚିଠି ଲେଖି ଅନୁରୋଧ କରିଛନ୍ତି । ଏମିତିକି ମୁକ୍ତିମଣ୍ଡପ ପକ୍ଷରୁ ତାଙ୍କ ଅନୁରୋଧ ଯଥାର୍ଥ ବୋଲି ଦର୍ଶାଯାଇ ଉତ୍ତର ମଧ୍ୟ ଆସିଛି । ତେବେ ଏନେଇ ଜିଲ୍ଲାପାଳଙ୍କୁ ପଚରାଯିବାରେ ସେ କହିଛନ୍ତି- ପୂର୍ବରୁ ଏହି ବ୍ୟବସ୍ଥା ସାମୟିକ ଥିଲା, ଏହାର କିପରି ସ୍ଥାୟୀ ପନ୍ଥା ବାହାରି ପାରିବ । ସେ ନେଇ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ନିଯୋଗ ସହ ଆଲୋଚନା କରାଯାଇ ଶୀଘ୍ର ଏସଓପି କରାଯିବ । ଏବେ ଅପେକ୍ଷା କେତେ ଶୀଘ୍ର ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ହେଉଛି ଦର୍ଶନ ସୁବିଧା ବ୍ୟବସ୍ଥା ।