• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାଠ ପଢିବାକୁ ଇଛା ଥିଲେ ମଧ୍ୟ ପରିସ୍ଥିତି ପାଠରେ ଡୋରି ଲଗାଇଛି । ଘରର ପରିସ୍ଥିତି ଏପରି ଯେ ଦେଖିଲେ ଆଖି ଛଳଛଳ ହୋଇଯିବ। ବାପାମାଙ୍କ ଆର୍ଥିକ ସ୍ଥିତି ଯାହା ପରିବାର ଚଳିବା ମୁସ୍କିଲ୍...ପାଠ କଥା ପଚାରେ କିଏ । ଆମେ କହୁଛୁ ସୁନାବେଡ଼ାର ଜଣେ ଦିବ୍ୟାଙ୍ଗ ଛାତ୍ରଙ୍କ କାହାଣୀ ।

ମିଗ ନଗରୀ ସୁନାବେଡାର ପୌରାଞ୍ଚଳରେ ଥିବା ଗଞ୍ଜାମ କଲୋନୀରେ ରୁହନ୍ତି ଜଣେ ଦିବ୍ୟାଙ୍ଗ ଛାତ୍ର ଶେଖର । ଶେଖର କଥା କହି ପାରନ୍ତନି ଆଉ ତାଙ୍କ କାନକୁ ମଧ୍ୟ ଠିକ ଭାବରେ ଶୁଭାଯାଏନି । ବାପା ପ୍ରକାଶ ଖୋସ୍ଲା ଜଣେ ଦିନ ମଜୁରିଆ ଥିବା ବେଳେ ମା ଭାଗ୍ୟବତୀ ଏଣେ ତେଣେ କାମ କରି ଘର କାମ ସହ ପିଲାଙ୍କୁ ସମ୍ଭାଳନ୍ତି ।

ପିଲାବେଳୁ ଶେଖର କିନ୍ତୁ ଖତଗଦାରେ ପଦ୍ମ ଫୁଟିଲା ଭଳି ଉଭୟ ପାଠ ଓ ଖେଳରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଆଗକୁ କେରଳ ଯାଇ ଭଲ ପାଠ ପଢିବାକୁ ପ୍ରବଳ ଇଛା ରଖିଥିବା ବେଳେ ବାଧକ ସାଜିଛି ଆର୍ଥିକ ଅନାଟନ ।

ଶେଖରଙ୍କ ଘରର ଅବସ୍ଥା ଏମିତି ଯେ ଦିନରେ ସୂର୍ଯ୍ୟ ରାତିରେ ଚନ୍ଦ୍ର ଦେଖାଯାଏ । ପଲିଥିନ ପକା କୁଡିଆ ଭିତରେ ଶେଖର ବଢିଛନ୍ତି ବାପା,ମା ଓ ଦୁଇ ଭଉଣୀଙ୍କ ସହ  । ପ୍ରଥମେ ସୁନାବେଡା ମୁକ ବଧିର ସ୍କୁଲରେ ସେ ପାଠ ପଢି ପରେ ସରକାରୀ କଲେଜ - ଭୁବନେଶ୍ୱର ସ୍ଥିତ ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟରେ ଯୁକ୍ତ ୨ ପଢିଲେ ।

ଆଉ ଏବେ ସେ କଲେଜରେ ଟପ୍ପର ମଧ୍ୟ ହୋଇଛନ୍ତି । ଇଛା ଅଛି କେରଳ ଯାଇ ଉଚ୍ଚ ଶିକ୍ଷା ନେବା ପାଇଁ ହେଲେ ସାଥ୍ ଦେଉନି ପରିସ୍ଥିତି । ଆଭାବ ଅନଟନ ଭିତରେ ଅଧାରେ ରହିଯିବ କି ଏହି ମେଧାବୀ ଦିବ୍ୟାଙ୍ଗ ଛାତ୍ରଙ୍କ ସ୍ୱପ୍ନ । ତଥାପି ସ୍ୱପ୍ନ ଦେଖି ଚାଲିଛନ୍ତି ଶେଖର.

ଜଣେ ଦିବ୍ୟାଙ୍ଗ ହେଲେ ବି ଯୁକ୍ତ ୨ ପରୀକ୍ଷାରେ ପଢୁଥିବା କଲେଜରେ ଟପ୍ପର ହୋଇ ପାସ କରିଥିବା ତାଙ୍କ ପାଠ ପଢୁଆ ପୁଅକୁ କିପରି ପାଠ ପଢାଇବେ ଏ ନେଇ ଚିନ୍ତାରେ ପଡିଛନ୍ତି ମଜୁରିଆ ବାପା ପ୍ରକାଶ । ପୁଅକୁ ପିଲା ଦିନରୁ ସ୍କୁଲରେ ପାଠ ପଢାର ଆଗ୍ରହ ଦେଖି ମା’ ବି ଆଶା ରଖିଛନ୍ତି ତାଙ୍କ ପୁଅ ପାଠପଢ଼ି ପରିବାରର ନାଁ ରଖିବ।

 

  • Reported by:
  • Surya Narayan Panda