• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାସ୍ତା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ଲୋକେ । ଖାଲଖମା ଭର୍ତ୍ତି ରାସ୍ତାରେ ଯିବା ବେଳେ କେତେବେଳେ ପଡ଼ି ଉଠି ପଙ୍କ କାଦୁଅରେ ଲୋଟୁଛନ୍ତି ତ କେତେବେଳେ ଦୁର୍ଘଟଣାରେ ଖଣ୍ଡିଆ ଖାବରା ବି ହେଉଛନ୍ତି । ବର୍ଷ ବର୍ଷ ବିତି ଗଲାଣି ହୋଇପାରୁନି ମରାମତି । ନୂଆ ରାସ୍ତା ନିର୍ମାଣ ପାଇଁ ଦାବି କଲେ ବି କର୍ତ୍ତୃପକ୍ଷ ଚୁପ୍ । ଖରାପ ରାସ୍ତା ଯୋଗୁଁ ଏଭଳି ହନ୍ତସନ୍ତ ହେଉଛନ୍ତି ଉଭୟ ଯାଜପୁର ଏବଂ ରାୟଗଡ଼ାର ଲୋକେ ।

ଯାଜପୁର ଟମକାରୁ କାଳିଆପାଣି ଖଣି ଅଞ୍ଚଳ ଦେଇ ମଙ୍ଗଳପୁରକୁ ସଂଯୋଗ କରୁଥିବା ରାସ୍ତା ପାଲଟିଛି ମରଣଯନ୍ତା । ନିଇତି ଘଟୁଛି ଦୁର୍ଘଟଣା ନିୟମିତ ଭାରିଯାନ ଯାଉଥିବାରୁ ରାସ୍ତା ଆହୁରି ଖରାପ ହେଉଥିବା ଅଭିଯୋଗ ହୋଇଛି । ରାସ୍ତା ପ୍ରଶସ୍ତିକରଣ କାମ ବି ଅଟକି ରହିଥିବାରୁ ସମସ୍ୟା ଆହୁରି ବଢ଼ିଛି । ଖଣି ଅଞ୍ଚଳରେ ପରିବହନ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୧୮ ମସିହାରେ ଟମକାରୁ ମଙ୍ଗଳପୁରକୁ ରାସ୍ତା ପ୍ରଶସ୍ତିକରଣ ପାଇଁ ୨୧୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା । ମାତ୍ର ଏଯାଏଁ କାମ ଆରମ୍ଭ ହୋଇପାରିନି । ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ରାସ୍ତାରେ ଜଙ୍ଗଲ ଜମି ଥିବାରୁ ସମସ୍ୟା ଉପୁଜିଛି । ବନ ବିଭାଗର କ୍ଲିୟରାନ୍ସ ମିଳିବା ପରେ କାମ ଆରମ୍ଭ ହେବ ।

ଏପଟେ ରାୟଗଡ଼ା ମୁନିଗୁଡ଼ା ସହର ଦେଇ ଯାଇଥିବା ୫ ନମ୍ବର ରାଜ୍ୟ ରାଜପଥର ଅବସ୍ଥା କହିଲେ ନସରେ । ରାସ୍ତାରୁ କେଉଁଠି ପିଚୁ ଉଠି ଗଲାଣି ତ କେଉଁଠି ବଡ଼ ବଡ଼ ଗାତ ହୋଇ ଜମା ହୋଇଛି ବର୍ଷା ପାଣି । ତିନିକୁନିଆଁ ଛକରୁ କଳାହାଣ୍ଡି ଯିବା ଯାଏଁ ପ୍ରାୟ ୧୦ କିଲୋମିଟର ଧରି ରାସ୍ତାର ଅବସ୍ଥା ଖୁବ୍‌ ଦୟନୀୟ । ସହର ଦେଇ ଭାରିଯାନ ଯିବାରୁ ରାସ୍ତା ଖରାପ ହେଉଥିବା ଲୋକେ ଅଭିଯୋଗ କରିବା ସହ ଏକ ବାଇପାସ୍ ନିର୍ମାଣ ପାଇଁ ଦୀର୍ଘ ବର୍ଷରୁ ଦାବି କରି ଆସୁଛନ୍ତି । ମାତ୍ର ଏଯାଏଁ ଏହାର କୌଣସି ସମାଧାନ ହୋଇପାରିନି । ଅନ୍ୟପଟେ ରାସ୍ତାର ମରାମତି ଚାଲିଛି ଏବଂ ବାଇପାସ୍ ପାଇଁ ପ୍ରସ୍ତାବ ପଠାଯାଇଛି । ବର୍ଷା ଛାଡ଼ିବା ପରେ ତୁରନ୍ତ ନୂଆ ରାସ୍ତା ନିର୍ମାଣ ଆରମ୍ଭ ହେବ ବୋଲି ରାୟଗଡ଼ା ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି ।

(ଯାଜପୁରରୁ ଜନ୍ମେଞ୍ଜୟ ଦାସ ଓ ରାୟଗଡ଼ାରୁ ମାଉଡ଼ି ବାରିକ)