• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମାଟିରେ ମିଶିବ ପାର୍ଥର ପୁରୀ ହଷ୍ଟେଲ । ପୁରୀ ବେଳାଭୂମି ନିକଟରେ ଦେଶ ସ୍ୱାଧୀନତା ପୂର୍ବରୁ କବି ରବୀନ୍ଦ୍ରନାଥ ଟାଗୋର ଛାତ୍ରମାନଙ୍କ ଶିକ୍ଷାଲାଭ ପାଇଁ ଏସସିଏସ କଲେଜକୁ ଦାନ କରିଥିଲେ ପାର୍ଥର ପୁରୀ। ଏବେ ସେହି ହଷ୍ଟେଲକୁ ଏସସିଏସ ଯୁକ୍ତ ୨ ସ୍କୁଲ ନାମରେ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପୁରୀ ଜିଲ୍ଲାପାଳଙ୍କୁ ଚିଠି କରିଛି । ଜମି ହସ୍ତାନ୍ତର ପରେ ନୂଆ ଯୁକ୍ତ୨ ସ୍କୁଲ ନିର୍ମାଣ କରାଯିବ । ଏନେଇ କଲେଜ ଛାତ୍ରଛାତ୍ରୀଙ୍କ ସମେତ କଲେଜ ଅଧକ୍ଷ ମଧ୍ୟ ବେଶ ଉତ୍ସାହିତ ।

ପୁରୀ ବେଳାଭୂମି ସୁବାସ ବୋଷ ଛକ ନିକଟରେ ପାର୍ଥର ପୁରୀ ହଷ୍ଟେଲ ରହିଛି । ରକ୍ଷଣାବେକ୍ଷଣ ଅଭାବରୁ ଏବେ ଏହି ହଷ୍ଟେଲ ଜରାଜୀର୍ଣ୍ଣ ଅବସ୍ଥାରେ । ଏମିତିକି ହଷ୍ଟେଲ ଛାତ ଭାଙ୍ଗିରୁଜି ଗଲାଣି । ଗତ ଫନି ମହାବାତ୍ୟାରେ ହଷ୍ଟେଲ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ଏବେ ସେହି ହଷ୍ଟେଲକୁ ସାମନ୍ତ ଚନ୍ଦ୍ର ଶେଖର ଯୁକ୍ତ ୨ ସ୍କୁଲ୍ ନାମରେ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପୁରୀ ଜିଲ୍ଲାପାଲଙ୍କୁ ଚିଠି କରିଛି ।

ଏହି ଖବର ଜାଣିବା ପରେ ଛାତ୍ରଛାତ୍ରୀ ମହଲରେ ଖୁସିର ଲହରୀ ଖେଳିଯାଇଛି । ଏମିତିକି ଏଠାରେ ରାଜ୍ୟସ୍ତରୀୟ ଲାଇବ୍ରେରୀ ପାଇଁ ଉଚ୍ଚଶିକ୍ଷା ବିଭାଗକୁ ଡିପିଆର ପ୍ରସ୍ତୁତ ପାଇଁ ଅବଗତ କରାଯିବ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ ।  

ଦେଶ ସ୍ୱାଧୀନତା ପୂର୍ବରୁ ୧୯୪୫ରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଛାତ୍ରମାନଙ୍କ ରହଣି ସହ ଶିକ୍ଷାଦାନ ପାଇଁ ଦାନ କରିଥିଲେ ମହାନ କବି ରବୀନ୍ଦ୍ରନାଥ ଟାଗୋର । ୧୯୯୮ ମସିହାରେ ସ୍ୱର୍ଣ ଜୟନ୍ତୀ ପାଳନ ହୋଇଥିଲା । ପୁରୀ ବେଳାଭୂମି ନିକଟରେ ୧ ଏକର ୪୪୬ ଡେସିମିଲ ସ୍ଥାନରେ ଅବସ୍ଥିତ ପାର୍ଥର ପୁରୀ ହଷ୍ଟେଲ ।

ଏବେ ଆଉ ହଷ୍ଟେଲ ପରିଚାଳିତ ହେଉନାହିଁ । ଉଚ୍ଚ ଶିକ୍ଷା ବିଭାଗ ଏହି ହଷ୍ଟେଲର ଜମିର କାଗଜପତ୍ର ଏସସିଏସ ଯୁକ୍ତ୨ ସ୍କୁଲ ନାମରେ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି । ଏହା ପରେ ଏଠାରେ ନୂଆ କରି ଗଢି ଉଠିବ ନୂଆ ଯୁକ୍ତ ୨ ସ୍କୁଲ । ଏପଟେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଆମ ପାଖକୁ ଚିଠି ଆସିଛି ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ।

ନୂଆ ଯୁକ୍ତ୨ ସ୍କୁଲ ହେଲେ ରବୀନ୍ଦ୍ରନାଥ ଟାଗୋର ସ୍ମୃତି ବହନ କରିବା ଉପରେ ଉଚ୍ଚ ଶିକ୍ଷା ବିଭାଗ କି ପଦକ୍ଷପ ନେବ ତା ଉପରେ ରହିଛି ସମସ୍ତଙ୍କ ନଜର ।

(ରିପୋର୍ଟ- ପ୍ରଦୀପ ମହାନ୍ତି, ପୁରୀ)