• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନୀଳାଦ୍ରି ବିଜେ ଯିବାର ୧୯ ଦିନ ବିତିଗଲା, ତଥାପି ରତ୍ନବେଦୀରେ ହୋଇପାରିଲାନି ମହାପ୍ରଭୁଙ୍କ ବନକଲାଗି ନୀତି । କେଉଁ ବାରରେ ହେବ ଏହି ଗୁପ୍ତ ନୀତି ତାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବକ ମଧ୍ୟରେ ବିବାଦ ଛିଡୁ ନଥିବେଳେ ଠାକୁରମାନଙ୍କ ମଳିନ ମୁଖକୁ ଦର୍ଶନ କରି କ୍ଷୁବ୍ଧ ହୋଇ ଫେରୁଛନ୍ତି ଭକ୍ତ। ବୁଧବାର ବନକଲାଗି, ରେକର୍ଡ ଅଫ୍ ରାଇଟ୍ସର ଉଲ୍ଲଂଘନ ବୋଲି ସଫା ସଫା କହୁଛନ୍ତି ଦତ୍ତମହାପାତ୍ର ସେବକ । ଏସବୁ ଭିତରେ ଆଜି ଗୁରୁବାର ଥିଲେ ବି ବନକଲାଗି ହୋଇ ପାରି ନଥିଲା ବେଳେ ଏନେଇ ମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିନାହିଁ ।

ଶ୍ରୀମନ୍ଦିର ପ୍ରଶାସନ କହୁଛି ବୁଧବାର । ଦତ୍ତ ମହାପାତ୍ର ସେବକଙ୍କ ଜିଦ୍ ଗୁରୁବାର । ବାରକୁ ନେଇ କେଁ ତୁଟୁନି କି ବନକଲାଗି ହୋଇପାରୁନି । ମହାପ୍ରଭୁଙ୍କ ସେହି ମଳିନ ମୁଖ ଦର୍ଶନ କରି ଫେରୁଛନ୍ତି ଭକ୍ତ । ରଥଯାତ୍ରା ଯାଇ ନିଳାଦ୍ରୀ ବିଜେ ସରିବାର ୟା ଭିତରେ ୧୯ ତିନ ବିତିଲାଣି। ହେଲେ ତା’ପରଠୁ ରତ୍ନବେଦୀ ଉପରେ ଆଉ ତିନିଠାକୁରଙ୍କ ଶ୍ରୀମୁଖ ଶୃଙ୍ଖାର ହୋଇନି । ନିର୍ଦ୍ଦିଷ୍ଟ କେଉଁ ବାରରେ ଏହି ଗୁପ୍ତସେବା ହେବ ? ତାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବକଙ୍କ ମଧ୍ୟରେ ବିବାଦ ତୁଟୁନଥିବାରୁ ସୃଷ୍ଟି ହୋଇଛି ଏଭଳି ଅଭାବନୀୟ ପରିସ୍ଥିତି । ତେଣେ ଭକ୍ତ କହିଲେଣି, ଶୀଘ୍ର ଏହାର ପରିସମାପ୍ତି ଘଟାଇ ଠାକୁରମାନଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଉ ।

ମହାପ୍ରଭୁଙ୍କ ବନକଲାଗି ସେବା କରିଆସୁଥିବା ଦତ୍ତ ମହାପାତ୍ର ସେବକଙ୍କ ଦାବି- ଶ୍ରୀମନ୍ଦିର ସତ୍ତ୍ୱଲିପିରେ ମାସକୁ ୪ଥର ଓ ପ୍ରତି ଗୁରୁବାର ଶ୍ରୀମୁଖ ଶୃଙ୍ଖାର ନୀତି କରାଯିବାର ବିଧି ରହିଛି । ଏମିତିକି ଗୁରୁବାର ମହାଲକ୍ଷ୍ଣୀଙ୍କ ମାଜଣା ନୀତି ଚାଲୁଥିବାରୁ ସେହିଦିନ ମହାପ୍ରଭୁ ଜଗନ୍ନାଥଙ୍କ ଅଧରପୋଛା ସହ ବନକଲାଗି କରାଯିବାର ତାତ୍ୱିକ ନିୟମ ରହିଛି । ଯଦି କେବେ ଅସୁବିଧା ଥିଲେ ତାହାଲେ ଦିନକ ଆଗରୁ ଅର୍ଥାତ୍ ବୁଧବାର ବନକଲାଗି କରାଯାଏ । କିନ୍ତୁ ଏବେ ଗୁରୁବାର ପରିବର୍ତ୍ତେ ସବୁ ବୁଧବାର ଶ୍ରୀମୁଖ ଶୃଙ୍ଗାର ନୀତି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ବାଧ୍ୟ କରୁଛି। ଯାହାକି ରେକର୍ଡ ଅଫ୍ ରାଇଟ୍ସର ଉଲ୍ଲଂଘନ।

ସେପଟେ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି- ବୁଧବାର ବନକଲାଗି କରାଯିବାକୁ ୨୦୧୮ ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା । ଏବେ ଦତ୍ତ ମହାପାତ୍ର ସେବକମାନେ ଯେଉଁ ଜିଦ୍ ଧରିଛନ୍ତି, ତାକୁ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ସମାଧାନ କରୁ। ଏ ପ୍ରସଙ୍ଗ ସେମାନେ ଆସନ୍ତା ସପ୍ତାହରେ ପରିଚାଳନା କମିଟି ବୈଠକରେ ଉଠାଇ ପାରିବେ। ଯେହେତୁ ବିଭିନ୍ନ ସମୟରେ ମନ୍ଦିରରେ ଯାନିଯାତ୍ରା ପାଇଁ ଭିଡ଼ ହୁଏ,ତେଣୁ ବୁଧବାର ଆଗୁଆ ଶ୍ରୀମୁଖ ଶୃଙ୍ଗାର ନୀତି କରାଯିବାରେ କୌଣସି ଅସୁବିଧା ନାହିଁ ।

ଏବେ ଅପେକ୍ଷା କେତେଶୀଘ୍ର ହେଉଛି ମହାପ୍ରଭୁଙ୍କ ବନକଲାଗି ନୀତି ? ମହାପ୍ରଭୁଙ୍କ ସୁନ୍ଦର ଶ୍ରୀମୁଖ ଦର୍ଶନର ସୁଯୋଗ ପାଉଛନ୍ତି ଭକ୍ତ ।

  • Reported by:
  • PRADEEP MAHANTY