• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣ ସହ ମଶା ଦୂର କରିବା ଯାହାର ଦାୟିତ୍ୱ ତାରି ଦୁଆରେ ଚାଲିଛି ମଶା ଧୂଆଁ ମାଡ । ଘନ ଘନ ସ୍ପ୍ରେ ହେଉଛି ମଶା ଧୂଆଁ । ଏ ଦୃଶ୍ୟ BMC  କାର୍ଯ୍ୟାଳୟର । ଅଫିସ୍‌ର ମୁଖ୍ୟ ଗେଟ୍ ଏବଂ ଚାରିକଡରେ ମେସିନ ବୁଲାଇ ଧୂଆଁ ଛଡାଯାଉଛି । ଭୁବନେଶ୍ୱରରେ ଡେଙ୍ଗୁ ନିୟନ୍ତ୍ରଣ ହରାଇଥିବା ବେଳେ BMC ବିରୋଧରେ ହଲ୍ଲାବୋଲ କରିଛି ବିଜେପି ।

ଅଭିନବ ପ୍ରତିବାଦ ସ୍ୱରୂପ BMC କାର୍ଯ୍ୟାଳୟରେ ଛାଡିଛି ମଶା ଧୂଆଁ । ଦଳ ଅଭିଯୋଗ କରିଛି, ମେୟର, ପ୍ରସ୍ତୁତି ଏବଂ ମୁକାବିଲା ଉପରେ ଗୁରୁତ୍ୱ ନଦେବାରୁ ଏବେ ସ୍ଥିତି ଅଣାୟତ୍ତ ହୋଇପଡିଛି । କେବଳ ସେତିକି ନୁହେଁ, ମଶା ତେଲ ଓ ସିଞ୍ଚନରେ ହେରଫେର ହୋଇଥିବା ଦଳ ଅଭିଯୋଗ କରିଛି ।

ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି ଡେଙ୍ଗୁ । ରୋଗୀଙ୍କ ସଂଖ୍ୟା ୨୫ଶହ ଡେଇଁଲାଣି । ଭୁବନେଶ୍ୱରରେ ତ ସ୍ଥିତି ଉଦବେଗଜନକ । ଏଠାରେ ରୋଗୀ ସଂଖ୍ୟା ୧୨୦୦ ଛୁଇଁଲାଣି । ସରକାର ଆଉ BMCର ନିଦ ହଜାଇଛି ଦୈନିକ ସଂକ୍ରମଣ ହାର । ରାଜଧାନୀରେ ଦୈନିକ ୫୦ରୁ ୬୦ ରୋଗୀ ଚିହ୍ନଟ ହେଉଛନ୍ତି । ଚିକିତ୍ସା ପାଇଁ ବି ନାକେଦମ କ୍ୟାପିଟାଲ ହସ୍ପିଟାଲ । ବେଡ ନଥିବାରୁ ରୋଗୀ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି । ସ୍ଥିତି ସାଂଘାତିକ ହେବାରୁ ମୁକାବିଲା ପାଇଁ ଭୁବନେଶ୍ୱରର କିଛି ଅଞ୍ଚଳକୁ ରେଡ ଜୋନ ଘୋଷଣା କରିଛି ବିଏମସି । ସହିଦ ନଗର, ସତ୍ୟ ନଗର, ଜୟଦେବ ବିହାର, ଆଚାର୍ଯ୍ୟ ବିହାର ଭଳି ୧୯ ଅଞ୍ଚଳରେ ବ୍ୟାପିଛି ଡେଙ୍ଗୁ । ସେପଟେ ମେୟର ରାଜଧାନୀର ସଂକ୍ରମଣ ଚିନ୍ତାଜନକ ବୋଲି ମାନିଥିବା ବେଳେ ମୁକାବିଲା ପାଇଁ କର୍ପୋରେସନ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା କହିଛନ୍ତି ।

କେନ୍ଦ୍ରାପଡାରେ ବି ଡେଙ୍ଗୁ କାୟା ବିସ୍ତାର କରିବାରେ ଲାଗିଛି । ଜିଲ୍ଲାରେ ଏଯାଏଁ ୪୬ ରୋଗୀ ଚିହ୍ନଟ ହେଲେଣି । ମହାକାଳପଡାରୁ ସର୍ବାଧିକ ୧୨ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରାପଡା ବ୍ଲକରୁ ୯ ଜଣ ଚିହ୍ନଟ ହୋଇଛନ୍ତି । ରୋଗୀ ସଂଖ୍ୟା ବଢିବା ପରେ ଜରୁରୀକାଳୀନ ବୈଠକ ଡାକି ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ସଚେତନତା ବଢାଇବା ଉପରେ ଗୁରୁତ୍ୱ ଦିଆଯାଇଛି, ରବିବାର ଡ୍ରାଏ ଡେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କେନ୍ଦ୍ରାପଡା ପୌରାଞ୍ଚଳରେ ଅନେକ ସ୍ଥାନରେ ପାଣି ଜମିବାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏମିତିକି ଧୂଆଁ କିମ୍ଭା ପ୍ରତିଷେଧକ ପାଇଁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି ।

  • Reported by:
  • MANOJ SWAIN , SOUMYA RANJAN SAHOO , BIBARTAN PANDA