• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । କିନ୍ତୁ ସେହି ଅନୁପାତରେ ବଢୁନି ଚିକିତ୍ସା ସୁବିଧା । । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଗଷ୍ଟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିଛି । ମହାନଗର ନିଗମଗୁଡିକ ସଫେଇ ସହ ସଚେତନତା ମୂଳକ କାର୍ଯ୍ୟ କରୁଥିବାବେଳେ ଏଥିରୁ କିନ୍ତୁ ଆଖିଦୃଶିଆ ସଫଳତା ମିଳୁନି । ଏଣେ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଡେଙ୍ଗୁ ପରୀକ୍ଷା ମେସିନ୍ ଅଚଳ ହେବା ରୋଗୀଙ୍କ ଚିନ୍ତା ବଢାଇଛି ।

ଡେଙ୍ଗୁ ହବ୍ ପାଲଟିଛି ରାଜଧାନୀ । ହୁ ହୁ ବଢୁଛି ରୋଗୀ ସଂଖ୍ୟା । ରାଜ୍ୟରେ କେବଳ ଭୁବନେଶ୍ୱରରୁ ବାହାରିଛନ୍ତି ୫୦ ପ୍ରତିଶତରୁ ଅଧିକ ଡେଙ୍ଗୁ ରୋଗୀ। ଶନିବାର ସୁଦ୍ଧା ଭୁବନେଶ୍ୱରର ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ପହଞ୍ଚିଛି ୧୨୧୮ରେ । ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ବାଣୀବିହାର, ନୂଆପଲ୍ଲୀ ଓ ପୁରୁଣା ଭୁବନେଶ୍ୱରରୁ ଡେଙ୍ଗୁ ଆକ୍ରାନ୍ତ ଅଧିକ ମାତ୍ରାରେ ଚିହ୍ନଟ ହେଉଛନ୍ତି ।

ଏଡିସ୍ ମଶା ବଂଶ ଲୋପ ଲାଗି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବି ମଶା ଧୁଆଁ ପ୍ରୟୋଗ ଜାରି ରହିଛି । ଏହାସତ୍ତ୍ୱେ ବି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା  କମିବାର ନାଁ ନେଉନି । ଆଉ ଏପଟେ ଡେଙ୍ଗୁ ଟେଷ୍ଟ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ରୋଗୀଙ୍କ ଲମ୍ବା ଲାଇନ୍ । ଆଉ ଏ ଲମ୍ବା ଲାଇନ୍ ପଛର କାରଣ ହେଲା କ୍ୟାପିଟାଲ୍ ହସ୍ପିଟାଲରେ ଥିବା ଦୁଇଟି ଡେଙ୍ଗୁ ଟେଷ୍ଟିଂ ମେସିନ୍ ଅଚଳ ହୋଇଯିବା । ଷ୍ଟାଣ୍ଡ ବାଇରେ ଥିବା ଗୋଟିଏ ମେସିନ୍‌ରେ ଟେଷ୍ଟ କରାଯାଉଛି । ଡେଙ୍ଗୁ ଯାତନା ସାଙ୍ଗକୁ ରିପୋର୍ଟ ମିଳିବାରେ ବିଳମ୍ବ ରୋଗୀ ତଥା ସମ୍ପର୍କୀୟଙ୍କୁ ନାକେଦମ୍ କଲାଣି ।

ସିଲଭର ସିଟି କଟକରେ ବି ଡେଙ୍ଗୁ କାୟା ବିସ୍ତାର କରିବାରେ ଲାଗିଛି । ସରକାରୀ ତଥ୍ୟ ଅନୁଯାୟୀ ୭୨ ଡେଙ୍ଗୁ ରୋଗୀ ସହରରୁ ଚିହ୍ନଟ ହୋଇଛନ୍ତି । କିନ୍ତୁ ବେସରକାରୀ ତଥ୍ୟ କହୁଛି ଏସଂଖ୍ୟା ଆହୁରି ଅଧିକ । ହଟସ୍ପଟ୍ ପାଲଟିଛି ସିଡିଏ ଅଞ୍ଚଳ । ଡେଙ୍ଗୁ ସ୍ଥିତି ସଙ୍ଗୀନ ହେବା ପରେ ସଜାଗ ହୋଇଛି CMC । ବୁସ କଟିଂ ସହ ମଶା ତେଲ ପ୍ରୟୋଗ କରାଯାଉଛି । ତେବେ କଟକ ବାସିନ୍ଦା କିନ୍ତୁ ଡେଙ୍ଗୁ ବ୍ୟାପିବା ଲାଗି ଦାୟୀ କରିଛନ୍ତି ସିଏମ୍‌ସିକୁ ।

ବାଲେଶ୍ୱର ଫକୀର ମୋହନ ମେଡିକାଲ୍ ଡେଙ୍ଗୁ ୱାର୍ଡରେ ୩୦ରୁ ଅଧିକ ରୋଗୀ ଚିକିତ୍ସା ହେଉଛନ୍ତି । କିନ୍ତୁ ୱାର୍ଡ ପଛ ପଟେ ଅଳିଆ ଆବର୍ଜନା ଭର୍ତ୍ତି । ଯାହାକୁ ନେଇ ରୋଗୀ ଓ ସମ୍ପର୍କୀୟ ଅସନ୍ତୁଷ୍ଟ । ଜିଲ୍ଲାର ଭୋଗରାଇ ବ୍ଲକ୍‌ରୁ ଅଧିକ ଡେଙ୍ଗୁରୋଗୀ ଆସୁଛନ୍ତି ମେଡିକାଲକୁ ।

ସରକାରୀ ତଥ୍ୟ ଅନୁଯାୟୀ ଅଗଷ୍ଟ ୧୦, ୨୦୨୨ରେ ରାଜ୍ୟରେ ୧୧୯୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଏ ବର୍ଷ ଅଗଷ୍ଟ ୧୦ ସୁଦ୍ଧା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ପହଞ୍ଚିଛି ୧୬୭୦ରେ ।

  • Reported by:
  • PRAVAT BISOI , RASHMIRANJAN DAS , JAGDISH DAS