• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ରାଜ୍ୟରେ ଘଟୁଥିବା ପ୍ରତି ଶହେଟି ଦୁର୍ଘଟଣାରେ ୪୮ ଜଣଙ୍କ ମୃତ୍ୟୁ ହେଉଛି । ଜାତୀୟ ସ୍ତରରେ ଏହି ସଂଖ୍ୟା ୩୬ । ରାଜ୍ୟସ୍ତରୀୟ ସଡକ ସୁରକ୍ଷା ପରିଷଦ ବୈଠକରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ ତତ୍ୟ ରଖିଛନ୍ତି । ଓଡିଶାରେ ୨୦୨୦ରେ ମୋଟ ୪ ହଜାର ୭୩୮ ଜଣ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ପ୍ରାୟ ୫ ହଜାର ଜଣ ଗୁରୁତର ଆହତ ହୋଇଛନ୍ତି ।

ତେବେ କୋଭିଡ୍ ମହାମାରୀ ପାଇଁ ଲକଡାଉନ୍ ଓ ସଟଡାଉନ୍ ଲାଗୁ ହେବାରୁ ୨୦୧୯ ତୁଳନାରେ ୨୦୨୦ରେ ମୃତ୍ୟୁହାର ପ୍ରାୟ ୧୧ ପ୍ରତିଶତ ହ୍ରାସ ପାଇଛି । ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ, କେଉଁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଗଂଜାମ, କଟକ ଓ ଖୋର୍ଦ୍ଧାରେ ଅଧିକ ସଂଖ୍ୟକ ଲୋକ ସଡକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ମୋଟର ସାଇକେଲ୍ ଚାଳକଙ୍କ ସଂଖ୍ୟା ସମୁଦାୟ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ୫୩ ପ୍ରତିଶତ । ଦୁର୍ଘଟଣାରେ ପ୍ରାଣ ହରାଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ବ୍ୟକ୍ତିଙ୍କ ମୃତ୍ୟୁ ହେଲମେଟ୍ ପିନ୍ଧିନଥିବାରୁ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । 

ତେବେ ପୂର୍ବରୁ ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ୨୦୧୮ରେ ୫ ହଜାର ୩୧୫ଟି ସଡକ ଦୁର୍ଘଟଣାଜନିତ ମୃତ୍ୟୁ ହୋଇଛି । ୨୦୧୯ରେ ୫ ହଜାର ୩୩୩ ଏବଂ ୨୦୨୦ରେ ସଡ଼କ ଦୁର୍ଘଟଣାରେ ଯାଇଛି ୪ ହଜାର ୭୩୮ ଜଣଙ୍କ ଜୀବନ । କେବଳ ରାଜଧାନୀ ଭୁବନେଶ୍ୱରରେ ଚଳିତ ବର୍ଷ ୧୪୯ ଜଣଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ୨୦୨୦ରେ ୫୧୭ଟି ଦୁର୍ଘଟଣା ଘଟିଥିବା ବେଳେ ସେଥିଲେ ପ୍ରାଣ ହରାଇଥିଲେ ୧୬୨ ଜଣ । NCRB ଏବଂ ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, ଓଡିଶାରେ ପ୍ରତିଦିନ ୨୭ଟି ସଡ଼କ ଦୁର୍ଘଟଣା ଘଟୁଛି । ଯେଉଁଥିରେ ହାରାହାରି ୧୩ ଜଣଙ୍କ ମୃତ୍ୟୁ ହେଉଛି । ସଡକ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁରେ ଓ଼ଡିଶା, ଦେଶରେ ଦ୍ୱାଦଶ ସ୍ଥାନରେ ରହିଛି ।