• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଗୁଣପୁର: ମୋବାଇଲ କିଣି ଅନ୍‌ଲାଇନ୍‌ରେ ପାଠ ପଢ଼ିବା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ। ହେଲେ ଅଧା ରହିଗଲା ମୋବାଇଲ କିଣା ଓ ଅଧୁରା ରହିଗଲା ଅନ୍‌ଲାଇନ୍‌ରେ ପାଠପଢା ସ୍ୱପ୍ନ। ଶେଷରେ ଶବ ହୋଇ ଫେରିଲେ। ଆନ୍ଧ୍ର ପ୍ରଦେଶ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଇ ଜୀବନ୍ତ ଦଗ୍ଧ ହୋଇଥିବା ୬ ଓଡ଼ିଆ ନାବାଳକଙ୍କ ଦୁଃଖଭରା କାହାଣୀ।ଗତ ୩୦ ତାରିଖରେ ଗୁଣ୍ଟୁର ଜିଲ୍ଲା ରାମେଲିରେ ଥିବା ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିର ଏକ ଅସ୍ଥାୟୀ ଘରେ ଶୋଇ ଥିବାବେଳେ ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ୬ ଓଡ଼ିଆ ଶ୍ରମିକ।

ରାୟଗଡ଼ା ଜିଲ୍ଲା ଗୁଣୁପୁର ଏବଂ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଭିନ୍ନ ଭିନ୍ନ ଗାଁରୁ ଏହି ନାବାଳକମାନେ ୨ ମାସ ପୂର୍ବେ କାମ କରିବାକୁ ଆନ୍ଧ୍ର ପ୍ରଦେଶ ଚାଲିଯାଇଥିଲେ। ତେବେ ସେଠାରେ ବି ସେମାନଙ୍କୁ ନିୟମିତ ପାରିଶ୍ରମିକ ମିଳୁନଥିବା ଫୋନରେ ଘର ଲୋକଙ୍କୁ କହିଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ, ସେମାନେ ଘରକୁ ଫେରି ଆସିବେ ବୋଲି କହିଥିଲେ। ହେଲେ ତା ପୂର୍ବରୁ ଅଘଟଣରେ ତାଙ୍କ ମୃତ୍ୟୁ ହୋଇଥିଲା।

ଆନ୍ଧ୍ରରୁ ଏହି ନାବାଳକଙ୍କ ମୃତଦେହ ଗାଁକୁ ଫେରିବା ପରେ ସେମାନଙ୍କ ପରିବାର ଲୋକେ କହିଛନ୍ତି ଯେ, ଅର୍ଥାଭାବରୁ ସେମାନେ ସ୍ମାର୍ଟ ଫୋନ କିଣି ପାରିନଥିଲେ। ଫଳରେ ଅନ୍‌ଲାଇନ୍‌ କ୍ଲାସ କରିବାକୁ ସେମାନେ ଅସମର୍ଥ ହୋଇଥିଲେ। ହେଲେ ପାଠ ପଢିବାର ଝୁଙ୍କ ପାଇଁ ଏହି ନାବାଳକମାନେ ଦାଦନ ଖଟିବାକୁ ପଳାଇଥିଲେ। ସେମାନଙ୍କର ଉଦ୍ଦେଶ୍ୟ ଥିଲା, କିଛି ମାସ କାମ ଧନ୍ଦା କରି ଅର୍ଥ ଉପାର୍ଜନ କରିବେ, ଆଉ ସେହି ଟଙ୍କାରେ ସ୍ମାର୍ଟ ଫୋନ୍‌ କିଣି ଅଲନଲାଇନ କ୍ଲାସ୍‌ କରିବେ। ହେଲେ ସେମାନଙ୍କର ସ୍ୱପ୍ନ ସ୍ୱପ୍ନରେ ହିଁ ରହି ଯାଇଥିଲା। 

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ହୋଇଥିବା ଆକସ୍ମିକ ଅଗ୍ନିକାଣ୍ଡରୁ ଏହି ଅଘଟଣ ଘଟିଥିବା ଆଶଙ୍କା କରାଯାଉଥିବା ଗୁଣ୍ଟୁର୍ ଏସ୍‌ପି କହିଥିଲେ। ମୋବାଇଲ କିଣି ଅନ୍‌ଲାଇନ୍‌ରେ ପାଠ ପଢ଼ିବା ପାଇଁ ଭିଟାମାଟି ଛାଡ଼ି ଆନ୍ଧ୍ରକୁ ଯାଇଥିଲେ ଏହି ନାବାଳକ। ହେଲେ କାଳ ହେଲା କଳା ରାତି । ଦିନସାରା ହାଡ଼ଭଙ୍ଗା ପରିଶ୍ରମ କରି ଏକ ଅସ୍ଥାୟୀ ଘରେ ରାତିରେ ଶୋଇଥିବାବେଳେ ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଗଲେ ୬ ଓଡ଼ିଆ ଶ୍ରମିକ। ସମସ୍ତେ ଗୁଣ୍ଟୁର୍ ଜିଲ୍ଲାର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲେ ।