• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଝିଅ ବାହାଘର କରିବେ ବୋଲି ସବୁକିଛି ପ୍ରସ୍ତୁତ କରି ରଖିଥିଲେ। ସାଜସଜ୍ଜା, ଭୋଜିଭାତ ବନ୍ଧୁ-ବାନ୍ଧବ ସବୁକିଛି ଆୟୋଜନ ପ୍ରାୟତଃ ଶେଷ ହୋଇଥିଲା। ଆଉ କିଛି ଘଣ୍ଟା ପରେ ଝିଅର ବାହାଘର ହୋଇଥାନ୍ତା। ହେଲେ ତା’ପୂର୍ବରୁ ଏମିତି ଏକ ଖବର ପରିବାର ଲୋକଙ୍କୁ ମିଳିଲା, ଯାହା ଶୁଣି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଗଲା। ହସଖୁସିର ପରିବେଶ ହଠାତ୍‌ କାନ୍ଦ ବୋବାଳିରେ ଫାଟି ପଡ଼ିଲା। ଝିଅର ବାହାଘର ଦିନ ମିଳିଲା ବାପାର ମୃତଦେହ। ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ପର୍ଶୁମାଳ ଗାଁରେ ଏହି ହୃଦୟବିଦାରକ ଘଟଣା ଘଟିଛି। 

ଗାଁର ସୁରଥ ବେହେରା ଆଜି ସକାଳୁ ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ। ଖୋଜାଖୋଜି କରିବା ପରେ ଘରୁ ୩ କିଲୋମିଟର ଦୂର ଗଦେଇମୁଣ୍ଡା ନିକଟ ରେଲ୍‌ୱେ ଟ୍ରାକ୍‌ରୁ ତାଙ୍କ ମୃତଦେହ ମିଳିଥିଲା। 

ସୂଚନା ଅନୁସାରେ, ଗତ କିଛି ଦିନ ହେଲା ସୁରଥ ମାନସିକ ଚିନ୍ତାରେ ଥିଲେ। ଆଜି ମଧ୍ୟାହ୍ନରେ ଝିଅର ବାହାଘର ହୋଇଥାନ୍ତା। ହେଲେ ତା’ ପୂର୍ବରୁ ରେଲ୍‌ୱେ ଟ୍ରାକ୍‌ରୁ ସୁରଥଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। 

କେଉଁ ପରିସ୍ଥିତିରେ ସୁରଥଙ୍କ ମୃତ୍ୟୁ ହେଲା ତାହା ଜଣାପଡ଼ିନି। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ମୃତ୍ୟୁ ପଛରେ ଆଉ କିଛି କାରଣ ରହିଛି ତାହା ଜଣାପଡ଼ିନି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।