• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାମାଜିକ ବାସନ୍ଦ ଭୟ, ଶବକୁ ଛୁଇଁଲେନି ଗାଁ ଲୋକ । ଏକବିଂଶ ଶତାଦ୍ଦୀରେ ଲୋକଙ୍କ ମନ ଭିତରୁ ଦୂର ହେଉନି ଅନ୍ଧବିଶ୍ୱାସ । ଏବେ ବସା ବାନ୍ଧିଛି ମଧ୍ୟଯୁଗୀୟ ମାନସିକତା । ଝିଅ ମାନେ ଭିନ୍ନ ଜାତିରେ ବିବାହ କରିଥିବାରୁ ବାପାକୁ ବାସନ୍ଦ କରିଥିଲେ ସମାଜ ଲୋକ । ଆଉ ମରିବା ପରେ ମଧ୍ୟ ତାଙ୍କୁ କ୍ଷମା ଦିଆଗଲା ନାହିଁ । ଶବକୁ ମଧ୍ୟ ବାସନ୍ଦ କଲେ ସାହିଭାଇ । ଯାହା ଫଳରେ ସାତ ଘଣ୍ଟା ଧରି ପଡିରହିଲା ଶବ । କୌଣସି ଉପାନ୍ତ ଇଲାକା କି ଗାଁରେ ନୁହେଁ ବଲାଙ୍ଗିର ସହର ଭିତରେ ଘଟିଛି ଏଭଳି ଘଟଣା ।

ବଲାଙ୍ଗିର ସହର ଡୁଙ୍ଗୁରିପଡାର ରହୁଥିଲେ ୬୫ ବର୍ଷୀୟ ବୀର ମୁଣ୍ଡା । ତାଙ୍କ ସ୍ତ୍ରୀଙ୍କର ଆଗରୁ ମୃତ୍ୟୁ ହୋଇ ସାରିଛି । ପରିବାର କହିଲେ ତିନି ଝିଅ ଏବଂ ଗୋଟିଏ ପୁଅ । ପ୍ରେମ ବିବାହ କରି ତିନି ଝିଅ ଭିନ୍ନ ଭିନ୍ନ ଜାତିରେ ବାହା ହୋଇଥିଲେ । ଯାହା ଫଳରେ ଜାତି ଲୋକେ ବୀର ମୁଣ୍ଡାଙ୍କୁ ବାସନ୍ଦ କରିବା ସହ ନିଆଁ ପାଣି ବନ୍ଦ କରିଥିଲେ । ଆଜି ରୋଗଗ୍ରସ୍ତ ହୋଇ ସକାଳ ୮ ଟାରେ ବୀର ମୁଣ୍ଡାଙ୍କର ମୃତ୍ୟୁ ହୋଇଗଲା । ଝିଅ ମାନେ ଭିନ୍ନ ଜାତିରେ ବିବାହ କରିଥିବାରୁ ଶବକୁ ଜାତିଭାଇ ଲୋକେ କେହି ଛୁଇଁଲେ ନାହିଁ ।

ପୁଅ ବହୁତ ନେହୁରା ହେଲା ପରେ ମଧ୍ୟ କେହି ଶୁଣିଲେ ନାହିଁ । ୭ ଘଣ୍ଟା ଧରି ପଡିରହିଲା ଶବ । ଶେଷରେ ଝିଅ ମାନଙ୍କ ପୁଅ ମାନେ ଆସିବା ପରେ, ପରିବାର ଲୋକେ ଶବ ସତ୍କାର କରିଥିଲେ । ଝିଅ ମାନେ ପ୍ରେମ ବିବାହ କଲେ ଵୋଲି ବାପାର ଶବକୁ ବାସନ୍ଦ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ବଲାଙ୍ଗୀରରୁ ଘଟେଶ୍ୱର ମିଶ୍ରଙ୍କ ରିପୋର୍ଟ