ମା’କୁ ପର କରିଦେଲେ ତିନିତିନିଟା ପୁଅ; ମଲାପରେ କାନ୍ଧରେନେଲା ଝିଅ, ନିଜେ ଦେଲା ମୁଖାଗ୍ନି

ଗତକାଲି ମାଆର ମୃତ୍ୟୁ ହେଲା ବୋଲି ଭାଇମାନଙ୍କୁ ଖବର ଦେବାରୁ ଭାଇମାନେ ଆଡ଼ ଆଖିରେ ବି ଚାହିଁଲେନି । ଗାଁର ସରପଞ୍ଚଙ୍କ ଉପସ୍ଥିତିରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମାଆର ଶେଷକୃତ୍ୟ ସମ୍ପନ୍ନ କଲା ଝିଅ । ଏ ସଂପର୍କରେ ମୃତ ଅପୂର୍ବ ନାଏକଙ୍କ ସାନପୁଅ କହିଛନ୍ତି ମାଆଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେ ଗାଁକୁ ଯିବାକୁ ଚେଷ୍ଟା କରିଥିଲେ ।

ମାଆର ଚିତାଭଷ୍ମକୁ ଦେଖି ଛାତି ଫଟେଇ କାନ୍ଦୁଛି ଝିଅ

ମାଆର ଚିତାଭଷ୍ମକୁ ଦେଖି ଛାତି ଫଟେଇ କାନ୍ଦୁଛି ଝିଅ । ପର କରି କେଉଁଆଡେ ଚାଲିଗଲା ବୋଲି ବାହୁନି ହେଉଛି । ଯେତେ ଚେଷ୍ଟାକଲେ ବି ନିଜକୁ ନିୟନ୍ତ୍ରଣ କରିପାରୁନି । ଶେଷରେ ମାଆକୁ ବୁଝେଇ ସୁଝେଇ ଘରକୁ ଫେରାଇ ନେଉଛି ଝିଅ । ନିଜେ ଅଭାବ ଅସୁବିଧାରେ ଚଳୁଥିଲେ ବି ନିଜ ୮୦ ବର୍ଷର ବୁଢ଼ୀ ମାଆକୁ ମଲାଯାଏଁ ନିଜ ପାଖରେ ରଖିଥିବା ମହିଳା ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ସଲେଇକେନା ଗାଁର ନିରାଶ ନାଏକ ।

ଗତକାଲି ନିଜ ମାଆ ଅପୂର୍ବ ନାଏକଙ୍କର ମୃତ୍ୟୁ ହେବା ପରେ ଭାଇମାନଙ୍କୁ ଖବର ଦେଇଥିଲେ ନିରାଶ । ହେଲେ ତିନିତିନିଟା ଭାଇ ଥାଇ ବି କେହି ଟିକେ ଆସିଲେନି, କି ମାଆକୁ କାନ୍ଧ ବି ଦେଲେନି, ମୁଖାଗ୍ନି ତ ଦୂରର କଥା । ଶେଷରେ ନିରାଶ ହୋଇ କାନ୍ଦି କାନ୍ଦି ଗାଁ ଲୋକଙ୍କ ସହଯୋଗରେ ନିଜ ବାଡି ପଛପଟେ ମାଆ ମୁହଁରେ ନିଆଁଦେଲେ ନିରାଶ ।

ନିରାଶଙ୍କ କହିବା ଅନୁସାରେ ଯୋଡ଼ା ବ୍ଲକ୍ ମରସୁଆଁ ଗାଁରେ ରହୁଥିବା ଭାଇମାନେ ମାଆକୁ ଦିନେକାଳେ ପଚାରୁ ନଥିଲେ । ଖାଇବା ପିଇବାକୁ ଦେବା ତ ଦୂରର କଥା ଏମିତିକି ମାଆକୁ ବାଡିଆ ମରା ବି କରୁଥିଲେ । ସେଇଥିପାଇଁ ନିରାଶ, ମାଆକୁ ଗଲା ୫ ବର୍ଷ ହେଲା ନିଜ ପାଖରେ ରଖିଥିଲେ, ସେବା ଶୁଶ୍ରୁଷା କରୁଥିଲେ ।

ହେଲେ ଗତକାଲି ମାଆର ମୃତ୍ୟୁ ହେଲା ବୋଲି ଭାଇମାନଙ୍କୁ ଖବର ଦେବାରୁ ଭାଇମାନେ ଆଡ଼ ଆଖିରେ ବି ଚାହିଁଲେନି । ଗାଁର ସରପଞ୍ଚଙ୍କ ଉପସ୍ଥିତିରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମାଆର ଶେଷକୃତ୍ୟ ସମ୍ପନ୍ନ କଲା ଝିଅ । ଏ ସଂପର୍କରେ ମୃତ ଅପୂର୍ବ ନାଏକଙ୍କ ସାନପୁଅ କହିଛନ୍ତି ମାଆଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେ ଗାଁକୁ ଯିବାକୁ ଚେଷ୍ଟା କରିଥିଲେ । ତେବେ ଗାଡ଼ି ଯୋଗାଡ଼ ହୋଇନପାରିବାରୁ ସେ ଯାଇପାରି ନଥିଲେ।

ପୁଅ ହେଉ କି ଝିଅ, ବାପା ମାଆଙ୍କ ଦାୟିତ୍ୱ ଉଭୟଙ୍କର । ଯେଉଁ ବାପା ମା’ ବଢ଼େଇ କୁଢେଇ ପିଲାମାନଙ୍କୁ ମଣିଷ କରନ୍ତି, ସେଇ ପିଲା ଯଦି ବୁଢ଼ା ବୟସରେ ପର କରିବେ ତାହାଲେ ପୁଅ ଜନ୍ମକରି କି ଲାଭ ? ହେଲେ ଏଠି ଭାଇ ମାନେ ସିନା ପଚାରିଲେନି, ନିଜ ମାଆକୁ ନିରାଶ କରିନାହାନ୍ତି ନିରାଶ ।