/odishatv-khabar/media/post_attachments/uploadimage/library/16_9/16_9_0/Dam_1678511206.jpg)
Dam
ଡ୍ୟାମ୍ ଅଛି କିନ୍ତୁ ପାଣି ନାହିଁ । ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ଡ୍ୟାମରେ ସମାନ ଅବସ୍ଥା । କେଉଁଠି ଲିକେଜ୍ ତ ପୁଣି କେଉଁଠି ରକ୍ଷଣାବେକ୍ଷଣା ଅଭାବରୁ ଶୋଚନୀୟ ହୋଇପଡ଼ିଛି । ବାଲେଶ୍ୱର କୁଲଡିହା ଅଭୟାରଣ୍ୟ ଭିତରେ ଥିବା ଏକାଧିକ ଡ୍ୟାମ୍ର ସ୍ଥିତି ଶୋଚନୀୟ ।
ଦିନ ଥିଲା ଏଠି ଅକାତ ଅକାତ ପାଣି ଥିଲା । ଲୋକେ ଆସୁଥିଲେ, ବୋଟରେ ବୁଲୁଥିଲେ । ମରଭୂମିର ଭ୍ରମ ସୃଷ୍ଟି କରୁଥିବା ଏହି ଅଞ୍ଚଳ ହେଉଛି ଏକ ଡ୍ୟାମ୍ ।
ହଁ, ଠିକ ଶୁଣିଛନ୍ତି, ଜଳ ଭଣ୍ଡାରରେ ହେଲେ ଏବେ ଏଠି ନାହିଁ ଜଳଶୟର ଚିହ୍ନବର୍ଣ୍ଣ । ଦୂର ଦୂର ଯାଏଁ ଶୁଖିଲା ପଡ଼ିଛି ମାଟି । ଚାରିଆଡ଼େ ଖାଲି ପଡ଼ିଛି ପଡ଼ିଆ ।ବାଲେଶ୍ବର ଜିଲ୍ଲା ନୀଳଗିରି କୁଳଡିହା ଅଭୟାରଣ୍ୟ ଭିତରେ ରହିଛି ରିଷିଆ ଡ୍ୟାମ୍ । ଜଳ ସରଂକ୍ଷଣ ପାଇଁ ନିର୍ମାଣ ହୋଇଥିବା ଏହି ଡ୍ୟାମର ଅବସ୍ଥା ଏତେ ଶୋଚନୀୟ କି ବୋଟ୍ ଗୁଡ଼ିକ ବି ଯେଉଁଠି ଥିଲା ସେଠି ଅଟକି ରହିଛି । ସତେ ଯେମିତି ଏମାନେ ଖୋଜୁଛନ୍ତି ଯାତ୍ରୀ ଆଉ ନିଜେ ଉଦ୍ଧାର
ପାଇବା ପାଇଁ ସହାୟତା ମାଗୁଛନ୍ତି । ଚାଷ, ଚାଷୀଙ୍କ ପାଇଁ ଡ୍ୟାମ୍ ସିନା ହେଲା କିନ୍ତୁ କାମରେ ଲାଗି ପାରୁନି ।
ଖାଲି ରିଷିଆ ନୁହେଁ କୁଳଡିହା ଅଭୟାରଣ୍ୟ ଭିତରେ ଥିବା ଖୁମକୁଟ ଡ୍ୟାମର ଅବସ୍ଥା ମଧ୍ୟ କହିଲେ ନ ସରେ । ୨୭୨ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଏହି ଡ୍ୟାମକୁ ୧୮୪୨ ମସିହାରେ ତିଆରୀ କରିଥିଲେ ତତ୍କାଳୀନ ନୀଳଗିରି ରାଜ ପରିବାର । ଜଙ୍ଗଲରେ ରହୁଥିବା ଜୀବଜନ୍ତୁ ଓ ଲୋକଙ୍କ ପାଇଁ କାମରେ ଆସୁଥିଲା ଏହି ଜଳାଶୟ ।
ଅଧ ଫୁଟ୍ ପାଣି, କାଦ ପଚ ପଚ...ଯୁଆଡ଼େ ଦେଖିବେ ଖାଲି ପଡ଼ିଆ । ଆଉ ଏହାରି ଭିତରୁ ନିଜ ଶୋଷ ମେଣ୍ଟାଉଛନ୍ତି ହାତୀଠୁ ଆରମ୍ଭ କରି ଅନ୍ୟ ଜୀବଜନ୍ତୁ । ଜଙ୍ଗଲରେ ପାଣି ପାଇଁ ଏମିତି ପ୍ରତିଦିନ ଡହଳବିକଳ ହେଉଛନ୍ତି । କୁଳଡିହା ଭିତରେ ଥିବା ୪ରୁ ଅଧିକ ଛୋଟ ବଡ଼ ଡ୍ୟାମରେ ବର୍ଷ ବର୍ଷ ଧରି ଏମିତି ସମସ୍ୟା ଲାଗି ରହିଛି । ରିଷିଆ ଡ୍ୟାମରେ ଲିକେଜ୍ ଯୋଗୁଁ ପାଣି ଜମିବା ପରିବର୍ତ୍ତେ ବୋହି ଚାଲି ଯାଉଛି । ସେହିପରି ଅନ୍ୟ ଜଳାଶୟରେ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି । ସେପଟେ ଜଳାଶୟ ସକ୍ଷମ କରିବା ପାଇଁ ପ୍ରଶାସନକୁ ନିବେଦନ କରିଛି ବନ ବିଭାଗ ।
ପାଣି ନମିଳିବାରୁ ଏବେ ସହର ମୁହାଁ ହାତୀଙ୍କ ସମେତ ଅନ୍ୟ ଜଙ୍ଗଲୀ ଜନ୍ତୁ । ଅଭୟାରଣ୍ୟକୁ ଲାଗି ରହିଥିବା ଜନବସତିରେ ଏହାକୁ ନେଇ ଦେଖାଦେଇଛି ଆତଙ୍କ । ବାରମ୍ବାର ଏଭଳି ଘଟଣା ଅନେକ ପ୍ରଶ୍ନ ସମସ୍ତଙ୍କ ସାମ୍ନାରେ ଛିଡ଼ା କରିଛି ।
(ରିପୋର୍ଟ- ନୀଳଗିରିରୁ ବିଶ୍ବମ୍ବର ଦାସ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)