• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପଡ଼ୋଶୀ ରାଜ୍ୟରୁ ମାଲବାହୀ ଟ୍ରକ ଆସି ଲାଗୁଛି ରାତିରେ

  • ବର୍ଷା କାରଣରୁ ଧାନକୁ ସାଇତି ରଖିବାରେ ଉପୁଜିଛି ସମସ୍ୟା

ଗଜପତି( ଆଦର୍ଶ ଦାସ ) : ପୁଣି ଏକ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷିବା ନେଇ ପାଣିପାଗ ବିଭାଗର ପୂର୍ବନୁମାନ । ଏହାରି ମଧ୍ୟରେ ଗଜପତି ଜିଲ୍ଲାରେ ଏଯାଏଁ ମଣ୍ଡି ଖୋଲିନାହିଁ କି ଅମଳ ଧାନ ରଖିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ନାହିଁ । ଫଳରେ ଧାନ ଅମଳ ପରେ ସାଇତି ରଖିବାରେ ଅସୁବିଧା ଥିବାବେଳେ ବାରମ୍ବାର ବର୍ଷା ମାଡ ଆନ୍ଧ୍ର ବ୍ୟବସାୟୀଙ୍କୁ ବେଶ୍ ସୁହାଇଛି । ଚାଷୀଙ୍କ ବାଧ୍ୟବାଧକତାକୁ ଦୃଷ୍ଟିରେ ରଖି ଆନ୍ଧ୍ର ବ୍ୟବସାୟୀମାନେ ଚାଷୀଙ୍କ ଅମଳ ଧାନକୁ ଶାଗମାଛ ଦରରେ କିଣି ନେଉଛନ୍ତି । ପ୍ରତିଦିନ ଶହ ଶହ ଟ୍ରକ୍ ଧାନ ଆନ୍ଧ୍ରକୁ ଚାଲାଣ ହେଉଛି ।

ଅନ୍ଧାର ରାତିରେ ଆନ୍ଧ୍ରକୁ ଚାଲାଣ ହେଉଛି ଅନ୍ନଦାତାଙ୍କ ବର୍ଷଯାକର ଅମଳ । ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ମାଲବାହୀ ଟ୍ରକ ଆସୁଛି ଆଉ ଓଡ଼ିଶାରୁ ଧାନକୁ ବୋହି ନିଆଯାଉଛି । ଓଡ଼ିଶାର ଚାଷୀ କରିବେ ତ କରିବେ କଣ ବର୍ଷା ବିତ୍ପାତ ଭୟ ଘାରିଛି । ସେଥିପାଇଁ ଝାଳବୁହା ଅମଳକୁ କମ୍ ଦରରେ ବିକ୍ରି କରିବାକୁ ଚଷା ପୁଅ ବାଧ୍ୟ ହେଉଛି । ଦଲାଲମାନେ ଏହାର ସୁଯୋଗ ନେଇ ଫାଇଦା ଉଠାଉଛନ୍ତି । ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଏମିତି ଚିତ୍ର ସାମ୍ନାକୁ ଆସିବା ପରେ ଏବେ ଚିନ୍ତା ବଢ଼ିଛି । କାହିଁକିନା ପ୍ରତିଦିନ ଶହ ଶହ ଟ୍ରକ ଧାନ ଆନ୍ଧ୍ରକୁ ଚାଲାଣ ହେଉଛି ।

ପୁଣି ଏକ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷିବା ନେଇ ପାଣିପାଗ ବିଭାଗ ପୂର୍ବନୁମାନ ପରେ ଚାଷୀଙ୍କ ଚିନ୍ତା ବଢିଛି । ବିଲରେ ଧାନ ପଚି ସଡ଼ି ଯିବା ଅପେକ୍ଷା କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ପ୍ରଶାସନ ପକ୍ଷରୁ ମଣ୍ଡି ଖୋଲି ନଥିବାରୁ ସମସ୍ୟା ବଢିଛି । ଏମିତି କି କିଛି ଚାଷୀ ଧାନ କାଟି ଆଣି ଖୋଲା ଆକାଶରେ ରଖିଥିବାରୁ କ୍ଷତିର ଆଶଙ୍କା କରି ଧାନ ବିକ୍ରି କରିଦେଉଛନ୍ତି ।

ଚଳିତ ବର୍ଷ ସରକାର ଧାନ କୁଇଣ୍ଟାଲ ପିଛା ୧୯୪୦ ଟଙ୍କା ଦର ଧାର୍ଯ୍ୟ କରିଛନ୍ତି । ହେଲେ ଏବେ ଚାଷୀ ପରିସ୍ଥିତିରେ ପଡି ନିଜର ଧାନକୁ ମାତ୍ର ୯ଶରୁ ହଜାରେ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ସେପଟେ ଚାଷୀଙ୍କ ସ୍ୱାର୍ଥ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିବା ବଦଳରେ ଅତି ହାଲୁକା ଢଙ୍ଗରେ ନିଜ ମତ ରଖିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ । ଡିସେମ୍ବର ଶେଷ ସପ୍ତାହରେ ମଣ୍ଡି ଖୋଲାଯିବା ନେଇ ସ୍ଥିର ହୋଇଛି ବୋଲି ସେ କହିଛନ୍ତି । ସେହି ସମୟ ଯାଏଁ ଚାଷୀ ନିଜ ଧାନ ନିଜେ ସୁରକ୍ଷିତ ଭାବେ ରଖିବା ଆବଶ୍ୟକ ବୋଲି ସେ ଦୋହରାଇଛନ୍ତି । ଗୋଟିଏ ପଟେ ପ୍ରକୃତିର ଦାଉ ଅନ୍ୟପଟେ ପ୍ରଶାସନିକ ଅବହେଳାରେ ପେଶି ହେଉଛନ୍ତି ସାଧାରଣ ଚାଷୀ ।