• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ବତୁରୁଛି ଦାନା, ଭାସୁଛି ଧାନ । ତଥାପି କୋହ ଚାପି ଆଣ୍ଠୁଏ ପାଣିରୁ ଅନ୍ନ ସାଉଁଟୁଛି ଅନ୍ନଦାତା । ଦଇବ ରୂପୀ ଅଦିନିଆ ବର୍ଷା ଦୁଃଖ ଦେଇଛି ଯେତେବେଳେ ଦୋଷ ଦେବ ବା କାହାକୁ । ପଚି ଯାଇଥିବା ପାଚିଲା ଧାନରୁ କଣ ବା ଆଉ ମିଳିବ ? ଏକଥା ଠିକ୍ ଜଣାଥିଲେ ବି ମନ କିନ୍ତୁ ବୁଝୁନି ।

କେନ୍ଦ୍ରାପଡ଼ା ମାର୍ଶାଘାଇ ଠାଉରୀ ଗାଁର ଚାଷୀ ମଧୁସୂଦନ ସ୍ୱାଇଁଙ୍କର ଉଜୁଡ଼ା ଚାଷ ଦେଖିଲେ ଆଖିରୁ ଲୁହ ଆପେ ଗଡ଼ି ଆସିବ । ଆଉ ତାଙ୍କର ଭୁଇଁକୁ ଛୁଇଁଥିବା ଭଙ୍ଗା ଚାଳ ଘର ବି ବଖାଣୁଛି ଗୋଟିଏ ଚାଷୀର ପରିସ୍ଥିତି । ପତ୍ନୀ ଭାତ ଗଣ୍ଡେ ଆଣି ପିଣ୍ଡାରେ ଥୋଇ ଦେଉଛନ୍ତି, ଆଉ ତାକୁ ଲୁଣ-ପିଆଜ ଲଗାଇ ମୁହଁରେ ମୁଠାଏ ଦେଲା ବେଳକୁ ମଧୁସୂଦନ ମନେ ମନେ ଭାବୁଛନ୍ତି ‘ଏଥର ଏତିକି ବି ମିଳିବାର ବି କାଣିଚାଏ ସମ୍ଭାବନା ନାହିଁ’ । ନିଜର ୨ ଏକର ଓ ଭାଗଚାଷରେ ୩ ଏକର, ଏମିତି  ୫ ଏକର ଧାନ ଜମିରେ ସୁନା ଫଳାଇଥିଲେ ମଧୁସୂଦନ । ହେଲେ ଅବିଶ୍ରାନ୍ତ ବର୍ଷାରେ ସବୁ ଛାରଖାର । ତାଙ୍କ ଭଳି ଏହି ଗାଁର ଅନେକ ଚାଷୀଙ୍କ ସମାନ ଦୁଃସ୍ଥିତି । ଏପଟେ ସମ୍ପୂର୍ଣ୍ଣ କେନ୍ଦ୍ରାପଡ଼ା ଜିଲ୍ଲାରେ ୭ଦିନ ଭିତରେ କ୍ଷୟଯତି ଆକଳନ କରି ସରକାରଙ୍କୁ ରିପୋର୍ଟ ଦେବେ କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ଉପକୂଳ ହେଉ କି ଉତ୍ତର, ବାତ୍ୟା ଜଓ୍ୱାଦ୍ ଜନିତ ବର୍ଷାର ତିନି ଦିନ ପରେ ବି ସବୁଠି ଉଜୁଡ଼ା ଧାନ ଚାଷର ବିକଳ ଚିତ୍ର । ଜଗତସିଂହପୁରରେ କେଣ୍ଡାରେ ଥାଇ ଗଜା ମାରିଲାଣି ତ ବାଲେଶ୍ୱର ବାହାନଗାରେ ପାଣି ଭର୍ତ୍ତି କିଆରୀରୁ ଛାଣୁଛି ଚାଷୀ । ଚାନ୍ଦବାଲି, ବାସୁଦେବପୁର ଓ ଉଦଳା, ସବୁଠି ପାଣି ଭର୍ତ୍ତି ଜମିରେ ଲୋଟିଛି ଅମଳକ୍ଷମ ଧାନ ।

 

ଅବିଶ୍ରାନ୍ତ ବର୍ଷା ମାଡ଼ରେ କେତେ ଘାଇଲା ପରିବା ଫସଲ ? କଟକ ଜିଲ୍ଲାର ତରକାରୀ ହାଣ୍ଡି ଭାବେ ପରିଚିତ ବାଙ୍କି କୁସପଙ୍ଗି ଅଞ୍ଚଳର ପରିସ୍ଥିତି ମଧ୍ୟ ସ୍ପଷ୍ଟ ବୟାନ କରୁଛି ସେହିକଥା । ଜମିଥିବା ବର୍ଷା ପାଣିରେ ଝୁଲୁଛି ଝୁଡ଼ୁଙ୍ଗ, ପଚି ଯାଇଛି ପୋଟଳ, ପୋକ ଧରିଲାଣି ଫୁଲକୋବି । ଚାଷୀ ତୋଳିବାକୁ ଗଲା ବେଳକୁ ଯାହାକୁ ଧରୁଛି ସିଏ ସଢ଼ା ସମାନ ସ୍ଥିତି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ସୁବର୍ଣ୍ଣରେଖା କୂଳରେ ଆଠ ଦିନ ତଳେ ଯେଉଁ ପନିପରିବା ସବୁ ଛନଛନ ହୋଇ ଜମିରେ ହସୁଥିଲା, ଏବେ ପଚି ଷଢ଼ି ଜମିରେ ଲୋଟିଲାଣି । ସୁବର୍ଣ୍ଣରେଖା କୂଳରେ ପ୍ରାୟ ୩୫ ହଜାର ହେକ୍ଟର ଜମିରେ ପରିବା ଫସଲକୁ କ୍ଷତି ପହଞ୍ଚିଥିବା ଆକଳନ କରାଯାଉଛି । ଚାଷୀ କହିଲେଣି, କ୍ଷତିପୂରଣ ନମିଳିଲେ ଚାଷ ଛାଡ଼ିଦେବୁ ।

ଚାଷ ଓ ଚାଷୀଙ୍କ ସ୍ଥିତି-ଦୁଃସ୍ଥିତିର ଦୁର୍ବିସହ ଚିତ୍ର ଭିତରେ ଗତକାଲି ରାଜସ୍ୱମନ୍ତ୍ରୀ କହିଥିଲେ, ବର୍ଷା ପ୍ରଭାବିତ ଜିଲ୍ଲାରୁ ରିପୋର୍ଟ ଆସିଲେ, ରିଲିଫ୍ କୋଡ୍ ଅନୁସାରେ କ୍ଷତିପୂରଣ ମିଳିବ । ହେଲେ କେବେ ମିଳିବ ସହାୟତା, ସେ ଅପେକ୍ଷାରେ ଅନ୍ନଦାତା ।