/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698824655.jpg)
Cuttack in Cuttack lies in defunct condition
ଗତବର୍ଷ କଟକର ବାଲିଯାତ୍ରା ତଳ ପଡ଼ିଆରେ ମୁଖ୍ୟ ଆକର୍ଷଣ ସାଜିଥିଲା କଟକ ଇନ୍ କଟକ ପାଭିଲିୟନ । ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ହେଲେ ଏବେ ତାହା ଜରାଜୀର୍ଣ୍ଣ ଅବସ୍ଥାରେ । ଲୁହା ଗେଟ୍ ବାଉଣ୍ଡ୍ରି ଭାଙ୍ଗି ଯାଇଥିବା ବେଳେ ଜିମ୍ ସାମଗ୍ରୀରେ କଳଙ୍କି ଲାଗି ଯାଇଛି। ବର୍ଷେ ନ ପୁରୁଣୁ ପାଭିଲିୟନର ଏଭଳି ଅବସ୍ଥା କଟକ ବାସିନ୍ଦାଙ୍କୁ ବ୍ୟଥିତ କରିଛି ।
ଗତବର୍ଷ ବାଲିଯାତ୍ରା ସମୟରେ କଟକ ଇନ୍ କଟକ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା । ଏହାକୁ ନବବଧୂ ଭଳି ସଜା ଯାଇଥିଲା । ହେଲେ ଏବେ ଏହା ଜରାଜୀର୍ଣ୍ଣ ଅବସ୍ଥାରେ । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଗଛଭରା ସ୍ଥାନଟିକୁ ନୂଆ ରୂପ ଦେଇଥିଲା ସିଏମ୍ସି । ହେଲେ ବର୍ଷେ ନପୁରୁଣୁ ଏହି ସ୍ଥାନର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି ।
ପର୍ଯ୍ୟଟକଙ୍କ ପାଇଁ ହୋଇଥିବା ଶୌଚାଳୟ ଭାଙ୍ଗି ରୁଜି ଗଲାଣି । ସିମେଣ୍ଟର ଚେୟାର, ଜିମ୍ ସାମଗ୍ରୀ, ପିଲାଙ୍କ ଦୋଳି ସବୁ ନଷ୍ଟ ହୋଇଯାଇଛି । ଲୁହାର ଗେଟ୍ ଭାଙ୍ଗି ଗଲାଣି । ଆଉ ସନ୍ଧ୍ୟା ହେଲେ ଚାରିଆଡ଼େ ଘନ ଅନ୍ଧକାର । ଜମେ ଅସାମାଜିକ ଲୋକଙ୍କ ଆଡ୍ଡା ।
ବାଲିଯାତ୍ରା ସରିବାର କିଛି ଦିନ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ କରାଗଲା ଆଉ ତା’ପରେ ଏହାକୁ ତାଲା ପକାଇ ରଖିଛି କଟକ ମହାନଗର ନିଗମ । ଫଳରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ବିଭିନ୍ନ କାରୁକାର୍ଯ୍ୟ ନଷ୍ଟ ହୋଇଯାଇଛି ।
କଟକ ସହରକୁ ନୂଆ ରୂପରେଖ ଦେବାକୁ ଯୋଜନା କରୁଥିବା ପ୍ରଶାସନ କଟକ ଇନ୍ କଟକ ପାଇଁ ଦେଖାଉ ନାହିଁ ତତ୍ପରତା । ତେଣୁ ଏହି ସ୍ଥାନର ରକ୍ଷଣାବେକ୍ଷଣ ପାଇଁ କଟକ ବାସିନ୍ଦା ଦାବି କରିଛନ୍ତି । ସେପଟେ କଟକ ଇନ୍ କଟକକୁ ଏକ ପର୍ଯ୍ୟଟନସ୍ଥଳୀ କରିବା ସହ ଅଧିକ ଆକର୍ଷଣୀୟ କରିବା ପାଇଁ ମାଷ୍ଟର ପ୍ଲାନ୍ ତିଆରି ହୋଇଥିବା ମେୟର କହିଛନ୍ତି ।
ଏବେ ଅପେକ୍ଷା କେବେ ନୂଆ ରୂପ ନେଉଛି ଜରାଜୀର୍ଣ୍ଣ ହୋଇ ପଡିଥିବା କଟକ ବାଲିଯାତ୍ରାର ଏହି ସ୍ମୃତିର ସନ୍ତକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)