Advertisment

ଇତିହାସ ପାଲଟି ଯିବ କି ବଡ଼ ପରଦା ? ଆଉ ଆସୁନାହାନ୍ତି ଦର୍ଶକ, ସିନେମା ହଲ୍ ଆଗରେ ଲାଗିଛି ଟୁ-ଲେଟ୍

ସିନେମା ହଲକୁ ନେଇ ଆମ ସମସ୍ତଙ୍କର କିଛିନା କିଛି ଅନୁଭୂତି ରହିଛି। ହଲ୍ ଭିତରେ ବସି ସିନେମା ଦେଖିବାର ମଜା ଥିଲା ଅଲଗା। ଏବେ କିନ୍ତୁ ସ୍ଥିତି ବଦଳି ଯାଉଛି। ଛୋଟ ଛୋଟ ସହରରେ ଥିବା ସିନେମା ହଲ୍ ସବୁ ବନ୍ଦ ହୋଇଗଲାଣି।

author-image
Prangyan Parimita
ଅଦ୍ୟତନ ହୋଇଛି
cinema hall

cinema hall

ସାଲେପୁର(ମନୋଜ୍ ଆଚାର୍ଯ୍ୟ ) : ହଲରେ ସିନେମା ଦେଖିବାର ମଜା କିଛି ଅଲଗା । ଟିକେ ଫୁରସତର ସମୟ ଆଉ ମନୋରଞ୍ଜନ ପାଇଁ ମନ ହେଲେ ମଣିଷ ହଲ ମୁହାଁ ହୁଏ । ଆଉ ସିନେମା ହଲର ଅନ୍ଧାରିଆ ଘର ଭିତରେ କେମିତି ଦୁଇ ତିନି ଘଣ୍ଟା ବିତିଯାଏ ଜଣାପଡେନା । ଆଉ ରଜ ଦଶହରା ଆସିଲେ ତ ସିନେମା ହଲ ଆଗରେ ଯେପରି ମେଳା ଭଳି ଭିଡ଼ । ହେଲେ କରୋନା କାଳରେ ଆଉ ସେସବୁ ଦେଖିବାକୁ ମିଳୁନି । ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଏବେ ସମସ୍ତ ସିନେମା ହଲ ବନ୍ଦ ହୋଇପଡ଼ିଛି । ଅନେକ ହଲ୍ ଆଗରେ ତ ଟୁଲେଟ୍ ଲଗାଯାଇଥିବା ଦେଖିବାକୁ ମିଳୁଛି । ଦୀର୍ଘ ୫୦ ବର୍ଷ ଧରି ସଫଳତାର ସହ ଚାଲି ଆସୁଥିବା ଅନେକ ହଲ ଏବେ ବନ୍ଦ ହେବାକୁ ବସିଲାଣି ।

Advertisment

ସାଲେପୁର ସହରରେ ସିନେମାର ବହୁ ଚାହିଦା । ଗାଁ ଗଣ୍ଡାରୁ ଲୋକେ ସିନେମା ଦେଖିବା ପାଇଁ ଆସୁଥିଲେ । ହେଲେ ଏବେ ହଲ ଆଗରେ ଟୁ ଲେଟ ଲେଖା ଯାଇଛି । ଟିକେଟ କାଉଣ୍ଟର ଆଗରେ ଆଉ କେହି ଦେଖାଯାଉ ନାହାଁନ୍ତି । ସୋକାର୍ଡ ବାକ୍ସ ଖାଲି ପଡ଼ିଛି । ସିନେମା ପୋଷ୍ଟର ବି ଆଉ ହଲ ଆଗରେ ଝୁଲୁନି । ଚେୟାର ସବୁ ଭାଙ୍ଗିରୁଜି ଗଲାଣି । ଲକ୍ଷାଧିକ ଟଙ୍କାର ମେସିନ ନଷ୍ଟ ହେଉଛି । ପରଦା ଅଛି ହେଲେ ଆଉ ତାହା ଉପରେ ସିନେମା ଚାଲୁନି । ହଲ ସବୁକୁ ଭଙ୍ଗାଯାଇ ଅଲଗା ବ୍ୟବସାୟିକ ପ୍ରତିଷ୍ଠାନ କରାଯାଉଛି । କାରଣ କରୋନା କଟକଣା ସହ ହଲ ଚଳାଇବା ଆଉ ସମ୍ଭବ ନୁହେଁ । ତେଣୁ ହଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ହଲ ମାଲିକମାନେ କହିଛନ୍ତି । ଅନ୍ୟପଟେ ଏହି ସବୁ ଅଞ୍ଚଳର ସିନେମା ପ୍ରେମୀଙ୍କୁ ତାହା ବହୁ ଆଘାତ ଦେଇଛି ।

ତେବେ ହଲ ମାଲିକ ନୁହନ୍ତି। ସିନେମା ହଲ ସହ ସଂପୃକ୍ତ କର୍ମଚାରୀ ଓ ହଲ ବାହାରେ ଥିବା ଛୋଟବଡ଼ ବ୍ୟବସାୟୀଙ୍କ ବ୍ୟବସାୟକୁ କରୋନା ବେଶ୍ ପ୍ରଭାବିତ କରିଛି । ପ୍ରଚାର ଗାଡି ସେଇମିତି ରହି ଖତ ଖାଇଲାଣି। ଏହି ସବୁ ଅଞ୍ଚଳର ବହୁ ପୁରାତନ ସିନେମା ହଲ ଏବେ ମଣ୍ଡପ କିମ୍ବା ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ ରୂପାନ୍ତରିତ ହୋଇସାରିଲାଣି । ଆଉ କିଛି ହଲ ଏବେ ତାର ଅସ୍ଥିତ୍ଵ ହରାଇବାର ଶେଷ ପର୍ଯ୍ୟାୟରେ । ବ୍ୟସ୍ତବହୁଳ ଜୀବନ ଭିତରେ ଟିକିଏ ମନୋରଞ୍ଜନ ଵଂଚାଇ ରଖିବା ପାଇଁ ଏବେ ସମୟ ଆସିଛି ମନୋରଞ୍ଜନର ଏହି ପୁରାତନ ମାଧ୍ୟମକୁ ପୁଣିଥରେ ପରିପୃଷ୍ଟ କରିବା ପାଇଁ । ତେବେ ସରକାର ସହଯୋଗ ନକଲେ ଏହା ଅସମ୍ଭବ ଲାଗୁଛି।

Advertisment
Cinema Halls
Advertisment
Advertisment