Advertisment

କୁକୁରଙ୍କୁ ନିଷ୍ଠୁର ଅତ୍ୟାଚାର: ଗୋଡ଼, ବେକକୁ ମାଡ଼ି ବସି ଚାଲିଛି ଷ୍ଟିଜ୍...ବିନା ଆନାସ୍ଥେସିଆରେ ହେଉଛି ସର୍ଜରୀ

ପ୍ରାଣୀ ଚିକିତ୍ସାଳୟର କୁକୁରର ଗୋଡ଼, ବେକକୁ ମାଡ଼ି ବସି ଚାଲିଛି ଷ୍ଟିଜ୍। କୁକୁରଟି କଷ୍ଟ ସହି ନପାରି ଚିତ୍କାର କରୁଛି, ହେଲେ ଯେମିତି କାନ ବୁଜି ଦେଇଛନ୍ତି ଡାକ୍ତର ଓ ହସ୍ପିଟାଲ କର୍ମଚାରୀ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cruelty to dogs at Odisha veterinary hospital

Cruelty to dogs at Odisha veterinary hospital

ନିଷ୍ଠୁର, ବର୍ବର, ବିଭତ୍ସ.. ସୀମା ଟପିଲା ଦାୟିତ୍ୱହୀନତା। ପ୍ରାଣୀ ଚିକିତ୍ସାଳୟର କୁକୁରର ଗୋଡ଼, ବେକକୁ ମାଡ଼ି ବସି ଚାଲିଛି ଷ୍ଟିଜ୍। କୁକୁରଟି କଷ୍ଟ ସହି ନପାରି ଚିତ୍କାର କରୁଛି, ହେଲେ ଯେମିତି କାନ ବୁଜି ଦେଇଛନ୍ତି ଡାକ୍ତର ଓ ହସ୍ପିଟାଲ କର୍ମଚାରୀ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅପରେସନ ଥିଏଟର, ବେଡ୍ ଥାଇ ବି କୁକୁରଙ୍କୁ ରଖାଯାଉଥିବା ସ୍ଥାନ କେନେଲ ଓ ସେଇଠି ହିଁ ଚାଲିଛି ସର୍ଜରୀ। ଆହୁରି ସାଂଘାତିକ ଘଟଣା ହେଲା, ଆନାସ୍ଥେସିଆ ନ ଦେଇ ବିନା ଦ୍ୱିଧାରେ ଅପରେସନ କରୁଛନ୍ତି ଡାକ୍ତର। ଭୁବନେଶ୍ୱରରେ ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣରେ ବ୍ୟାପକ ଅବେହଳା ଓ ଦାୟିତ୍ୱହୀନତା ନେଇ ଅଭିଯୋଗ ହୋଇଛି। 

Advertisment

କୁକୁରଙ୍କ ମେଡିସିନ ବାବଦକୁ କୋଟି କୋଟି ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି କୁକୁରଙ୍କ ସର୍ଜରୀ ପରେ ମେଡିସିନ ବି ଦିଆଯାଉନି। ଫଳରେ କାହାର ଷ୍ଟିଜ୍ ଖୋଲି ଯାଉଛି ତ କାହାର ଖଣ୍ଡିଆ ଶୁଖୁନି। ଆଉ କିଛି କୁକୁର ଯନ୍ତ୍ରଣା ସହି ନପାରି ମରି ଯାଉଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ବିଜେପି ସାଂସଦ ତଥା ପଶୁପ୍ରେମୀ ମେନେକା ଗାନ୍ଧି ଏ ସମ୍ପର୍କରେ ସୋସିଆଲ ମିଡିଆରେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାସହ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ହସ୍ତକ୍ଷେପ ସେ ଲୋଡ଼ିଥିଲେ। ଏହାପରେ ନିଜ ଆଡ଼ୁ ତଦନ୍ତ କରି ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭୁବନେଶ୍ୱର ମହାନଗର ନିଗମ ହସ୍ପିଟାଲରେ ୨ ଡାକ୍ତର ଏବଂ ଏସଡିଭିଓ ମନୋଜ ପଟନାୟକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି।

ତଥ୍ୟ କହୁଛି, କୁକୁର ବାକରଣ ଯୋଜନାରେ ପ୍ରତି କୁକୁର ପିଛା ୫ ଶହ ଟଙ୍କା ଲେଖାଏ ଖର୍ଚ୍ଚ କରୁଛି ବିଏମ୍‌ସି। ଆନାସ୍ଥେସିଆ ଏବଂ ମେଡିସିନ ବାବଦକୁ ୩୦୦ ଟଙ୍କା। ଆଉ ଖାଇବା ଓ ଅନ୍ୟାନ୍ୟ ପାଇଁ ୨୦୦ ଟଙ୍କା ଲେଖାଏ ଖର୍ଚ୍ଚ ହେଉଛି। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ମାସକୁ ପ୍ରାୟ ୬୦୦ କୁକୁର ପାଇଁ ୩୬ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ହେଲେ କୁକୁରଙ୍କ ଖାଇବା ଦାୟିତ୍ୱରେ ଥିବା ଏନଜିଓ ସଂସ୍ଥାର ଅଭିଯୋଗ, ମାସକୁ ୩୦୦ରୁ ଅଧିକ କୁକୁରଙ୍କର ବାକରଣ ହେଉଛି। ତେବେ ବାକି ୩୦୦ କୁକୁରଙ୍କ ବାକରଣ ଅର୍ଥ ଯାଉଛି କୁଆଡ଼େ ? ଅପରେସନ ବେଳେ ଆନାସ୍ଥେସିଆର ବ୍ୟବହାର କାହିଁକି ଡାକ୍ତର କରୁ ନାହାନ୍ତି ?  ଖାଇବା ଦାୟିତ୍ୱରେ ଥିବା ଏନ୍‌ଜିଓ ସଂସ୍ଥା ଏ ନେଇ ପ୍ରଶ୍ନ କରିବା ସହ ଏସବୁ ବାବଦ ଅର୍ଥ ହରିଲୁଟ୍ ହେଉଥିବା ଅଭିଯୋଗ କରିଛି। 

Advertisment

ଅନ୍ୟପକ୍ଷେ, ବିଏମ୍‌ସି କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ବିଭାଗ ପକ୍ଷରୁ ଦିଆଯାଇଥିବା ୩୦୦ ଟଙ୍କାରେ ଆନାସ୍ଥେସିଆ ଆଉ ମେଡିସିନ କିଣିବା ସମ୍ଭବ ନୁହେଁ। ଆଉ ସେଥିପାଇଁ ଏ ବାବଦକୁ ୩ ଶହ ବଦଳରେ ୬ ଶହ ଟଙ୍କା କରିବାକୁ ଗତ ମେ’ ୩୧ ତାରିଖରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗକୁ ଟେକ୍ନିକାଲ କମିଟି ସୁପାରିଶ କରିଛି। 

(ଭୁବନେଶ୍ୱରରୁ କ୍ୟାମେରାମ୍ୟାନ୍ ଓମ୍‌କାର୍‌ ମହାନ୍ତିଙ୍କ ସହ ସୌମ୍ୟ ରଞ୍ଜନ ସାହୁଙ୍କ ରିପୋର୍ଟ)

Dogs Bhubaneswar Municipal Corporation Animal Cruelty
Advertisment
Advertisment