• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସତର୍କ ସୂଚନା ଫଳକ ଲଗାଯିବା ସତ୍ତ୍ୱେ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ଲୋକେ । ପ୍ରତି ମୁହୂର୍ତ୍ତରେ କୁମ୍ଭୀର ଆକ୍ରମଣର ଭୟ ରହିଛି, ତଥାପି ଦୈନନ୍ଦିନ ବିପଦପୂର୍ଣ୍ଣ ଭାବେ ନଦୀ ଭିତରେ ପଶି ପାର ହେଉଛନ୍ତି । ଲୋକେ କୁମ୍ଭୀର ପାଇଁ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ଯାଜପୁର ଖରସ୍ରୋତା ନଦୀର ଶାଖା ଯମୁନା ନାଳ ଆଖପାଖରେ ବସବାସ କରୁଥିବା ଲୋକେ ।

ଯାଜପୁର ବ୍ଲକ ଶିମିଳିଆ ପଂଚାୟତ ଷଠିଆ ଟିଗିରି, ମେରକାଶନପୁର ଓ ଦରାଜପୁର ବାସିନ୍ଦା । ଗାଁ ମୁଣ୍ଡରେ ବନ ବିଭାଗ ପକ୍ଷରୁ ଲଗାଯାଇଛି ସତର୍କ ସୂଚନା ଫଳକ । ଲେଖାଯାଇଛି, କୁମ୍ଭୀର ପ୍ରତି ସଚେତନ ରୁହାନ୍ତୁ । କୁମ୍ଭୀର ଯାତାୟତ କରୁଥିବା ଖରସ୍ରୋତା ନଦୀର ଯମୁନା ନାଳ ମଧ୍ୟକୁ ସର୍ବସାଧାରଣ ପ୍ରବେଶ ନିଷେଧ । ସମସ୍ତଙ୍କୁ ଜଣା ଗାଁ ପାଖ ଯମୁନା ନାଳରେ କୁମ୍ଭୀର ବୁଲୁଛି । ତଥାପି ଆତଙ୍କିତ ଅବସ୍ଥାରେ ଜୀବନକୁ ବାଜି ଲଗାଇ ନଦୀ ପାର ହେବା ସହ ଗାଧୋଉଛନ୍ତି ସ୍ଥାନୀୟ ଲୋକେ ।

ମନରେ ଭୟ ଥିଲେ ବି ଜଣକୁ ବାଡି ଧରାଇ ଜଗୁଆଳ କରି ପିଲାଠୁ ବୟସ୍କ ଯାଏ ନଦୀରେ ଗାଧୋଇବା ସହ ଗୋରୁଗାଇ ପାର କରୁଛନ୍ତି ନଦୀ । ଆରପଟେ ଚାଷ ଜମି ଥିବାବେଳେ ଗମନାଗମନ ସୁବିଧା ନାହିଁ ଫଳରେ ହୁଲି ଡଙ୍ଗାରେ ନଦୀ ପାର ହେଉଛନ୍ତି ଚାଷୀ ।

ଏଠିକାର ୩ଟି ୱାର୍ଡରେ ପାନୀୟ ଜଳ ସମସ୍ୟା ସହ ଅଧିକାଂଶ ଘରେ ଏବେବି ଶୌଚାଳୟ ନାହିଁ । କୁମ୍ଭୀର ପ୍ରତି ଭୟ ଥିଲେ ବି ବାଧ୍ୟରେ ପିଲା ଛୁଆଠାରୁ ଆରମ୍ଭ କରି ବୟସ୍କ ଯାଏ ଶୌଚ ସହ ଓ ଚାଷ ଲାଗି ନଦୀ ପାରି ହେବାକୁ ପଡୁଛି । ଏନେଇ ଜିଲ୍ଲା ପ୍ରଶାସନକୁ ଅବଗତ ପରେ ତୁରନ୍ତ ପାନୀୟ ଜଳ ଓ ଶୌଚାଳୟ ସମସ୍ୟାର ସମଧାନ ଲାଗି ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ତାସହ କୁମ୍ଭୀର ଗତିବିଧି ଉପରେ ଲକ୍ଷ୍ୟ ରଖି ଅନ୍ୟତ୍ର ସ୍ଥାନାନ୍ତର ଲାଗି ପଦେକ୍ଷପ ନେବାକୁ ବନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି । କୌଣସି ଅଘଟଣ ପୂର୍ବରୁ ପ୍ରଶାସନ ତୁରନ୍ତ ଏଥିପ୍ରତି ପଦକ୍ଷେପ ନେବା ଜରୁରି ହୋଇପଡ଼ିଛି ।

ଯାଜପୁରରୁ ସଂଜୀବ ନାୟକଙ୍କ ରିପୋର୍ଟ