Advertisment

ପୁଅର କର୍ତ୍ତବ୍ୟ କଲେ ପୋଲିସ୍ ବାବୁ ! ଖାକି ବର୍ଦ୍ଦିରେ ଅଜଣା ଭିକାରୀଙ୍କ ଦାହ ସଂସ୍କାର ଓ ଶୁଦ୍ଧିକ୍ରିୟା

ସବୁବେଳେ ପୋଲିସକୁ ନେଇ ନାନା ରକମର ଚର୍ଚ୍ଚା ହୋଇଥାଏ। ଆଇନ ଶୃଙ୍ଖଳାଠୁ ରାହାଜାନୀ ପର୍ଯ୍ୟନ୍ତ ସବୁଥିରେ ପୋଲିସକୁ ଦାୟୀ କରାଯାଏ। କିନ୍ତୁ ଏଥର ସାବାସୀ ସାଉଁଟିଛି ପୋଲିସ। ନିଜର ମହାନତା ପାଇଁ ଏବେ ସମସ୍ତଙ୍କ ମୁହଁରେ ଖାକି ବର୍ଦ୍ଦିର ପ୍ରଶଂସା।

author-image
Prangyan Parimita
ଅଦ୍ୟତନ ହୋଇଛି
police

police

ପୁଅ ସାଜିଲେ ପୋଲିସ୍ ବାବୁ । ଅଜଣା ଭିକାରୀଙ୍କୁ ମୁଖାଗ୍ନି ଦେଲେ । ଅସହାୟ ଶବର ଦାହ ସଂସ୍କାର କରିବା ପରେ ଏବେ ସମସ୍ତଙ୍କ ମୁହଁରେ କଣ୍ଟାବାଞ୍ଜି ପୋଲିସର ପ୍ରଶଂସା । ରାସ୍ତାକଡରେ ଗୁରୁତର ଅବସ୍ଥାରେ ପଡିଥିବା ଜଣେ ଭିକାରୀକୁ ପ୍ରଥମେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଆଖି ବୁଜିଦେଲେ ଗୁରୁତର ଭିକାରୀ ଜଣକ । କୌଣସି ସଂପର୍କୀୟ ନଆସିବାରୁ ଅନ୍ତିମ ସଂସ୍କାର କରିବାକୁ ଅଣ୍ଟାଭିଡିଥିଲା କଣ୍ଟାବାଞ୍ଜି ପୋଲିସ । କୋକେଇରେ ନେଇ ଦାହସଂସ୍କାର କରିବା ସହିତ ମୁଖାଗ୍ନି ଦେଇଥିଲେ ଖୋଦ ଏସ୍.ଡି.ପି.ଓ । ଆଉ ଠିକ ଦଶଦିନ ପରେ ମୃତ ବ୍ୟକ୍ତିର ଶୁଦ୍ଧିକ୍ରିୟା କରିଛି କଣ୍ଟାବାଞ୍ଜି ପୋଲିସ ।

Advertisment

ତାରିଖ ୨୫ ଡିସେମ୍ବର,୨୦୨୧ । ସ୍ଥାନ-କଣ୍ଟାବାଞ୍ଜି ଥାନା । ଦିନ ୧୧ ଟାରେ ହଠାତ ଚଳଚଞ୍ଚଳ ହୋଇଥିଲା କଣ୍ଟାବାଞ୍ଜି ଥାନା । ହେଲେ କାରଣ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ନଥିଲା । ଥାନା ଭିତରେ ପୂଜାପାଠ ସହିତ ଚାଲିଥିଲା ଭୋଜିଭାତ । ଏପରିକି ସହରର ଗରିବଗୁରୁବା ଓ ଭିକାରୀ ମାନଙ୍କୁ ଖାଇବା ପିଇବା ଦେଇ ଶୀତବସ୍ତ୍ର ବାଣ୍ଟୁଥିଲେ ପୋଲିସ ବାବୁ ।

ଘଟଣା ଥିଲା କିଛି ଏମିତି । ଦଶଦିନ ତଳେ ଜଣେ ଭିକାରୀଙ୍କର ମୃତ୍ୟୁ ହୋଇଥିଲା । ଆଉ ଏବେ ଥାନା ଭିତରେ ଚାଲିଛି ଭିକାରୀଙ୍କ ଶୁଦ୍ଧିକ୍ରିୟା । ସାଧାରଣ ପରିବାରରେ ଶୁଦ୍ଧିକ୍ରିୟା ଯେମିତି ହୁଏ, ଠିକ ସେମିତି ଫଟୋଚିତ୍ରରେ ମାଳ ପକାଇ ସହରର ଜଣାଶୁଣା ଲୋକେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅନ୍ୟପଟେ ଏହି ଶୁଦ୍ଧିକ୍ରିୟାରେ ଯୋଗଦେଇଥିଲେ ସହର ଭିତରେ ଭିକ ମାଗୁଥିବା ଅନ୍ୟ ଭିକାରୀ ମାନେ । ନିଜ ଭିତରୁ ଜଣକର ମୃତ୍ୟୁ ହୋଇଥିବାରୁ ଶ୍ରଦ୍ଧାଞ୍ଜଳି ଦେଇ ଶ୍ରାଦ୍ଧ ଭୋଜି ଖାଉଥିଲେ । ଆଉ ଖାଇ ସାରିବା ପରେ ସମସ୍ତଙ୍କୁ ଶୀତବସ୍ତ୍ର ବାଣ୍ଟିଛନ୍ତି ପୋଲିସ ବାବୁ । ଅନ୍ନବସ୍ତ୍ର ଦାନ କରିବାର ନେତୃତ୍ୱ ନେଇଥିଲେ କଣ୍ଟାବାଞ୍ଜି ଏସ୍.ଡି.ପି.ଓ । ପୋଲିସର ଏଭଳି କାମ ଦେଖି ଅଭିଭୂତ ହୋଇଯାଇଥିଲେ ସାଧାରଣ ଲୋକେ ।

Advertisment

ତେବେ ଏ କାହାଣୀ ପଛରେ ମଧ୍ୟ ଅଛି ଆଉ ଏକ କାହାଣୀ । ଶୁଦ୍ଧିକ୍ରିୟାର ଠିକ ଦଶଦିନ ପୂର୍ବରୁ ଅଜଣା ଭିକାରୀ ଜଣକ ଗୁରୁତର ଭାବେ ଅସୁସ୍ଥ ହୋଇଥିଲେ । ଆଉ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା କଣ୍ଟାବାଞ୍ଜି ପୋଲିସ । କିନ୍ତୁ ସେ ଡାକ୍ତରଖାନାରେ ଆଖି ବୁଜିଦେଲେ । ପ୍ରାୟ ଚାରଦିନ ଧରି ହସ୍ପିଟାଲରେ ପଡିରହିଲା ଶବ । ହେଲେ ତାଙ୍କ ଶବ ନେବା ପାଇଁ କୌଣସି ସମ୍ପର୍କୀୟ ଆସିନଥିଲେ ।

ଶେଷରେ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କୋକେଇ ବାନ୍ଧିଥିଲା କଣ୍ଟାବାଞ୍ଜି ପୋଲିସ । କାନ୍ଧ ଦେଇଥିଲେ ପୋଲିସ ବାବୁ । ପାଖାପାଖି ଦୁଇ କିଲୋମିଟର ଶବକୁ କାନ୍ଧ ଦେଇ ସସମ୍ମାନରେ ଦାହସଂସ୍କାର କରିଥିଲା ପୋଲିସ । ଖାଲି ସେତିକି ନୁହେଁ ଖାକି ବର୍ଦ୍ଦିରେ ପୁଅ ସାଜି ମୁଖାଗ୍ନି ଦେଇଥିଲେ ପୋଲିସ ବାବୁ ।

ମନୋରଞ୍ଜନ ଯୋଶୀ ଓ ଅନ୍ତିମ ପାଣିଗ୍ରାହୀଙ୍କ ରିପୋର୍ଟ

Last Rites
Advertisment
Advertisment