• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପିଲାଙ୍କ ଲାଗି ନୂଆ ଅଙ୍ଗନବାଡ଼ି କେନ୍ଦ୍ର ହେଲା, ରଙ୍ଗ ହୋଇ ପୂରା ଚକ୍‌ଚକ୍‌ ଦିଶିଲା । ହେଲେ ପିଲାମାନେ ସେହି ଘରେ ପାଠ ପଢିବାର ସୁଯୋଗ ପାଉନାହାନ୍ତି । ତେଣୁ ବାଧ୍ୟ ହୋଇ ସନ୍ତସନ୍ତିଆ ଘରେ ଓଦା ମାଟିରେ ବସି ପାଠ ପଢୁଛନ୍ତି କୁନିକୁନି ପିଲା । ଖାଲି ପାଠ ପଢୁଛନ୍ତି ତାହା ନୁହେଁ ବରଂ ସେଇଠି ରୋଷେଇ ହେଉଛି ପିଲାମାନେ ବସି ଭାତ, ଡାଲି ସହ ଅଣ୍ଡା ବି ଖାଉଛନ୍ତି । ହେଲେ ଏମିତି ଅବ୍ୟବସ୍ଥାରେ ପିଲାମାନେ ବସି ପାଠ ପଢୁଥିବାରୁ ତେଜିବାରେ ଲାଗିଲାଣି ଅସନ୍ତୋଷ ।

କନ୍ଧମାଳ ଫିରିଙ୍ଗିଆ ବ୍ଲକ କାସିନିପଦର ପଞ୍ଚାୟତର ତରଗାବାଲି ଗାଁରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଏଠାରେ ଅଙ୍ଗନବାଡି କେନ୍ଦ୍ର ଜଣେ ଗ୍ରାମବାସୀଙ୍କ ମାଟି ଘର ବାରଣ୍ଡାରେ ବଡ଼ ଦୟନୀୟ ଅବସ୍ଥାରେ ଚାଲିଛି । ଏପଟେ କିନ୍ତୁ ନବନିର୍ମିତ ଅଙ୍ଗନବାଡି କେନ୍ଦ୍ରର କୋଠାରେ ତାଲା ଠୁଙ୍କି ଦେଇଛି ଠିକାଦାର । ଖରା କି ଶୀତ ଦିନରେ ଯାହା ଯେମିତି ପଢାଯାଉଥିଲା ହେଲେ ଏବେ ବର୍ଷା ଦିନ । ତେଣୁ ଢୋ ଢୋ ବର୍ଷା ହେଲେ ସ୍ଥିତି ପୂରା ସଙ୍ଗୀନ ହେଉଛି । ମାଟି କାନ୍ଥ ଥିବାରୁ ସନ୍ତଉଛି । ହେଲେ ବି କାହା ପାଖରେ କିଛି ଉପାୟ ନାହିଁ । ସେଇଥି ପାଇଁ ତ ସେମିତି ପରିବେଶରେ ପିଲାଏ ପଢୁଛନ୍ତି ପାଠ ।

ଏଠାରେ ଖାଲି କୁନିକୁନି ପିଲାଙ୍କ ପୋଷଣ କାର୍ଯ୍ୟକ୍ରମ ହେଉଛି ତାହା ନୁହେଁ ବରଂ ପ୍ରସୂତି ମହିଳାଙ୍କ ମମତା କାର୍ଯ୍ୟକ୍ରମ ବି ସେହି ବିପଦସଂକୁଳ ଘରେ ଚାଲିଛି । ଅଙ୍ଗନବାଡି ପରିଚାଳିକା ବଡ଼ ଦୟନୀୟ ଅବସ୍ଥାରେ ପିଲାଙ୍କୁ ପାଠ ପଢେଇବା ସହିତ ରୋଷେଇ କରି ଖାଇବାକୁ ଦେଉଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗାଁରେ ଯେବେଠାରୁ ଅଙ୍ଗନବାଡି କେନ୍ଦ୍ର ଖୋଲାଯାଇଛି ସେବେଠାରୁ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇନି ।

ବିପଦସଂକୁଳ ଅଙ୍ଗନବାଡି ନେଇ ପ୍ରଶାସନକୁ ବାରମ୍ବାର ଗୁହାରି କରିଛନ୍ତି ଗ୍ରାମବାସୀ । ଅଭିଯୋଗ ପରେ ୫ ବର୍ଷ ପୂର୍ବେ ପ୍ରଶାସନ ପକ୍ଷରୁ ଗାଁରେ ନୂଆ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରାଗଲା । ୩ ବର୍ଷ ହେଲାଣି ଘର କାମ ସରିଛି କିନ୍ତୁ ଏଯାଏଁ ଘରୁ ତାଲା ଖୋଲିନି କି ପିଲାମାନେ ନୂଆ ଘରେ ବସି ପାଠ ପଢିନାହାନ୍ତି । ତେଣୁ ତୁରନ୍ତ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ସେପଟେ ଏନେଇ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଫିରିଙ୍ଗିଆ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିବା ପରେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ । ତେବେ ସମୟ କହିବ କେବେ ନୂଆ ଅଙ୍ଗନବାଡି କେନ୍ଦ୍ରରେ ପିଲାମାନେ ପଢୁଛନ୍ତି ପାଠ ।

 

  • Reported by:
  • Trinath Sahoo