• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଲୋକାର୍ପଣ ଉତ୍ସବକୁ ମଝିରେ ମାତ୍ର ୪ ଦିନ । ହେଲେ ଏଯାଏଁ ସଂପୂର୍ଣ୍ଣ ସରି ପାରିନି ଶ୍ରୀମାର୍ଗ ନିର୍ମାଣ କାମ । ଆଜି ବି ପେଭର ବ୍ଲକ୍ ବିଛା କାମ ଚାଲିଛି । ଫଳରେ ତରବରିଆ ର' ଠ' କାମକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲା ବେଳେ, ପ୍ରଶାସନ କହିଛି ଅତି ବେଶିରେ କାଲି ସୁଦ୍ଧା ସବୁ କାମ ସରିଯିବ । ସେପଟେ ପେଟପାଟଣା ଚିନ୍ତାରେ ମନମାରି ବସିଛନ୍ତି ବଡ଼ଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର । ଯେଉଁଠି ଆଜି ସୁଦ୍ଧା କାମ ସରିଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା ସେଠି ଏବେ ଆହୁରି ଅନେକ କାମ ବାକି ରହିଛି । ଶ୍ରୀମାର୍ଗରେ ବାଲି ଗଦା ହେଇଛି, ପେଭର ବ୍ଲକ୍ ବିଛା ଚାଲିଛି । ୧୭ ତାରିଖ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଶ୍ରୀସେତୁରୁ ଏଇ ମାର୍ଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଯିବେ, ତେଣୁ ତରବରିଆ ଭାବେ, ଯେନତେନ ପ୍ରକାର କାମ ଚାଲିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଉଦ୍‌ଘାଟନ ଅପେକ୍ଷାରେ ଥିବା ଶ୍ରୀ ସେତୁର କାମ ତ ସରିଯାଇଛି, ହେଲେ ଟାର୍ଗେଟ୍ ମୁତାବକ ପ୍ରବେଶ ପଥର ସ୍ୱାଗତ ତୋରଣ କାମ ବାକି ରହିଯାଇଛି । ତେବେ ଗ୍ରାଉଣ୍ଡରେ ଶ୍ରୀ ସେତୁ ଓ ଶ୍ରୀ ମାର୍ଗ କାମର ସମୀକ୍ଷା ବେଳେ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଆଜି ରାତି କିମ୍ବା କାଲି ଭିତରେ ଶ୍ରୀ ମାର୍ଗ କାମ ସଂପୂର୍ଣ୍ଣ ହୋଇଯିବ ।

ପରିକ୍ରମା ପ୍ରକଳ୍ପ କାମ ସାରି ଓବିସିସି ପକ୍ଷରୁ ଗତକାଲିଠୁ ପ୍ରଶାସନକୁ କାମ ହସ୍ତାନ୍ତର କରିବାର ସମୟ ଧାର୍ଯ୍ୟ ଥିଲେ ବି ଆଜି ବି କାମ ଚାଲିଥିବା ଦେଖିବାକୁ ମିଳିଛି । ଅପରପକ୍ଷେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ସାଜସଜା କାମ । ବଡ଼ଦାଣ୍ଡରେ ଝୋଟି ଚିତା ପଡ଼ିବା ଠୁ ନେଇ ଯଜ୍ଞମମଣ୍ଡରୁ ଶ୍ରୀମନ୍ଦିର ଚାରିଦ୍ୱାର ଯାଏଁ ଫୁଲରେ ସୌନ୍ଦର୍ଯ୍ୟକରଣ କାମ ଚାଲିଛି । ହେଲେ ଏସବୁ ଭିତରେ କିନ୍ତୁ ବଡ଼ଦାଣ୍ଡରୁ ଉଚ୍ଛେଦ ଉଠାଦୋକାନୀ ଓ ବ୍ୟବସାୟୀଙ୍କ ମନରେ ସେତେଟା ଖୁସି ନାହିଁ । ସେମାନଙ୍କ ଅଭିଯୋଗ, ଜଗନ୍ନାଥ ବଲ୍ଲଭରେ ସେମାନଙ୍କୁ ଦୋକାନ ଦିଆଯିବାକୁ କୁହାହୋଇଥିଲେ ବି ଦେଢ଼ମାସ ବିତିଲାଣି ସେଠି କାମ ସରୁନି । କେବେ କାମ ସରିବ, କେବେ ଦୋକାନ ଘର ମିଳିବ ସେଇ ଚିନ୍ତା ଘାରିଛି ।

ତେବେ ଉଠା ଦୋକାନୀଙ୍କ ଏ ଅଭିଯୋଗ ନେଇ କିନ୍ତୁ ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ ।

  • Reported by:
  • PRADEEP MAHANTY , MADHUSUDAN MISHRA