• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ରାସ୍ତାରେ ସାପ ଖେଳିବା ପରି ବାଇକ୍‌ ଚଳାଉଛନ୍ତି କି ? ଗାଡି ସାଇଲେନ୍ସରରୁ ବିକଟାଳ ଶବ୍ଦ ବାହାରୁଛି କି ? ସାବଧାନ ! ସତର୍କ ରୁହନ୍ତୁ..ଆପଣଙ୍କ ଉପରେ କଡା ନଜର ରଖିଛି କମିଶନରେଟ୍‌ ପୋଲିସ । ଏଥର ଏମିତି ଉତ୍ପାତ ହେଲେ ଆଉ ଫାଇନ୍‌ କଟିବନି ବରଂ ସିଧା କୋର୍ଟ ଚାଲାଣ କରିଦେବ ପୋଲିସ୍‌ । ଖାଲି ସେତିକି ନୁହେଁ, ଉଚ୍ଚ ଶବ୍ଦକାରୀ ସାଇଲେନ୍ସର ବିକ୍ରି କରୁଥିବା ଦୋକାନୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ । ବୁଲେଟ୍ ପରେ ଏବେ ସୁପର ବାଇକ ଉପରେ ଟ୍ରାଫିକ ପୋଲିସର ନଜର ।

ବିକଟାଳ ଶବ୍ଦ । ମଝିରେ ମଝିରେ ବୋମା ଫୁଟିଲା ପରି ଆୱାଜ। ଭଁ ଭାଁ କରି ରାସ୍ତାରେ ସାପ ଖେଳିଲା ଭଳି ବାଇକ ଚଳାଇବା । ସାଇଲେନ୍ସର କାଢି ଢୋ ଢା ଶବ୍ଦ କରୁଥିବା ସାଇଲେନ୍ସର ଲଗାଇଥିଲେ ସାବଧାନ ହୁଅନ୍ତୁ । ଏବେ କମିଶନରେଟ ଟ୍ରାଫିକ ପୋଲିସ ସ୍କାନରରେ ଏସବୁ ବାଇକ ଚାଳକ । ଏଥର ଆଉ ଫାଇନ୍ ନୁହେଁ, ସିଧା କୋର୍ଟ ଚାଲାଣ ହେବ । ରାସ୍ତାରେ ଏସବୁ ବାଇକକୁ ଗୋଡାଇ ଗୋଡାଇ ଧରିବା ପାଇଁ ଆସିଛି ନିର୍ଦ୍ଦେଶ । ଏଭଳି କଡା ନିର୍ଦ୍ଦେଶ ବଳରେ ଏବେ ରାଜଧାନୀ ରାଜରାସ୍ତାରେ ଶବ୍ଦ ପ୍ରଦୂଷଣକାରୀ ବାଇକକୁ ଖୋଜୁଛି ପୋଲିସ । ରାଜଧାନୀରେ ଶବ୍ଦ ପ୍ରଦୃଷଣ କରି ଉଚ୍ଚ ଶବ୍ଦକାରୀ ସାଇଲେନ୍ସର ଲଗାଇ ବୁଲୁଥିବା ୬୦ ବୁଲେଟକୁ ଜବତ ବି କରିଛି କମିଶନରେଟ ଟ୍ରାଫିକ । ସମସ୍ତ ବାଇକ ଚାଳକଙ୍କୁ ନୋଟିସ କରାଯାଇଛି । ଏମିତିକି ଯେଉଁ ଦୋକାନୀ ସାଇଲେନ୍ସର ବିକ୍ରି କରୁଛନ୍ତି, ସେମାନଙ୍କ ଉପରେ ମଧ୍ୟ ଖୁବଶୀଘ୍ର କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦିଆଯାଇଛି ଚେତାବନୀ ।

ଟ୍ରାଫିକ ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ଶବ୍ଦ ପ୍ରଦୁଷଣକାରୀ ବାଇକ ଚାଳକଙ୍କ ମୁଣ୍ଡରେ ବୁଦ୍ଧି ପଶିଛି। ଆଉ ଏମିତି ଭୁଲ ହେବ ନାହିଁ ବୋଲି କହିଛନ୍ତି ବାଇକ ଚାଳକ । ହାତରେ କମ୍ପାନୀ ସାଇଲେନ୍ସର ମଧ୍ୟ ଧରି ଆସିଛନ୍ତି । ଶବ୍ଦକାରୀ ସାଇଲେନ୍ସର ବାହାର କରି କମ୍ପାନୀ ସାଇଲେନ୍ସର ଲଗାଇବେ ବୋଲି କହିଛନ୍ତି । ସେପଟେ କେତେକ ବାଇକ ଚାଳକଙ୍କ ଅଭିଯୋଗ, କେବଳ ବୁଲେଟ୍ କାହିଁକି ? ଉଚ୍ଚ ଶବ୍ଦ କରି ରାସ୍ତାରେ ଯାଉଥିବା ସୁପର ବାଇକ ଉପରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ ।

ସେପଟେ ଟ୍ରାଫିକ ଏସିପି କହିଛନ୍ତି, ଖୁବଶୀଘ୍ର ସୁପର ବାଇକ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ। ପୂର୍ବରୁ ବହୁବାର ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି । ପୂଜା ପର୍ବାଣି ଆସିଲେ କମିଶନରେଟ ଟ୍ରାଫିକ ଏମିତି ଚଢାଉ ମଧ୍ୟ ଆଗରୁ କରିଛି । ତେବେ ପୁଣି ଥରେ ଉଚ୍ଚଶବ୍ଦ କରି ଚାଲୁଥିବା ବାଇକ୍‌ ଉପରେ କାର୍ଯ୍ୟାନୁଷ୍ଠାନ ହେବାକୁ ଥିବାରୁ ବଢିଛି ଚିନ୍ତା ।

 

  • Reported by:
  • CHANDAN PAIKRAY