• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶିମିଳିପାଳ ଅଭୟାରଣ୍ୟର ବନ୍ୟଜନ୍ତୁ ଏବଂ ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ବନବିଭାଗ । ବର୍ତ୍ତମାନ ମହୁଲ ଫୁଲ ପାଇଁ ଲୋକେ ଜଙ୍ଗଲର ନିଆଁ ଲଗାଇ ଦେଉଥିବା ବେଳେ ଶିକାରୀଙ୍କ ନଜର ବନ୍ୟଜନ୍ତୁଙ୍କ ଉପରେ । ତେବେ ଏହାକୁ ପ୍ରତିହତ କରିବା ପାଇଁ ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଚାଲିଛି ମିଳିତ କମ୍ବିଂ ଅପରେସନ ସହିତ ଫ୍ଲାଗମାର୍ଚ୍ଚ । ସେହିପରି ଗ୍ରାମର ମୁଖିଆ, ନାଇକି ଏବଂ ଦେହୁରୀ ମାନଙ୍କୁ ସଚେତନ କରିବା ସହିତ ଜନ୍ତୁ ଶିକାର ନକରିବା ପାଇଁ ପାଇଁ ଶପଥ କରାଇଛି ବନ ବିଭାଗ ।

ପ୍ରଥା ଅନୁଯାୟୀ ରାଜା ରାଜୁଡା ଅମଳରୁ ବିଷୁବ ସଂକ୍ରାନ୍ତି ଦିନ ଗ୍ରାମର ନାଇକି ହେଉ କିମ୍ବା ଦେହୁରୀ ମାନେ ଗ୍ରାମରେ ପୂଜାର୍ଚ୍ଚନା କରନ୍ତି । ଆଉ ତା’ପରେ ଶିମିଳିପାଳ ଅଭୟାରଣ୍ୟକୁ ଯାଇ ବନ୍ୟଜନ୍ତୁ ଶିକାର କରିଥାନ୍ତି । ହେଲେ ଚଳିତ ବର୍ଷ ଶିକାର ରୋକିବା ପାଇଁ ବନବିଭାଗ ଶିକାର ପୂର୍ବରୁ ନେଇଛି ପଦକ୍ଷେପ । କରଂଜିଆ ବନଖଣ୍ଡରେ ୫୦ରୁ ଅଧିକ ଗ୍ରାମର ନାଇକି, ଦେହୁରୀ ଏବଂ ମୁଖିଆ ମାନଙ୍କୁ ନେଇ ବନବିଭାଗ ଏକ ସଚେତନତା କାର୍ଯ୍ୟକ୍ରମ କରୁଛି । ଏଥି ସହିତ ସମସ୍ତଙ୍କ ମତାମତ ମଧ୍ୟ ନେଇଛି ବନବିଭାଗ । ତେବେ ଶିମିଳିପାଳ ଏବଂ ଶିମିଳିପାଳ ପାଦ ଦେଶରେ ଥିବା ଜଙ୍ଗଲ ସୁରକ୍ଷା ସହିତ ବନ୍ୟଜନ୍ତୁ ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଚଳିତ ବର୍ଷ ଶିକାର ନକରିବା ପାଇଁ ଦେହୁରୀ ମାନଙ୍କୁ ବୁଝାଇବା ସହିତ ବନ୍ୟଜନ୍ତୁ ଶିକାର କଲେ, କଣ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ମଧ୍ୟ ସମସ୍ତଙ୍କୁ ସୂଚନା ପ୍ରଦାନ କରାଯାଇଥିଲା । ତେବେ ଏସମ୍ପର୍କରେ ବୁଝିବା ପରେ ଗାଁରେ ଯାଇ ଲୋକଙ୍କୁ ନିଜ ଭାଷାରେ ବୁଝାଇବା ପାଇଁ ବନବିଭାଗ ଅନୁରୋଧ କରିଛି ।

ତେବେ ଚଳିତ ବର୍ଷ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଦେହୁରୀ ଏବଂ ନାଇକି ମାନକୁ ନେଇ ଏପରି ଏପରି ସଚେତନ କରାଯାଇଛି । ବର୍ତ୍ତମାନ ଦେଖିବା ପାଇଁ ବାକି ରହିଲା ଏ ସଚେତନତା କେତେ ମାତ୍ରାରେ ଶିକାର ରୋକିବାରେ ସଫଳ ହେଉଛି ।

ଦୀପକ କୁମାର ମହାନ୍ତ, କରଞ୍ଜିଆ