• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଓଟଠୁ ଘୋଡ଼ା...ନଡିଆ ଗଛଠୁ ତାଳ ଗଛ । ଅନେକ ପ୍ରକାର ସୁନ୍ଦର ସୁନ୍ଦର ସାମଗ୍ରୀ ତିଆରି ଚାଲିଛି । ଦେଖିବାକୁ ଏତେ ସୁନ୍ଦର ହୋଇଛି ଯେ ଯିଏ ଦେଖିବ ସିଏ ଘଡିଏ ଚାହିଁରହିବ । ଆଉ ଘରକୁ କିଣିନେଇ ସଜେଇ ଦେବାକୁ ମନ ଡାକିବ । କାରଣ ନଡିଆ କତାରେ ପୂରା ଦେଶୀ ଷ୍ଟାଇଲରେ ତିଆରି ଚାଲିଛି ଏସବୁ । ମୋଟ୍‌ ଉପରେ ମାଆମାନଙ୍କ ହାତସ୍ପର୍ଶରେ ଜୀବନ୍ତ ହେଉଛି କତା ହସ୍ତଶିଳ୍ପ ।

ନାରୀ ଦୁର୍ବଳା ନୁହେଁ ସବଳା । ଏହି କଥାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପୁରୀ ନିମାପଡା ଭୋଗଶଳଦା ଓ ଡେଣୁଅ ପଂଚାୟତର ମହିଳାମାନେ । ଗାଁ ଗଣ୍ଡାରେ ଘରର ଚାରି କାନ୍ଥରେ ରହି ଚୁଲି ମୁଣ୍ଡରେ ସମୟ କାଟୁଥିବା ମହିଳାମାନେ ଆଜି ନିଜକୁ ଜଣେ ଜଣେ ସଫଳ ହସ୍ତଶିଳ୍ପୀ ଭାବେ ପରିଗଣିତ କରି ସ୍ୱାବଲମ୍ବୀ ହେବାରେ ସଫଳ ହୋଇଛନ୍ତି ।

କରୋନା ମହାମାରୀ ଯେବେ ଆସିଥିଲା ସେତେବେଳେ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିଲା । ଆଉ ଏତିକିବେଳେ କେମିତି ପରିବାର ଚଳାଇବେ ସେନେଇ ଚିନ୍ତା କରିଥିଲେ ମହିଳାମାନେ । ଖାଲି ଚିନ୍ତା କଲେ ତାହା ନୁହେଁ ବରଂ ନଡ଼ିଆ କତାରୁ କେମିତି ସ୍ୱାବଲମ୍ବୀ ହେବେ କେମିତି ରୋଜଗାର କରିପାରିବେ ସେନେଇ ତାଲିମ୍‌ ନେଲେ ।

ନଡ଼ିଆ କତାରେ ବିଭିନ୍ନ ପଶୁ ପକ୍ଷୀ, ଗଛଲତା ,ପେନଷ୍ଟାଣ୍ଡ ,ବେଡ଼ ଲାଇଟ୍‌ ଭଳି ନିତ୍ୟ ବ୍ୟବହାର ସାମଗ୍ରୀ ତିଆରି କରି ବଜାରରେ ବିକ୍ରି କରୁଛନ୍ତି ସେମାନେ । ଆଉ ଏଥିରୁ ଯେତିକି ଯାହା ରୋଜଗାର ହେଲା ସେତିକିରେ ପରିବାର ଚଳୁଛି । ବଜାରରେ ଏହି ସାମଗ୍ରୀର ଚାହିଦା ଅଧିକ ଥିବାରୁ ବିଭିନ୍ନ ଉତ୍ସବ ଏମିତିକି ଅନଲାଇନ୍‌ରେ ଜରିଆରେ ବି ସାମଗ୍ରୀର ଅର୍ଡର ରଖୁଛନ୍ତି ହସ୍ତଶିଳ୍ପ କାରିଗରମାନେ । ନିଷ୍ଠାପର ଉଦ୍ୟମ ଓ ମହିଳାଙ୍କ ଆଗ୍ରହ ଯୋଗୁଁ ଏବେ କତା କଣ୍ଢେଇ ହସ୍ତଶିଳ୍ପ ଗ୍ରାମାଞ୍ଚଳର ଶତାଧିକ ମହିଳାଙ୍କ ଜୀବନରେ ଟଙ୍କା ରୋଜଗାର କରିବାର ମାଧ୍ୟମ ସୃଷ୍ଟି କରିଛି ।

(କୋଣାର୍କରୁ ସଂଜୟ ପତିଙ୍କ ରିପୋର୍ଟ)