• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର/ ଘଟଗାଁ: ଘୋଷଣା ହୋଇନି କିନ୍ତୁ ଅଚଳ କରିଦିଆଯାଉଛି, ଅଦରକାରୀ ହୋଇନି କିନ୍ତୁ ଅଛୁଆଁ ହୋଇଯାଇଛି । ଆମେ କହୁଛୁ, ଖୁଚୁରା କଏନ୍‌ର ଦୁର୍ଦ୍ଦଶାର କଥା । କେନ୍ଦୁଝରର ଘଟଗାଁ ମା’ ତାରିଣୀଙ୍କ ହୁଣ୍ଡିରୁ ଆଦାୟ ଟଙ୍କା ସବୁକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଘଟଗାଁ ଷ୍ଟେଟ୍ ବ୍ୟାଙ୍କ୍ ଶାଖାରେ ପଡ଼ିରହିଛି ଗଦା ଗଦା କଏନ୍ । ଏହି ଶାଖାରେ ୫୩ ଲକ୍ଷ ଟଙ୍କାର କଏନ୍ ଥିବା ବେଳେ କେନ୍ଦୁଝରର ବ୍ୟାଙ୍କ୍ ଅଫ ଇଣ୍ଡିଆରେ ପଡ଼ିରହିଛି ୨୭ ଲକ୍ଷ ଟଙ୍କାର କଏନ୍ । ଦିନକୁ ଦିନ ଏହାର ପରିମାଣ ବଢୁଛି । ଆଉ ଜାଗା ନଥିବାରୁ ମନ୍ଦିର ପ୍ରଶାସନକୁ ଚିଠି ଲେଖି ଆଉ କଏନ୍ ଜମା ନକରିବାକୁ ଜଣାଇ ଦେଇଛନ୍ତି SBI କର୍ତ୍ତୃପକ୍ଷ ।

କେବଳ ତାରିଣୀଙ୍କ ପୀଠରେ ନୁହଁ, ନବରଙ୍ଗପୁରର ଇଷ୍ଟଦେବୀ ମା’ ଭଣ୍ଡାର ଘରଣୀ ହୁଣ୍ଡିରେ ବି ପଡ଼ିରହିଛି ହଜାର ହଜାର ଟଙ୍କାର କଏନ୍ । ଏସବୁ କଏନ୍‌କୁ ବ୍ୟାଙ୍କ ନେଉନଥିବାରୁ ଅକଳରେ ପଡ଼ିଯାଇଛନ୍ତି ଏଠାକାର ପୂଜକ । ସମାନ ଅବସ୍ଥା ରାୟଗଡ଼ାର ମା’ ମଝିଘରିଆଣୀଙ୍କ ମନ୍ଦିରରେ । ବାର୍ଷିକ ୩ରୁ ୪ ଲକ୍ଷ ଟଙ୍କାର କଏନ୍ ମିଳିଥାଏ ହୁଣ୍ଡିରୁ । ଏସବୁକୁ ବ୍ୟାଙ୍କ ଗ୍ରହଣ ନକଲେ ଆରବିଆଇ ନିକଟରେ ଫେରାଦ୍ ହେବେ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

କେବଳ ମନ୍ଦିର କାହିଁକି, ମନ୍ଦିର ସାମ୍ନାରେ ବସୁଥିବା ଭିକ୍ଷୁକଙ୍କ ଅବସ୍ଥା ବି ସଂଗୀନ ହୋଇପଡ଼ିଛି । ବଜାରରେ ଖୁଚୁରା କଏନ୍‌କୁ କେହି ଗ୍ରହଣ କରୁନଥିବାରୁ ସେମାନେ ବି ଟଙ୍କିକିଆ ହେଉ କି ୫୦ ପଇସା କଏନ୍, ତାକୁ ନେବାକୁ ଆଉ ମଙ୍ଗୁ ନାହାଁନ୍ତି । ଭିକ୍ଷୁକ କଥା ଛାଡ଼ନ୍ତୁ, ଦୋକାନୀଙ୍କଠୁ ଆରମ୍ଭ କରି ବ୍ୟବସାୟୀଙ୍କ ଯାଏଁ ମୁହଁ ମୋଡ଼ି ଦେଉଛନ୍ତି ଖୁଚୁରା କଏନ୍ କଥା କହିଲେ ।

ତେବେ ଖୁଚୁରା କଏନ୍‌କୁ ନେଇ କାହିଁକି ଉପୁଜିଛି ଏଭଳି ଅଘୋଷିତ ଅଚଳାବସ୍ଥା ? ସତରେ କଣ ବ୍ୟାଙ୍କଗୁଡ଼ିକ ଏସବୁ କଏନ୍ ଗ୍ରହଣ କରୁନାହାଁନ୍ତି ? ଜାଣିବା ପାଇଁ ଭୁବନେଶ୍ୱରର ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଯାଇ ରିୟଲିଟି ଚେକ୍ କରିଥିଲେ ଆମ ପ୍ରତିନିଧି । ରିଜର୍ଭ ବ୍ୟାଙ୍କ ଛୋଟ ଟଙ୍କିକିଆ ଓ ୫୦ ପଇସା କଏନ୍ ପ୍ରତ୍ୟାହାର କରିନଥିଲେ ବି ଦେଶରେ କୋଟି କୋଟି ଟଙ୍କା ମୂଲ୍ୟର ଏହି କଏନ ଅର୍ଥନୈତିକ ବଜାରରେ ବିନିଯୋଗ ନହୋଇ ଏଭଳି ଅଦରକାରୀ ହେବାରେ ଲାଗିଛି । ଘରୋଇ କ୍ଷେତ୍ରରେ କ୍ଷୁଦ୍ର ପଇସାର ପ୍ରଚଳନ ବନ୍ଦ ହେଲେ, ଏହା ଦେଶର ଅର୍ଥନୀତି ପାଇଁ ବଡ଼ ବିପଦ ବୋଲି କହିଛନ୍ତି ଅର୍ଥନୀତିଜ୍ଞ । ତାସହ ୫୦ ପଇସା ଓ ଟଙ୍କିକିଆ କଏନ୍ ଏଯାଏଁ ଅଚଳ ହୋଇନି । ଏଥିପ୍ରତି ଜନସଚେତନତା ଜରୁରୀ ବୋଲି କହିଛନ୍ତି ପୂର୍ବତନ ବ୍ୟାଙ୍କ ଅଧିକାରୀ ।