• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସପ୍ତାହେ ହେଲାଣି ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ସ୍କୁଲ ବନ୍ଦ, ପାଠ ବି ବନ୍ଦ । ହେଲେ ଏବେ ଏମିତି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ସ୍କୁଲରେ ତଳ କ୍ଲାସ୍‌ର ପିଲାଙ୍କୁ ପାଠ ପଢାଉଛନ୍ତି ଉପର କ୍ଲାସ୍‌ର ପିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ।

ସପ୍ତମ ଶ୍ରେଣୀର ପିଲାଙ୍କୁ ପାଠ ପଢାଉଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ରୀ । କଥାଟା ଶୁଣିବାକୁ ଟିକିଏ ଅବାସ୍ତବ ଲାଗୁଥିଲେ ବି ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବାସୁଦେବପୁର ଶିକ୍ଷା ସର୍କଲ ଅଧିନ ପାରାପୋଖରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟର ୧୪୭ ଛାତ୍ରଛାତ୍ରୀଙ୍କୁ ପଢାଇବା ଲାଗି ୫ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିବାବେବେ ୪ଜଣ ଶିକ୍ଷକ-ଶିକ୍ଷୟତ୍ରୀ ଏବେ ଛୁଟିରେ । ଅର୍ଥାତ୍‌ ଆନ୍ଦୋଳନକୁ ଯାଇଥିବାରୁ ୨ଦିନ ହେଲାଣି ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ୨ଜଣ ଛାତ୍ରୀ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଅବିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ସ୍ଥିତି ଏମିତି ହେଲାଣି ଯେ ପିଲାଙ୍କୁ ପିଲାମାନେ ପାଠ ପଢାଉଥିବାରୁ ସ୍କୁଲକୁ ଛାତ୍ରଛାତ୍ରଙ୍କୁ ଛାଡିବାକୁ ରାଜି ହେଉନାହାନ୍ତି ଅଭିଭାବକ । ସେପଟେ ସ୍କୁଲରେ ପାଠ ପଢା ହୋଇପାରୁନାହିଁ ତେଣୁ ମିଶାଣ-ଫେଡାଣ ମୁଁ କରିବାକୁ ଦେଉଥିବା କହିଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ରୀ । ଏପଟେ ପୂରା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ପ୍ରଧାନ ଶିକ୍ଷକ । କହିଛନ୍ତି ୪ ଜଣ ଶିକ୍ଷକ ଆନ୍ଦୋଳନକୁ ଯାଇଛନ୍ତି । ମୁଁ ପ୍ରଧାନଶିକ୍ଷକ ଦାୟିତ୍ୱ ସହିତ ପାଠ ପଢା ଓ ମଧ୍ୟାହ୍ନ ଭୋଜନର କଥା ବୁଝୁଛି ।

ତେବେ ସପ୍ତାହେ ହେଲାଣି ନିଜ ଦାବି ପୂରଣ ଦାବିରେ ଧାରଣାରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ତେଣୁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଆଉ ଏତିକି ବେଳେ ରାଜ୍ୟର ବିଭିନ୍ନ ସ୍କୁଲରୁ ଆସୁଥିବା ଦୃଶ୍ୟ ସମସ୍ତଙ୍କ ବିଚଳିତ କରୁଛି ।

 

 

  • Reported by:
  • Suryadoya Biswal