• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଉ ଦୁଇଦିନ ପରେ ବିଘ୍ନ ବିନାଶକ ଗଣେଷଙ୍କ ପୂଜା । ଗଣେଶ ପୂଜାରେ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ମୂର୍ତ୍ତି ଉପରେ ସମ୍ପୂର୍ଣ କଟକଣା ଲଗାଇଛି ଗଜପତି ଜିଲ୍ଲା ପ୍ରଶାସନ । ପଲିଥିନ୍ କଟକଣା ସହ ବିଭିନ୍ନ ସ୍ଥାନରେ ଚଢଉ କରି ପଲିଥିନ୍ ବ୍ୟବହାରକାରୀଙ୍କଠୁ ଜରିମାନା ଆଦାୟ କରିଛି । ଫଳରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଗତ କିଛି ବର୍ଷ ହେବ ଗଣେଶ ପୂଜାରେ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ମୂର୍ତ୍ତିର ବହୁଳ ବ୍ୟବହାର କାରଣରୁ ପରିବେଶ ପ୍ରଦୁଷଣ ହେଉଥିବା ବେଳେ ଏହା ହିନ୍ଦୁ ଧର୍ମ ସମ୍ମତ ନୁହଁ ବୋଲି ଉଭୟ ପରିବେଶବିତ୍ ଏବଂ ପୂଜକମାନେ କହୁଥିଲେ । ଏହା ଉପରେ ସମ୍ପୂର୍ଣ କଟକଣା ଲାଗିବାରୁ ବିଭିନ୍ନ ମହଲରେ ବିଶେଷ କରି କୌଳିକ ମୂର୍ତ୍ତି କାରିଗର ତଥା ପରିବେଶବିତ୍ ମହଲରେ ଖୁସି ପ୍ରକାଶ ପାଇଛି ।

ପଲିଥିନ୍ ପରେ ଏବେ ପ୍ଲାଷ୍ଟର ଅଫ୍ ପ୍ୟାରିସ ଉପରେ ସମ୍ପୂର୍ଣ କଟକଣା ଲଗାଇଛି ଗଜପତି ଜିଲ୍ଲା ପ୍ରଶାସନ । ଗତ କିଛି ବର୍ଷ ହେଲା ଗଣେଶ ପୂଜା ସମୟରେ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ହଜାର ହଜାର ପ୍ଲାଷ୍ଟର ଅଫ୍ ପ୍ୟାରିସରେ ନିର୍ମିତ ପ୍ରତିମା ବିକ୍ରି କରାଯାଉଥିଲା । ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ପରିବେଶ ପାଇଁ ଅନୁକୂଳ ନୁହେଁ ।

ଚଳିତ ବର୍ଷ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ଉପରେ ପ୍ରଶାସନ କଟକଣା ଜାରି କରାଯାଇଛି । ଏନେଇ ଘନ୍ ଘନ ଚେକିଂ ମଧ୍ୟ କରାଯାଇଛି । ଜିଲ୍ଲାପାଳ କହିଛନ୍ତି ଯେ, ପ୍ଲାଷ୍ଟର ଅଫ ପ୍ୟାରିସ ପରିବେଶ ପାଇଁ ଅନୁକୁଳ ନୁହେଁ । ତେଣୁ ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏହାକୁ ବନ୍ଦ କରାଯାଇଛି । ଏହାକୁ ନ ମାନିଲେ କିମ୍ବା ପୂଜାରେ ଏହି ମୂର୍ତ୍ତିକୁ ବ୍ୟବହାର କଲେ, ସେମାନଙ୍କ ଉପରେ ଆଇନ ଅନୁସାରେ ଜୋରିମାନା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ମୂର୍ତ୍ତି ବିକ୍ରି ଏବଂ ପୂଜା ଉପରେ ପ୍ରଶାସନ ଯେଉଁ କଟକଣା ଜାରି କରିଛି ତାହାକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି । ଏନେଇ ମୂର୍ତ୍ତି କାରିଗରମାନେ କହିଛନ୍ତି ଯେ, ମାଟିରେ ମୂର୍ତ୍ତି ତିଆରି କରି ବିକ୍ରି କରି ବର୍ଷକର ରୋଜଗାର କରୁଥିଲେ । କିନ୍ତୁ ଯେଉଁଦିନଠୁ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ମୂର୍ତ୍ତି ବଜାରରେ ବିକ୍ରି ହେଲା, ଆମ ବ୍ୟବସାୟ ଉପରେ ପ୍ରଭାବ ପଡିଲା । ପ୍ରଶାସନ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ବନ୍ଦ କରିବା ଦ୍ୱାରା ମାଟି ମୂର୍ତ୍ତିର ଚାହିଦା ବଢ଼ିବ । କିନ୍ତୁ ବିଳମ୍ବରେ ପ୍ରଶାସନ ଏଭଳି ଘୋଷଣା କରିଥିବାରୁ ଆଉ ମୂର୍ତ୍ତି ନିର୍ମାଣ ପାଇଁ ସମୟ ନାହିଁ । ଏହି ନିଷ୍ପତ୍ତି ପୂର୍ବରୁ ନିଆଯାଇଥିଲେ ଆମେମାନେ ଅଧିକ ରୋଜଗାର କରିପାରିଥାନ୍ତୁ ।

ବିଳମ୍ବରେ ହେଉ ପଛେ ପ୍ରଶାସନ ଚଳିତ ବର୍ଷ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ଉପରେ କଟକଣା ଜାରି କରି ଏକ ଭଲ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ବୁଦ୍ଧିଜୀବୀ । ଏହା ପରିବେଶ ଉପରେ କୁପ୍ରଭାବ ପକାଉଥିଲା । ତେଣୁ ଏହା ବନ୍ଦ ହେବା ଦ୍ୱାରା ପରିବେଶକୁ କିଛି ମାତ୍ରାରେ ସ୍ୱଚ୍ଛ ରଖାଯାଇପାରିବ ।

(ରିପୋର୍ଟ- ଆଦର୍ଶ ଦାସ)