• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଉତ୍କଟ ଦାରିଦ୍ର୍ୟ ଭିତରେ ବଳି ପଡୁଛି ସୁନ୍ଦର ଶୈଶବ ।

  • ପାଠ ପଢ଼ି ଆଗକୁ ବଢ଼ିବାର ସ୍ୱପ୍ନ ମଉଳି ଯାଉଛି ।

  • କରୋନା ମହାମାରୀ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି ।

ଆନନ୍ଦପୁର: ଉତ୍କଟ ଦାରିଦ୍ର୍ୟ ଭିତରେ ବଳି ପଡୁଛି ସୁନ୍ଦର ଶୈଶବ । ପାଠ ପଢ଼ି ଆଗକୁ ବଢ଼ିବାର ସ୍ୱପ୍ନ ଓ ଅଭିଳାସ ଭିତରେ ପଛକୁ ଗୋଡ଼ ଟାଣୁଛି ଆର୍ଥିକ ଅନଟନ । କରୋନା ମହାମାରୀ ଏବେ ଅନେକ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ କିଛି ମେଧାବୀ ଛାତ୍ରଛାତ୍ରୀଙ୍କ ଲାଗି ଆଣି ଦେଇଛି ଅକଥନୀୟ ଦୁଃଖ ଦୁର୍ଦ୍ଦଶା । ହେଲେ ସେ ଦୁଃଖ ଦୁର୍ଦ୍ଦଶାକୁ ନିଜ ଭିତରେ ଚାପି ନିଜ ସ୍ୱପ୍ନକୁ ସାକାର କରିବା ଆଶା ଛାଡ଼ି ନାହାନ୍ତି ଅନେକ ।

ଆଖିରେ ଆଖିଏ ସ୍ୱପ୍ନ । ମନରେ ଅସୁମାରୀ ଅଭିଳାସ । ଏତେ ଛୋଟ ବୟସରୁ ନିଜ ପାଇଁ ସଂଘର୍ଷ କରି ଜୀବନର ବୋଝ ବୋହୁଥିବା କୁନି ଝିଅଟିଏ ହେଉଛି ରାଣୀ । ଦଶମ ଶ୍ରେଣୀ ପରୀକ୍ଷାରେ ୫୧୧ ନମ୍ବର ରଖି ପାସ୍ କରିଛି । ପିଲାଦିନରୁ ଭଲ ପାଠ ପଢୁଥିବାରୁ ମନ ଭିତରେ ଡାକ୍ତର ହେବାର ଦୁର୍ବାର ଇଚ୍ଛା । ହେଲେ ତାର ସେ ସ୍ୱପ୍ନ ଆଗରେ ବିରାଟ ପ୍ରତିବନ୍ଧକ ସାଜିଛି ପରିବାରର ଉତ୍କଟ ଦାରିଦ୍ର୍ୟ । କେନ୍ଦୁଝର ହାଟଡିହି ବ୍ଲକ୍ ସଙ୍ଗମ ଗାଁର ସଲମାନ ହେଂବ୍ରମଙ୍କ ବଡ଼ ଝିଅ ରାଣୀ ହେଂବ୍ରମ୍ ।

ଦୁଇ ମାସ ତଳେ ଆରପାରିକୁ ବାପା ଚାଲିଗଲା ପରେ ଭାଙ୍ଗିଯାଇଛି ପରିବାରର ଆର୍ଥିକ ମେରୁଦଣ୍ଡ । ଉଜୁଡ଼ି ଯାଇଛି ରାଣୀର ସ୍ୱପ୍ନ । ପାଠ ପଢି ଆଗକୁ ବଢ଼ିବାର ଉଚ୍ଚାଭିଳାସ ଅପେକ୍ଷା ଏବେ ମାଆ, ଭାଇ ଓ ସାନ ଭଉଣୀଙ୍କ ପେଟକୁ ମୁଠାଏ ଦାନା ଯୋଗାଡ଼ କରିବା ତା ପାଇଁ ମୁଖ୍ୟ ଚ୍ୟାଲେଞ୍ଜ । ତେଣୁ ସକାଳ ହେଲେ ସାଇକେଲଟିଏ ଧରି ମୁଲ ଲାଗିବାକୁ ବାହାରି ଯାଉଛି ରାଣୀ । ଦିନସାରା ପର ଘରେ ହାଡ଼ଭଙ୍ଗା ପରିଶ୍ରମ ପରେ, ସନ୍ଧ୍ୟାରେ ଘରକୁ ଫେରିଲେ ଆରମ୍ଭ ହେଉଛି ପାଠପଢ଼ା ।

ସେହିଭଳି ଅଭାବୀ ପରିବାରରେ ଜନ୍ମ ହୋଇ ବି ନିଜ ଭବିଷ୍ୟତକୁ ନିଜେ ଗଢ଼ି ତୋଳିବାର ଜିଦରେ ଅଟଳ ଥିବା ଆଉ ଜଣେ ଉଚ୍ଚାଭିଳାଷି ଛାତ୍ର ଅଭିଜିତ୍ ଦାସ । ଘର ବାଲେଶ୍ୱର ସଦର ବ୍ଲକର ସାର ଗାଁ । ସ୍ଥାନୀୟ ରସାଳପୁର କଲେଜରେ ଯୁକ୍ତ ଦୁଇ ପାଠ ପଢୁଥିବା ଅଭିିଜିତଙ୍କ ବାପା ଜଣେ ଦିନ ମଜୁରିଆ । କରୋନା କଟକକଣା ପାଇଁ ଏବେ ବାପାଙ୍କ ହାତରେ କାମ ନାହିଁ । ଏଣେ ଘରେ ପାଠପଢୁଆ ତାଙ୍କଠୁ ସାନ ଦୁଇ ଭାଇ ଭଉଣୀ । ତେଣୁ ପୁରା ପରିବାର ବୋଝକୁ ହାଲୁକା ପାଇଁ ସେ ବାଛି ନେଇଛନ୍ତି ଏଇ ଫୁଟପାଥ୍ ବ୍ୟବସାୟର ବାଟ । ଅପରାହ୍ନ ୪ଟା ହେବା ମାତ୍ରେ ସାନ ଭାଇକୁ ସାଙ୍ଗରେ ଧରି ଚଟ୍‌ପଟି ବିକ୍ରି ପାଇଁ ବାହାରି ଯାଆନ୍ତି ଅଭିଜିତ । ସେଇଥିରୁ ଯାହା ମିଳେ, ତାହା ୩ ଭାଇ ଭଉଣୀଙ୍କ ଅନଲାଇନ୍ ପାଠପଢ଼ା ଖର୍ଚ୍ଚକୁ ସମ୍ପୂର୍ଣ୍ଣ ନହେଲେ ବି ସାମାନ୍ୟ ବଳ ଯୋଗାଇ ପାରୁଛି ।

ପାଠ ପଢ଼ା ବୟସରେ ଶ୍ରମ, ଆମ ଆଇନ ବିରୁଦ୍ଧ ହେଲେ ଏଠି ରାଣୀ ହେଉ କି ଅଭିଜିତ, ଏମାନେ ଯେଉଁ ମହତ ଉଦ୍ଦେଶ୍ୟ ନେଇ ଘରୁ ପଦାକୁ ଗୋଡ଼ କାଢୁଛନ୍ତି । ତାକୁ କଣ କୁହାଯିବ ?