• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଝିପିଝିପି ବର୍ଷା ହେଉଛି...ଭଙ୍ଗାଦଦରା ଘରେ ଚାଲିଛି ଅଙ୍ଗନବାଡି । ସିଏ ବି ପୁଣି ଅତି ପ୍ରତକୂଳ ପରିସ୍ଥିତିରେ । ଏମିତିକି ଯଦି କିଛି ଦୁର୍ଘଟଣା ଘଟେ ସେଥିପାଇଁ ଉତ୍ତରଦାୟୀ କିଏ ରହିବ ସେ ପ୍ରଶ୍ନର ଉତ୍ତର ଦେବାକୁ ବି କେହି ନାହାନ୍ତି ।

ଗଜପତି ମୋହନା ବ୍ଲକ୍ ଦୁର୍ଗମ ଗାଁରେ ଅବ୍ୟବସ୍ଥାରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର । କେବଳ ଏହି ଗୋଟିଏ ଗାଁରେ ନୁହେଁ ବରଂ ପାଖଆଖି ଅନେକ ଗାଁରେ ବିପଦ ସଂକୁଳ ଅବସ୍ଥାରେ ପିଲାମାନେ ପଢୁଛନ୍ତି ପାଠ । କେବଳ ପ୍ରତିକୂଳ ପରିସ୍ଥିତିରେ ପିଲାମାନେ ପାଠ ପଢୁଛନ୍ତି ତାହା ନୁହେଁ ବରଂ ପୃଷ୍ଟିକର ଖାଦ୍ୟ ବଦଳରେ ମିଳୁଛି ଶୁଖିଲା ଛତୁଆ ଗୁଣ୍ଡ । କୁନିକୁନି ପିଲାଙ୍କ ଲାଗି ନିଜସ୍ୱ ଅଙ୍ଗନବାଡି କେନ୍ଦ୍ରଟିଏ ନଥିବାରୁ ସହାୟିକାଙ୍କ ଘରେ ଚାଲିଥିଲା ଅଙ୍ଗନବାଡି କେନ୍ଦ୍ର । ହେଲେ ସେ ବିବାହ କରି ଅନ୍ୟତ୍ର ପଳାଇବାରୁ ଏବେ କେନ୍ଦ୍ରରେ ତାଲା ।

ସେହିଭଳି ପେନ୍ଦ୍ରାଖାଲ ଗାଁରେ ୭ ବର୍ଷ ହେଲାଣି ଅଙ୍ଗନବାଡ଼ି କୋଠା ନିର୍ମାଣ କାମ ଚାଲିଛି ଯେ ସରିବାର ନା ଧରୁନି । ତେଣୁ ବିପଦସଂକୁଳ ଅବସ୍ଥାରେ ପିଲାମାନେ ପଢୁଛନ୍ତି ପାଠ । ସେପଟେ ହାଣ୍ଡିମା ଗାଁରେ ଗତ ୨୦୧୫-୧୬ ମସିହାରୁ ଅଙ୍ଗନବାଡ଼ି କୋଠା ନିର୍ମାଣ କାମ ମଧ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଥିବାରୁ ବାଧ୍ୟ ହୋଇ ଅଙ୍ଗନବାଡ଼ି କର୍ମୀ ନିଜ ଘରେ କେନ୍ଦ୍ର ପରିଚାଳନା କରୁଛନ୍ତି ।

ପିଲାଙ୍କ ପାଠ ପଢାରେ ସାଙ୍ଘାତିକ ବ୍ୟାଘାତ ସୃଷ୍ଟି ହେଉଥିବାରୁ ଏନେଇ ପ୍ରଶାସନକୁ ବାରମ୍ବାର ଅବଗତ କରିଛନ୍ତି ଅଭିଭାବକ । ତେବେ ପୂରା ଘଟଣା ଜାଣିବା ପରେ ମୋହନା ସିଡିପିଓ କହିଛନ୍ତି, ଅଙ୍ଗନବାଡ଼ି କୋଠା ସମ୍ପର୍କରେ ବ୍ଲକ୍ ପ୍ରଶାସନକୁ ବହୁବାର ଅବଗତ କରିଛନ୍ତି, ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ସୁପର-ଭାଇଜରମାନେ ଗସ୍ତ କରି ପଦକ୍ଷେପ ଗ୍ରହଣ କରିବେ । ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବାରମ୍ବାର କହୁଛନ୍ତି ରାଜ୍ୟ ସରକାର । ହେଲେ ଶିକ୍ଷାର ଏନ୍ତୁଡିଶାଳ କୁହାଯାଉଥିବା ରାଜ୍ୟର ଅଙ୍ଗନବାଡି କେନ୍ଦ୍ର ଗୁଡିକ ଯେଭଳି ଚାଲିଛି ତାହା ଶିକ୍ଷାବ୍ୟବସ୍ଥାର ଅସଲ ଚିତ୍ର ପଦାରେ ପକାଇଛି । ପ୍ରକୃତରେ ଶିକ୍ଷାରୁ କେତେ ପିଲା ବଞ୍ଚିତ ହେଉଛନ୍ତି ତାହା ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ ।

 

  • Reported by:
  • Mihir Jati