• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅନ୍ଧାରୀ ନଦୀ ପାଇଁ ଅନ୍ଧାରରେ ଭବିଷ୍ୟତ । ନଦୀ ଉପରେ ବ୍ରିଜଟିଏ ନଥିବାରୁ ପଥର ବନ୍ଧ କରି ନଦୀ ପାର ହେଉଛନ୍ତି କୁନିକୁନି ପିଲା ଓ ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଶିସକୁଢି ଗାଁରେ ।

ଶିସକୁଢି ଗାଁରେ ଆଦିବାସୀ ଓ ପାଇକ ସମ୍ପ୍ରଦାୟର ୪୫ ପରିବାର ଲୋକ ବସବାସ କରନ୍ତି । ବିଶେଷ କରି ବର୍ଷା ଦିନେ ନିତି ଦିନିଆ ଯାତାୟାତ ପାଇଁ ରାସ୍ତା ସୁବିଧା ନଥିବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଗାଁ ନିକଟରେ ଥିବା ଅନ୍ଧାରୀ ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ ହୋଇ ପାରୁନଥିବାରୁ ଜୀବନକୁ ବାଜି ଲଗାଇ ବର୍ଷ ତମାମ ଛାତ୍ରଛାତ୍ରୀ ସ୍କୁଲ ଯିବା ଆସିବା କରନ୍ତି ।

ଶୀତ ଓ ଖରା ଦିନରେ ନଦୀର ପାଣି କମ ଥିବାରୁ ସହଜରେ ଯାତାୟାତ କରିବାରେ କୌଣସି ସମସ୍ୟା ହେଉନାହିଁ । କିନ୍ତୁ ବର୍ଷା ଆସିଲେ ଗ୍ରାମବାସୀ ଜଳବନ୍ଦୀ ଜୀବନ ବିତାଇ ଆସୁଥିବା କୁହାଯାଇଛି । ନଦୀ ବଢ଼ି ହେଲେ ପିଲାଙ୍କ ପାଠପଢା ଠପ୍ ହୋଇଯାଉଛି । ଏପରିକି ମେଡିକାଲ ଯିବାଠାରୁ ଆରମ୍ଭ କରି ଭତ୍ତା ପାଇଁ ମଧ୍ୟ ଯାଇ ପାରୁ ନାହାଁନ୍ତି ବୃଦ୍ଧବୃଦ୍ଧା ।

ଏଥିଲାଗି ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ବହୁ ବାର ପୋଲ ନିର୍ମାଣ ପାଇଁ ଦାବି ହୋଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳୁନଥିବା କ୍ଷୋଭ ପ୍ରକାଶ କରି କହିଛନ୍ତି ଗ୍ରାମବାସୀ । ଏନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।

  • Reported by:
  • Surya Narayan Panda