• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସହଯୋଗ କରୁନି ଛତିଶଗଡ଼ । ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ପାଇଁ ଛତିଶଗଡ଼ ଆମକୁ ସହଯୋଗ କରୁନି । ଏଭଳି ଗୁରୁତର ଅଭିଯୋଗ ଆଣିଲେ ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ସାହୁ । ସେ କହିଛନ୍ତି, ବାରମ୍ବାର ଜଣାଇବା ସତ୍ତ୍ୱେ ଆମକୁ କୌଣସି ତଥ୍ୟ ଦେଉ ନାହିଁ ଛତିଶଗଡ଼ । ଫଳରେ ଆମକୁ ବନ୍ୟା ନିୟନ୍ତ୍ରଣ ପାଇଁ କାର୍ଯ୍ୟ କରିବାରେ ଅସୁବିଧା ହେଉଛି । ଦୁଇ ରାଜ୍ୟ ମଧ୍ୟରେ ଶେଷ ସମନ୍ୱୟ ବୈଠକ ୨୦୧୯ରେ ହୋଇଥିଲା । ୨୦୨୦ରେ VCରେ ହେଲା ବେଳେ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ଅଧାରୁ ଉଠିଗଲେ । ୨୦୨୧ରେ ଆମେ ଦେଇଥିବା ପ୍ରସ୍ତାବକୁ ଆଦୌ ରେସପଣ୍ଡ କଲା ନାହିଁ ଛତିଶଗଡ଼ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଆନନ୍ଦ ସାହୁ । 

ଖାଲି ସେତିକି ନୁହେଁ, ସେ ଆହୁରି କହିଛନ୍ତି ଯେ, ଚଳିତ ବର୍ଷ ବହୁତ ଚେଷ୍ଟା କରିବା ସତ୍ତ୍ୱେ ସମନ୍ୱୟ ବୈଠକକୁ ଏଡ଼ାଇ ଯାଇଛି ଛତିଶଗଡ଼ । ଗତ ଜୁଲାଇ ୧୩ରେ ବୈଠକ କରିବାକୁ କହି ପୁଣି ଓହରି ଯାଇଛି । ସିଡବ୍ଲୁସିର ମଧ୍ୟସ୍ଥତା ପରେ ଆସନ୍ତା ୨୩ରେ ବୈଠକ ପାଇଁ ସ୍ଥିର ହୋଇଛି । ଦୁଇ ରାଜ୍ୟ ମଧ୍ୟରେ ପ୍ରସ୍ତାବିତ ବୈଠକ ହେବ ନା ନାହିଁ ପରେ ଜଣାପଡ଼ିବ ।

ତେବେ ହିରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ସାହୁଙ୍କ ଏଭଳି ଅଭିଯୋଗ ଶୁଣିବା ପରେ ଚିନ୍ତା ବଢ଼ିଛି । କାରଣ ଗୋଟିଏ ପଟେ ବର୍ଷା ଲାଗି ରହିଥିବା ବେଳେ ହିରାକୁଦ ଡ୍ୟାମ୍‌ରେ ପାଣି ଅଧିକ ହେବାରେ ଲାଗିଛି । ତେଣୁ ୨୦ ଟି ଗେଟ୍‌ ଖୋଲାଯାଇ ପାଣି ନିଷ୍କାସନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ତେବେ ଉପର ମୁଣ୍ଡରେ ଥିବା ଛତିଶଗଡ଼ରେ ସ୍ଥିତି କ’ଣ ରହିଛି ତାହା ଜାଣିବା ନିହାତି ଦରକାର । କାରଣ ସେଠାରୁ ପାଣି ଆସିବାର ସମ୍ଭାବନା ଅଧିକ ରହିଛି । ଯାହାଫଳରେ ବନ୍ୟା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ । ଅନ୍ୟପଟେ ଏବେଠୁ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ନେଇ ସତର୍କ କରାଯାଇଛି । ସରକାରୀ ସ୍ତରରେ ମାଇକ୍‌ ଦ୍ୱାରା ପ୍ରଚାର କରି ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି ।