• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କଟକ: ସ୍ମାର୍ଟ ସ୍କୁଲ, ସ୍ମାର୍ଟ ପୋଖରୀ, ସ୍ମାର୍ଟ ରୋଡ ପରେ ଏବେ ସ୍ମାର୍ଟ ହାଟ ପାଇଁ ସିଲଭର ସିଟି କଟକରେ ଚାଲିଛି ଯୋଜନା । କଟକର ପରିଚୟ ଛତ୍ରବଜାର ପରିବା ମାର୍କେଟ ସ୍ମାର୍ଟ ହେବାକୁ ଯାଉଛି । ଦୀର୍ଘ ବର୍ଷର ପୁରୁଣା, ପୁତି ଗନ୍ଧମୟ ଓ ଅଳିଆ ଆବର୍ଜନାରେ ଭର୍ତ୍ତି ହେଉଥିବା ଛତ୍ରବଜାରର ସ୍ୱରୂପ ବଦଳିବାକୁ ଯାଉଛି । ମାଲଗୋଦାମ ପାଖରେ ତିଆରି ହେବାକୁ ଯାଉଛି ନୂଆ ଛତ୍ରବଜାର । ଏଥିଲାଗି କଟକ ମହାନଗର ନିଗମ ପକ୍ଷରୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି ।

ହଜାରେ ବର୍ଷର ସହର କଟକ ମହାନଗରର ପରିଚୟ ସାଜିଥିବା ଛତ୍ରବଜାରର ସ୍ୱରୂପ ବଦଳିବାକୁ ଯାଉଛି । ଆଗଭଳି ଅଳିଆ ଆବର୍ଜନା, କାଦୁଅ ପଚପଚ ଓ ପୁତି ଗନ୍ଧମୟ ଜନଗହଳି ପୂର୍ଣ୍ଣ ରହିବ ନାହିଁ ଛତ୍ରବଜାର । ଏହି ବିରାଟ ପରିବା ମାର୍କେଟ ନବୀକରଣ ଦ୍ୱାରା ଛତ୍ରବଜାରକୁ ସ୍ମାର୍ଟ ଅର୍ବାନ ପରିବା ହାଟ କରିବା ଲାଗି କଟକ ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତ ହୋଇଛି ।

ମାଷ୍ଟରପ୍ଲାନ୍ ଅତ୍ୟାଧୁନକ ପରିବା ହାଟରେ ସମସ୍ତ ବେପାରୀଙ୍କ ପାଇଁ ଗୋଟିଏ ଗୋଟିଏ ସେଡ୍ ଓ ପିଣ୍ଡି କରାଯିବ । ତା ସହିତ ହାଟ ଭିତରେ ଡେକୋରେଟିଭ ପ୍ଲାଣ୍ଟ ଲଗାଯିବ । ଆଉ ପ୍ରତ୍ୟେକ ସେଡ୍ ମଝିରେ କଂକ୍ରିଟ ରାସ୍ତା ମଧ୍ୟ ରହିବ । କେବଳ ଏତିକି ନୁହେଁ ଗ୍ରାହକ ଓ ବେପାରୀଙ୍କ ପାଇଁ ପାର୍କିଂ ପ୍ଲେସର ସୁବିଧା ମଧ୍ୟ କରାଯିବ । ସ୍ମାର୍ଟ ଛତ୍ରବଜାରରେ ୫୦୦ ରୁ ୬୦୦ ବ୍ୟବସାୟୀଙ୍କୁ ଆଲଟମେଣ୍ଟ ଦିଆଯିବାର ଯୋଜନା ଅଛି ବୋଲି ସିଏମସି କମିଶନର ଅନନ୍ୟା ଦାସ କହିଛନ୍ତି । କେବଳ ସେତିକି ନୁହେଁ ଛତ୍ରବଜାରରୁ ବାହାରୁଥିବା ଜୈବ ଅଳିଆ ଗୁଡ଼ିକର ପ୍ରକ୍ରିୟାକରଣ ଲାଗି କଂପୋଷ୍ଟ ପ୍ଲାଣ୍ଟ ମଧ୍ୟ କରାଯିବ ବୋଲି ସେ କହିଛନ୍ତି ।

ଛତ୍ରବଜାରରେ ୭୦୦ ଉଠା ଦୋକାନୀ ଥିବାବେଳେ ୧୦୦ଟି ବଡ଼ ଗୋଦାମ ରହିଛି । କଟକ ଓ ଏହାର ଆଖାପାଖ ଜିଲ୍ଲାର ଚାଷୀ ଆସି ଏଠାରେ ଦୈନିକ ବେପାର କରିଥାନ୍ତି । ଦିନକୁ ଦିନ ବେପାରୀଙ୍କ ସଂଖ୍ୟା ବଢ଼ିବା ଯୋଗଁ ଛତ୍ରବଜାରରେ ଭିଡ଼ ବଢିବା ସହ ଅଳିଆ ଆବର୍ଜନା ବି ପଡ଼ି ରହୁଥିଲା । ତେବେ ସିଏମସିର ଏହି ନୂଆ ପଦକ୍ଷେପ, ବେପାରୀ ଓ ଗ୍ରାହକଙ୍କ ପାଇଁ ଲାଭଦାୟକ ହେବ ବୋଲି ବ୍ୟବସାୟୀ ସଂଘର ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ।

ରିପୋର୍ଟର-ଦେବାଶିଷ ମହାନ୍ତି