• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭକ୍ତଙ୍କ ପାଇଁ ଖୋଲିବ କି ଶ୍ରୀମନ୍ଦିର ? ଆଜି ଛତିଶା ନିଯୋଗ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇପାରେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ସମସ୍ତ ନିଯୋଗର କର୍ମକର୍ତ୍ତା ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ । ଭର୍ଚୁଆଲ ମୋଡରେ ସାଢେ ୪ଟାରେ ଏହି ବୈଠକ ହେବ । ଏଥିରେ କୋଭିଡ୍ ସଂକ୍ରମଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହେବ । ଏଥିସହ ଶ୍ରୀମନ୍ଦିର ଖୋଲିବା ଉପରେ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ ।

କୋଭିଡ୍ ସଂକ୍ରମଣ ବଢିବା ପରେ ଜାନୁଆରୀ ୧୦ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ମନ୍ଦିର ଖୋଲିବା ନେଇ ଦାବି ଜୋର ଧରିଛି । ଜଗନ୍ନାଥ ସେନା ସଂହଦ୍ୱାର ସମ୍ମୁଖରେ ଆନ୍ଦୋଳନ କରି ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତିକୁ ବିରୋଧ କରିଛି । ଏହାସହ ଯଥାଶୀଘ୍ର ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ଦାବି କରିଛି ସଂଗଠନ l ଶ୍ରୀମନ୍ଦିର ସମୁଖ ସିଂହଦ୍ୱାରରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି ଜଗନ୍ନାଥ ସେନା ।

ଯେଉଁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଚାଲିଛି ସେହି ରାଜ୍ୟରେ ଭକ୍ତଙ୍କୁ ଭଗବାନଙ୍କଠାରୁ କାହିଁକି ଦୂରରେ ରଖାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ସେ ଆହୁରି କହିଛନ୍ତି ଏହି ବନ୍ଦ ସମ୍ପୂର୍ଣ୍ଣ ରୂପେ ବେଆଇନ୍ । କାରଣ ଶ୍ରୀମନ୍ଦିର କମିଟି ସହ ମନ୍ଦିର ବନ୍ଦ ନେଇ କୌଣସି ଆଲୋଚନା କରାଯାଇ ନାହିଁ । କେବଳ ହାତଗଣତି ସେବାୟତଙ୍କୁ ପଚାରି ମନ୍ଦିର ବନ୍ଦ କରିବାକୁ ନିଷ୍ପତି ନେଇଛି ପ୍ରଶାସନ । ତେଣୁ ଏହା ସମ୍ପୂର୍ଣ୍ଣ ବେଆଇନ୍‌ ବୋଲି ଅଭିଯୋଗ କରିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।

ସେବାୟତମାନେ ମଧ୍ୟ ଶ୍ରୀମନ୍ଦିର ଖୋଲିବା ପାଇଁ ଦାବି ଜଣାଇଛନ୍ତି । ଅନ୍ୟପଟେ କାଳିଆ ଠାକୁରର ଦର୍ଶନ ନପାଇ ଭକ୍ତ ଆଖିରେ ଆଖିଏ ଲୁହ । କାନ୍ଦି କାନ୍ଦି କହୁଛି ‘କାଳିଆ କଣ ପାଇଁ ଆମ ଉପରେ ତୋର ରାଗ । କଣ ପାଇଁ ତୁମେ ଆମକୁ ଦର୍ଶନରୁ ବଞ୍ଚିତ କରୁଛ । କଣ ଏହି ରୋଗକୁ ଦୂର କରିବ ନାହିଁ କାଳିଆ ଠାକୁର।’ ବ୍ୟବସାୟୀମାନେ ଆର୍ଥିକ ସଙ୍କଟକୁ ଚାଲିଯିବେ ବୋଲି ଅଭିଯୋଗ କରିଛନ୍ତି ।

ଗତ ୯ ତାରିଖରୁ ବନ୍ଦ ରହିଛି ଶ୍ରୀମନ୍ଦିର । ୯ ତାରିଖ ରବିବାର ଥିଲା ଆଉ ତା’ପରଦିନ ୧୦ ତାରିଖରୁ ସରକାର ବନ୍ଦ ଘୋଷଣା କରିଥିଲେ । ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦଘୋଷଣା କରାଯାଇଛି । ତେବେ ଭାରତ ବର୍ଷରେ କୌଣସି ସ୍ଥାନରେ ଧର୍ମାନୁଷ୍ଠାନ ବନ୍ଦ ହୋଇନଥିବା ବେଳେ କଣ ପାଇଁ ଶ୍ରୀମନ୍ଦିର ବନ୍ଦ କରାଯାଉଛି ବୋଲି ମଧ୍ୟ ପ୍ରଶ୍ନ ଉଂଠିଛି । ଯଦି ଶ୍ରୀମନ୍ଦିର ଖୋଲାଯିବନି ତେବେ ବିଭିନ୍ନ ଫୋରମରେ ତ୍ରୀବ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛି ସଂଘ । ଅନ୍ୟପଟେ ବ୍ୟବସାୟୀ ମାନେ ଯେଉଁ ମାନେ ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର କରିଥାନ୍ତି ସେମାନେ ଆର୍ଥିକ ସଙ୍କଟକୁ ଚାଲିଯିବେ ବୋଲି ଅଭିଯୋଗ ମଧ୍ୟ ହୋଇଛି ।