• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ସଂଘର୍ଷ କଲେ, ସଫଳତା ପାଇଲେ

     

  • ଅଧ୍ୟାପକରୁ ହେଲେ ISS

କାମାକ୍ଷାନଗର(ବିଦ୍ୟାଧର ବରାଳ): କଠିନ ପରିଶ୍ରମ ମଣିଷକୁ ସଫଳତାର ଶିଖରରେ ପହଞ୍ଚାଇ ଦେଇଥାଏ । ଛୋଟ ମଫସଲ ଗାଁରୁ ଯାଇ ସର୍ବ ଭାରତୀୟ ପରୀକ୍ଷାରେ ସଫଳତା ଅର୍ଜନ କରିବା ,ନିଶ୍ଚିତ ପକ୍ଷେ ଏକ ଗର୍ବ ଓ ଗୌରବର ବିଷୟ । ଏମିତି ପଙ୍କରୁ ପଦ୍ମ ଜାତ ହେଲା ପରି ପ୍ରତିଭା ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ସାଆନ୍ଦା ପଂଚାୟତ ଅନ୍ତର୍ଗତ ତଳବେରଣା ଗାଁର ଯୁବକ ପ୍ରଭାତ କୁମାର ଦାସଙ୍କ ନିକଟରେ । ବାପା ପ୍ରଫୁଲ ଦାସ ଓ ମାଆ ଝରଣା ଦାସଙ୍କ ସାନ ପୁଅ ହେଉଛନ୍ତି ପ୍ରଭାତ । ଅଭାବ ଅନଟନ ଭିତରେ ରହି ମଧ୍ୟ ପ୍ରଭାତ କେବେ ହାର ମାନି ନାହାଁନ୍ତି ସେ। ୨୦୦୬ ମସିହାରେ ସାଆନ୍ଦା ଉଚ୍ଚ ବିଦ୍ୟାଳୟରୁ ପାସ କରିବା ପରେ ସାଆନ୍ଦା ଆଞ୍ଚଳିକ ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ନାମ ଲେଖାଇଥିଲେ । ବିଜ୍ଞାନ ପାଠ ପଢିବା ପାଇଁ ଇଚ୍ଛା ଥିଲେ ମଧ୍ୟ ମାର୍କ ଯୋଗୁଁ ଏଥିରୁ ବଂଚିତ ରହିଥିଲେ ପ୍ରଭାତ । ପରେ ୨୦୧୧ ମସିହାରେ ଢେ଼ଙ୍କାନାଳ ସ୍ୱୟଂ ଚାଳିତ ମହାବିଦ୍ୟାଳୟରୁ ରାଜନୈତିକ ବିଜ୍ଞାନରେ ସ୍ନାତକ ଶେଷ ପରେ ଉତ୍କଳ ବିଶ୍ଵବିଦ୍ୟାଳୟରେ ପରିସଂଖ୍ୟାନ ବିଭାଗରେ ପିଜି ,ଏମ.ଫିଲ ଓ ପି .ଏଚଡି କରି ଡ଼କ୍ଟେରେଟ ଅର୍ଜନ କରିଥିଲେ ପ୍ରଭାତ ।

ବାପା ପ୍ରଫୁଲ ଜଣେ ରୋଷେୟା ଭାବରେ ତାଳଚେରର ଏକ ମେସରେ କାର୍ଯ୍ୟ କରୁଥିଲେ । ତେବେ ତାଙ୍କର ଆର୍ଥିକ ରୋଜଗାର ପରିବାର ପ୍ରତିପୋଷଣ କରିବାରେ ସମ୍ଭବ ହୋଇ ନଥିଲା । ପ୍ରଭାତ ନିଜେ ପିଲା ମାନଙ୍କୁ ଟିଉସନ କରି ଯେଉଁ ଦୁଇ ପଇସା ହେଉଥିଲା ସେଥିରେ ନିଜ ପାଠ ପଢାରେ ଖର୍ଚ୍ଚ କରୁଥିଲେ । ଅଭାବ ଅନଟନ ଭିତରେ ରହି ୨୦୧୯ ମସିହା ଡିସେମ୍ବର ମାସରୁ ଅଦ୍ୟାବଧି ବୌଦ୍ଧ ପଞ୍ଚାୟତ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି । ପ୍ରଭାତ ଅଧ୍ୟାପକତା କାର୍ଯ୍ୟରେ ରହି ସର୍ବଭାରତୀୟ ସ୍ତରରେ ISS (ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ସର୍ଭିସ ) ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି । ୫୦ ତମ ସ୍ଥାନରେ ରହି ସମଗ୍ର ଜିଲ୍ଲା ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି । ଏ ନେଇ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଟୁଇଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ଯାହାକୁ ନେଇ ପରିବାର ଲୋକେ ଓ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି ।