/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677085490.jpg)
Jodum Medical Issue
ଚେୟାର ଖାଲି, ଟେବୁଲ ଖାଲି..ରୁମ ବି ଖାଲି। ମେଡିକାଲ ଭିତରେ ସକାଳୁ ସକାଳୁ ଯେତିକି ଭିଡ ରହିବାର କଥା ସେତିକି ବି ନାହିଁ। ଏମିତି କିଛି ଦୃଶ୍ୟ ଦେଖିବା ପରେ ଆପଣ ଭାବୁଥିବେ ସେହି ଅଂଚଳରେ ବୋଧହୁଏ ସବୁଠୁ ଭଲ ରୋଗୀ ସେବା ମିଳୁଛି । ତେଣୁ ମେଡିକାଲକୁ ଆସୁନାହାନ୍ତି ରୋଗୀ। ଯଦି ଏମିତି କିଛି ଭାବୁଥିବେ ତେବେ ପୂରା ଭୁଲ ଭାବୁଛନ୍ତି। କାରଣ ଏଇଠି ଡାକ୍ତର ନଥିବାରୁ ଆସୁନାହାନ୍ତି ରୋଗୀ।
ନାହିଁ ନାହିଁରେ ଚାଲିଛି ମେଡିକାଲ। ଲୋକଙ୍କୁ ଭରସା ଦୁଇ ଜଣ ଫାର୍ମସିଷ୍ଟ ଓ ଜଣେ ଷ୍ଟାଫ୍ ନର୍ସ। ଇଏ ପୁଣି କୋଉ ଉପାନ୍ତ ଅଂଚଳର ନୁହେଁ ବରଂ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ଏରିଆର । ଲୋକଙ୍କ ଅଭିଯୋଗ ଅନୁସାରେ ୧୯୯୫ ମସିହାରେ ଏଇଠି ସ୍ୱାସ୍ଥ୍ୟଅବସ୍ଥା ଯେମିତି ଥିଲା ଆଜି ବି ଠିକ୍ ସେମିତି। ବାରମ୍ବାର ବିଧାୟକ ହେଲେ ଦେବୀ କିନ୍ତୁ ସ୍ୱାସ୍ଥ୍ୟସେବାରେ ଆସିପାରିଲାନି କୌଣସି ବ୍ୟବସ୍ଥା। ୨୮ ବର୍ଷ ଶାସନରେ ପୂରା ବିପର୍ଯ୍ୟସ୍ତ ହେଲାଣି ସ୍ୱାସ୍ଥ୍ୟ ସେବା।
ଦେଖନ୍ତୁ ଭିଡିଓ | ନାହିଁ ନାହିଁରେ ଥିବା ଗାଁର ନାଁ ହେଉଛି ଦମଣ୍ଡା : ଦୁଃଖ ଶୁଣୁନାହାନ୍ତି ସରକାର
ନରସିଂହପୁରରେ ଦେବୀଙ୍କର ୨୮ ବର୍ଷ ଶାସନ ହେଲାଣି କିନ୍ତୁ ମେଡିକାଲକୁ ନେଇ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ। ସ୍ଥିତି ଏମିତି ହେଲାଣି ଯେ ଡାକ୍ତରଖାନାରେ ଡାକ୍ତର ବି ନାହାନ୍ତି। ଯାହାର ଯାହା ହେଲା ଯଦି ମେଡିକାଲକୁ ଗଲେ ତେବେ ସାଙ୍ଗେ ସାଙ୍ଗେ ସେମାନଙ୍କୁ ଯୋଡୁମ୍ରୁ ନରସିଂହପୁରକୁ ରେଫର କରିଦେଉଛନ୍ତି ଫାର୍ମାସିଷ୍ଟ। ୫ ପଂଚାୟତର ୪୦ ହଜାରରୁ ଅଧିକ ଲୋକ ଏଇ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି। ହେଲେ ସ୍ଥିତି ଯଥାପୂର୍ବଂ ତଥା ପରଂ। ମେଡିକାଲରେ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ବାରମ୍ବାର ଦାବି ହେବା ପରେ ବି ରାଜନେତା କି ପ୍ରଶାସନ କେହି ଶୁଣିଲେ ନାହିଁ।
ବହୁ ଆନ୍ଦୋଳନ ପରେ ଡିଏମ୍ଏଫ୍ ଫଣ୍ଡରୁ ଆସ୍ଥାୟୀ ଭାବେ ଡାକ୍ତର ନିଯୁକ୍ତି କରାଯାଇଥିଲା। କିନ୍ତୁ ୭ ବର୍ଷ ହେବ ସ୍ଥାୟୀ ଡାକ୍ତର ପଦବୀ ଫାଙ୍କା ପଡ଼ିଛି। ଆଉ ଯେଉଁମାନେ ବି ଆସୁଛନ୍ତି ସେମାନେ ମାତ୍ର କେଇ ଦିନରେ ମେଡିକାଲ ଛାଡି ପଳାଉଥିବା କହିଛନ୍ତି ସ୍ଥାନୀୟ ଲୋକ। କିଡନୀ ରୋଗ ବ୍ୟାପୁଥିବା ଅଂଚଳର ଭାବରେ ଯୋଡୁମ୍ ବେଶ ଜଣାଶୁଣା। କିନ୍ତୁ ଦୁଃଖର ବିଷୟ ଲଗାତାର ଜିତୁଥିବା ପରେ ବି ସ୍ଥିତିରେ କୌଣସି ସୁଧାର ଆସୁନାହିଁ। ତେଣୁ ତୁରନ୍ତ ଡାକ୍ତର ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ବଡଧରଣର ଆନ୍ଦୋଳନ ହେବା ନେଇ ଚେତାଇ ଦେଇଛନ୍ତି ସ୍ଥାନୀୟ ଲୋକ।
ନରସିଂହପୁରରୁ ସର୍ବେଶ୍ୱର ସ୍ୱାଇଁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)