• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ମୁହଁ ମୋଡୁଛନ୍ତି ଛାତ୍ରଛାତ୍ରୀ

  • ବିଶ୍ୱବିଦ୍ୟାଳୟର ୨୦ ବିଭାଗରେ ମାତ୍ର ୧୭ ଜଣ ସ୍ଥାୟୀ ପ୍ରଫେସର

  • ବିଭିନ୍ନ ସମସ୍ୟା କାରଣରୁ ଏଠାରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ

  • ଛାତ୍ରାବାସ, ଷ୍ଟାଡିୟମ, ଅଡିଟୋରିୟମରେ ମଧ୍ୟ ରହିଛି ସମସ୍ୟା

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ନାହିଁ ନାହିଁରେ ଚାଲିଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ସୁନାବେଡାରେ ପ୍ରତିଷ୍ଠା ହୋଇଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ହେଲେ ଅନେକ ସମସ୍ୟା କାରଣରୁ ଏଠାରୁ ଛାତ୍ରଛାତ୍ରୀମାନେ ମୁହଁ ଫେରାଉଛନ୍ତି । ବିଶ୍ୱବିଦ୍ୟାଳୟରେ ୨୦ ବିଭାଗରେ ମାତ୍ର ୧୭ ଜଣ ସ୍ଥାୟୀ ପ୍ରଫେସର ଅଛନ୍ତି । ସେହିପରି ଛାତ୍ରାବାସ, ଷ୍ଟାଡିୟମ, ଅଡିଟୋରିୟମରେ ମଧ୍ୟ ଅନେକ ସମସ୍ୟା ରହିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ, ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଓ ପ୍ରଫେସରଙ୍କ ଅଭାବ ବର୍ତ୍ତମାନ ସମୟର ମୁଖ୍ୟ ସମସ୍ୟା ପାଲଟିଛି । ମୋଟ ୨୦ଟି ବିଭାଗରେ ୧୪୪ ଟି ସ୍ଥାୟୀ ପ୍ରଫେସରଙ୍କ ପଦବୀ ରହିଥିବାବେଳେ ମାତ୍ର ୧୭ ଜଣ କାର୍ଯ୍ୟରତ ସ୍ଥାୟୀ ପ୍ରଫେସର ରହିଛନ୍ତି । ସେହିପରି ୧୧୯ ଟି ଅସ୍ଥାୟୀ ପ୍ରଫେସର ପଦବୀ ସଂଖ୍ୟା ରହିଥିବା ବେଳେ ମାତ୍ର ୨୪ ଜଣ କାର୍ଯ୍ୟରତ ଅସ୍ଥାୟୀ ପ୍ରଫେସର ରହିଛନ୍ତି ।

ଦୀର୍ଘ ବାରବର୍ଷ ଧରି ଏହି ବିଶ୍ୱବିଦ୍ୟାଳୟଟି ଅନେକ ସମସ୍ୟା ଦେଇ ଗତିକରି ଆସୁଛି । କେବଳ ଏତିକି ନୁହେଁ ବିଶ୍ୱବିଦ୍ୟାଳୟକୁ ଆସୁଥିବା ଭିଜିଟିଂ ପ୍ରଫେସରଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯାଉଛି । ଯାହାକୁ ନେଇ ବୁଦ୍ଧିଜୀବୀମାନେ ବିଭିନ୍ନ ପ୍ରଶ୍ନ ଉଠାଉଛନ୍ତି । ଏହାସହ ବିଶ୍ୱବିଦ୍ୟାଳୟରେ ଥିବା ସମସ୍ୟାର ସମାଧାନ ଦିଗରେ ଉଚ୍ଚ କର୍ତ୍ତପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଅନ୍ୟପଟେ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ଛାତ୍ରାବାସ, ଷ୍ଟାଡିୟମ, ଅଡିଟୋରିୟମ, କ୍ୟାଣ୍ଟିନ୍ ଭଳି ଅନେକ ସମସ୍ୟା ରହିଛି । ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟରୁ ମୁହଁ ଫେରାଉଛନ୍ତି । ତେବେ ବିଶ୍ୱବିଦ୍ୟାଳୟର କୁଳପତି ଉକ୍ତ ସମସ୍ୟାକୁ ସ୍ୱୀକାର କରିବା ସହ ଏନେଇ ବିଭାଗୀୟ ଅଧିକାରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ସେ କହିଛନ୍ତି ।