• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାତ୍ୟା ଜୱାଦ୍ ଜନିତ କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସୁଛନ୍ତି ଆନ୍ତଃ ମନ୍ତ୍ରାଳୟସ୍ତରୀୟ କେନ୍ଦ୍ରୀୟ ଟିମ୍ । ଏହି ଟିମ୍ ଆଜି ଭୁବନେଶ୍ୱରରେ ପହଞ୍ଚିବ । ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ଆସୁଥିବା ଏହି ୬ ଜଣିଆ ଟିମ୍ ଜଓ୍ୱାଦ କ୍ଷତିଗ୍ରସ୍ତ ଗଞ୍ଜାମ, ପୁରୀ, ଜଗତସିଂହପୁର, ଯାଜପୁର, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଯାଇ କ୍ଷୟକ୍ଷତିର ଅନୁଧ୍ୟାନ କରିବ । ୬ଟି ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି ୧୩ ତାରିଖରେ ଦିଲ୍ଲୀ ଫେରିଯିବ ଟିମ୍ । ପରେ କେନ୍ଦ୍ର ସରକାରଙ୍କୁ ଏହି ଟିମ୍ ରିପୋର୍ଟ ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଛି । ବାତ୍ୟା ଯଓ୍ୱାଦ ପ୍ରଭାବରେ ଉପକୂଳ ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ଯୋଗୁଁ ଅନେକ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଚାଷୀକୂଳ ଚିନ୍ତାରେ ଅଛନ୍ତି ।

ବାତ୍ୟା ଜଓ୍ୱାଦ ପ୍ରଭାବରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ଶହ ଶହ ଏକର ଜମିରେ ପନିପରିବା ଫସଲ ନଷ୍ଟ ହୋଇଛି । ଲଗାଣ ବର୍ଷା ଯୋଗୁଁ କେଉଁଠି ପରିବା ଗଛ ପଚି ଯାଇଛି ତ ଆଉ କେଉଁଠି ନୂଆ ଚାରା ନଷ୍ଟ ହୋଇଯାଇଛି । ଦିନ କେଇଟା ପରେ କଲରା, ଭେଣ୍ଡି, କୋବି ଆଦି ପରିବା ଅମଳ ହୋଇଥାନ୍ତା । ହେଲେ ବାତ୍ୟା ପ୍ରଭାବରେ ଅଦିନିଆ ବର୍ଷା ସବୁ କିଛି ଛାରଖାର କରିଦେଲା । ଚାଷୀ କିଭଳି ଋଣ ପରିଶୋଧ କରିବ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ।

ବାତ୍ୟା ପ୍ରଭାବରେ ହୋଇଥିବା ବର୍ଷା, ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି । ଚାଷ କାମ ଆରମ୍ଭରୁ ବର୍ଷା ଆଉ ରୋଗପୋକ ମାଡ଼ରେ କ୍ଷେତର କ୍ଷତ ଶୁଖୁ ନ ଥିବା ବେଳେ, ଏବେ ଅମଳ ସମୟରେ ବର୍ଷା ଚାଷୀର ଦୁର୍ଦ୍ଦଶା ବଢେଇ ଦେଇଛି । ବାତ୍ୟା ପ୍ରଭାବରେ ବର୍ଷା ପରେ ବିଲରୁ ପାଣି ଛାଡ଼ି ନଥିବା ବେଳେ ଏବେ ଝିପିଝିପି ବର୍ଷା ଚାଷୀ ପାଇଁ ବେଡି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି । ଏବେବି କ୍ଷେତରେ ଧାନ ଗଛ ପାଣିରେ ବୁଡି ରହିଛି । ଧାନ ଗଛକୁ ନା କାଟିପାରୁଛି ନା କଟାଯାଇଥିବା ଧାନକୁ ଖଳାକୁ ଆଣିପାରୁଛି । ବାସୁଦେବପୁର ବ୍ଲକରେ ଚଳିତ ବର୍ଷ ୩୨ ହଜାର ୨୩୯ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ୯୦ ଭାଗ ଧାନ ଅମଳ ଉପଯୋଗୀ ହୋଇଯାଇଥିଲା । ଧାନ ଅମଳ ହେବ ବୋଲି ଚାଷୀ ଆଶାବାଦୀ ଥିଲା । ଧାନ ପାଚିବା ପୂର୍ବରୁ କ୍ଷେତରେ ରୋଗପୋକ ବହୁ ମାତ୍ରାରେ କ୍ଷତି ପହଞ୍ଚାଇଥିଲା । ଏବେ ଅମଳ ସମୟରେ ବର୍ଷା, ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି ।